ମଦର ଟେରେସାଙ୍କ ସଂସ୍ଥାରୁ ୫୮ଶିଶୁ ଉଭାନ୍‍

0

ରାଞ୍ଚି: ଝାଡ଼ଖଣ୍ଡରେ ମଦର ଟେରେସାଙ୍କ ସଂସ୍ଥା ମିସନାରିଜ ଅଫ୍‍ ଚ୍ୟାରିଟି ସଂସ୍ଥାରେ ବ୍ୟାପକ ଦୁର୍ନୀତିର ଖୁଲାସା କରିଛି ସ୍ଥାନୀୟ ପ୍ରଶାସନ। ମିସନାରିଜ ଅଫ୍‍ ଚ୍ୟାରିଟି ସଂସ୍ଥାର ଅଧୀନ ନିର୍ମଳ ହୃଦୟ ସଂସ୍ଥାରେ ପିଲାମାନଙ୍କୁ ବେଆଇନ ଭାବେ ବିକ୍ରି କରାଯାଇ ଥିବା ସୁରାକ ମିଳିଛି। ବିଗତ ୧୬ମାସରେ ଏହି ସଂସ୍ଥାନରୁ ୫୮ଜଣ ଶିଶୁ ଉଭାନ ହୋଇଛନ୍ତି। ଏହି ଶିଶୁମାନେ କୁଆଡ଼େ ଗଲେ? କିଏ ନେଲା? ଏ ସମ୍ପର୍କରେ ନା ସଂସ୍ଥା ପାଖରେ କୌଣସି ରେକର୍ଡ଼ ରହିଛି ନା’ ପୁଲିସକୁ ମିଳିଛି କୌଣସି ସୁରାକ।
ବିଦେଶରୁ ଭାରତକୁ ଆସିଥିବା ପୁଞ୍ଜିର ଖୋଳତାଡ଼ କରି ଆୟକର ବିଭାଗକୁ ସର୍ବପ୍ରଥମେ ଏଭଳି ଦୁର୍ନୀତିର ସୁରାକ ମିଳିଥିଲା। ମିସନାରିଜ ଅଫ୍‍ ଚ୍ୟାରିଟି ନାମରେ ବିଦେଶରୁ ଆସିଥିବା ଟଙ୍କା କୁଆଡ଼େ ଗଲା ଏ ସମ୍ପର୍କରେ ଖୋଳତାଡ଼ କରିବାକୁ ଯାଇ ଆୟକର ବିଭାଗ ଉକ୍ତ ସଂସ୍ଥାର ଦୁଇ ପରିଚାଳିକାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏହି ସମୟରେ ଉକ୍ତ ସଂସ୍ଥାରେ ଅସହାୟ ପ୍ରସୂତିଙ୍କୁ ଥଇଥାନ ସମ୍ପର୍କିତ ଏକ ରେଜିଷ୍ଟ୍ରାର ପୁଲିସର ହସ୍ତଗତ ହୋଇଥିଲା।
ଏହି ରେକର୍ଡ଼ ଅନୁଯାୟୀ ଉକ୍ତ ସଂସ୍ଥାରେ ୨୦୧୬ମସିହାରେ ୨ଶହରୁ ଊଦ୍ଧ୍ୱର୍ ପ୍ରସୂତିଙ୍କୁ ଥଇଥାନ କରାଯାଇ ଥିବା ଜଣାପଡ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ପ୍ରସୂତିଙ୍କ ଜନ୍ମିତ ସନ୍ତାନଙ୍କ ସମ୍ପର୍କିତ କୌଣସି ଖବର ରେକର୍ଡ଼ରୁ ମିଳି ନଥିଲା। କେବଳ ୨୦୧୬, ଜୁନରୁ ୨୦୧୮, ଜୁନ ମଧ୍ୟରେ ଉକ୍ତ ସଂସ୍ଥାରେ ୧୧୦ଜଣ ପିଲା ଜନ୍ମଗ୍ରହଣ କରିଥିଲେ। ତେବେ ଜିଲା ପ୍ରଶାସନ ପକ୍ଷରୁ ସିଡବ୍ଲୁସି ବିଭାଗକୁ ମାତ୍ର ୫୨ଜଣ ଶିଶୁ ସମ୍ପର୍କରେ ସୂଚନା ଦିଆଯାଇ ଥିଲା। ଅବଶିଷ୍ଟ ୫୮ଜଣ ଶିଶୁ ସଂସ୍ଥାର ରେକର୍ଡ଼ରୁ କିପରି ଉଭାନ ହେଲେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିିସ।
ଇତିମଧ୍ୟରେ ନିର୍ମଳ ହୃଦୟରୁ ବେଆଇନ ଭାବେ ବିକ୍ରି କରାଯାଇ ଥିବା ୩ଟି ଶିଶୁକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରୁ ଝଡ଼ଖଣ୍ଡର ସିମଡେଗା ଅଞ୍ଚଳର ଶୈଲଜା ତିର୍କୀଙ୍କୁ ଗୋଟିଏ ଶିଶୁ ବ୍ରିକ୍ରି କରାଯାଇ ଥିଲା। ଶୈଲଜା ୫୦ହଜାର ବିନିମୟରେ ଏହି ଶିଶୁକୁ କିଣିଥିଲେ। ଏହି ଟଙ୍କା ଆୟକର ଦ୍ୱାରା ଗିରଫ ହୋଇଥିବା ସିଷ୍ଟର ଅନିମା ଓ ସିଷ୍ଟର କୋନସିଲିୟାଙ୍କୁ ଦିଆଯାଇଥିଲା। ଏଭଳି ଖୋଳତାଡ଼ ମଧ୍ୟରେ ସ୍ଥାନୀୟ ନାମକୁମ ଶ୍ମଶାନରୁ ଏକ ନବଜାତ ଶିଶୁର ମୃତଦେହ ପୁଲିସ ଉଦ୍ଧାର କରିଛି।
ତଦନ୍ତରେ ଧରାପଡ଼ିବା ଆଶଙ୍କାରେ କୌଣସି ଶିଶୁକୁ ବିକ୍ରି କରି ନ ପାରି ତାକୁ ହତ୍ୟା କରାଯାଇ ଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କ ମତ ଅନୁଯାୟୀ ଯଦି ସମସ୍ତ ଶିଶୁଙ୍କୁ କୌଣସି ନା କୌଣସି ପରିବାରକୁ ବିକ୍ରି କରାଯାଇ ଥାଏ ତେବେ ସେମାନଙ୍କ ଉଦ୍ଧାର ସମ୍ଭବ। କିନ୍ତୁ ଯଦି ଅନ୍ୟ କେଉଁଠି ଶିଶୁଙ୍କୁ ପରିଚାଳିକାମାନେ ବିକ୍ରି କରିଥିବେ ତେବେ ସେମାନଙ୍କୁ ଉଦ୍ଧାର କରିବା କାଠିକର ହେବ।

Leave A Reply