www.samajalive.in
Tuesday, December 9, 2025
16.1 C
Bhubaneswar

ମଣିଷ ମଧ୍ୟରେ ରହିଛି ଅନନ୍ତ ସମ୍ଭାବନା

ଭୁବନେଶ୍ୱର: ପ୍ରତ୍ୟେକ ମଣିଷ ମଧ୍ୟରେ ଅନନ୍ତ ସମ୍ଭାବନା ଓ ସାମର୍ଥ୍ୟ ରହିଛି। ପ୍ରତ୍ୟେକ ମଣିଷ ଦିବ୍ୟ ଆତ୍ମାର ଆଧାର। ଏହି ଭାବବୋଧକୁ ଭିତ୍ତି କରି ନିଜ ଜୀବନ ଓ ଦୃଷ୍ଟିକୋଣ ଗଠନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପରାମର୍ଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି, ସାଇବାବା ହେଉଛନ୍ତି ଜୀବନ୍ତ ଦେବତା। ଓଡ଼ିଶାରେ ତାଙ୍କର ବହୁ ଅନୁଗାମୀ ଅଛନ୍ତି। ସେ ମାନବସମାଜକୁ ଭଲ ପାଇବାର ଶିକ୍ଷା ଦେଇଛନ୍ତି।
ବୁଧବାର ସାଇ ଇଣ୍ଟରନ୍ୟାସ୍‍ନାଲ୍‍ ରେସିଡେନ୍‍ସିଆଲ୍‍ ସ୍କୁଲରେ ଆୟୋଜିତ ଶିରିଡ଼ି ସାଇବାବାଙ୍କ ମହାସମାଧିର ଶତାବ୍ଦୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରେମ ହିଁ ଜୀବନର ସର୍ବୋଚ୍ଚ ଉପଲବ୍ଧି। ପରମାତ୍ମା ସହ ଯୋଡ଼ି ହେବାର ପ୍ରକ୍ରିୟା ଓ ମାଧ୍ୟମ ହିଁ ପ୍ରେମ। ପ୍ରେମଭାବ ସମଗ୍ର ପୃଥିବୀକୁ ମଧୁର ଓ ମନମୁଗ୍ଧକର କରି ରଖିଛି। ଶିରିଡ଼ି ସାଇବାବା ସତ୍ୟ, ପ୍ରେମ, କରୁଣା ଓ ମାନବିକତାର ପ୍ରତୀକ। ପ୍ରତ୍ୟେକ ଭାବଧାରା ତାଙ୍କଠି ସମାହିତ। ତାଙ୍କର ଜୀବନ ଓ ଦର୍ଶନ ବାସ୍ତବରେ ମାନବିକତାର ନିଃଶ୍ୱାସ। ଶିରିଡ଼ି ସାଇ ଗ୍ଲୋବାଲ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ଡ. ଚନ୍ଦ୍ରଭାନୁ ଶତପଥୀ ସାଇବାବାଙ୍କୁ ଅସୀମତାର ପ୍ରତୀକ ଭାବରେ ବର୍ଣ୍ଣନା କରି ତାଙ୍କୁ ଏକ ମହାସାଗର ଏବଂ ସେଥିରେ ଅନେକ ତତ୍ତ୍ୱ ଓ ଦର୍ଶନର ଧାରା ପ୍ରବାହିତ ହୋଇଥିବା ପ୍ରକାଶ କରିଥିଲେ। ସଂକୀର୍ଣ୍ଣତାର ଊର୍ଦ୍ଧ୍ବକୁ ଯାଇ ମାନବିକତାର ଆବାହନ ସାଇ ଦର୍ଶନର ମୂଳତତ୍ତ୍ୱ। ଶିରିଡ଼ି ସାଇବାବା ସବୁ ମତ ଓ ତତ୍ତ୍ୱକୁ ଆଧାର କରି ଯେଉଁ ଚିନ୍ତନର ପରିପ୍ରକାଶ କରିଥିଲେ ତା’ର ଚିର ପ୍ରାସଙ୍ଗିକତା ରହିଛି। ଶିରିଡ଼ି ସାଇବାବା ଚିରନ୍ତନ ଭାବବୋଧର ଆଧାର ବୋଲି ଡ. ଶତପଥୀ ପ୍ରକାଶ କରିଛନ୍ତି।
ବାଚସ୍ପତି ପ୍ରଦୀପ କୁମାର ଅମାତ ଏବଂ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଶିରିଡ଼ି ସାଇବାବାଙ୍କ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଗୁରୁଜୀ ଙ. ଶତପଥୀଙ୍କ ‘ଶ୍ରୀଗୁରୁ ଭାଗବତ’ର ଷଷ୍ଠଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାଇ ଇଣ୍ଟରନ୍ୟାସ୍‍ନାଲ୍‍ ଫାଉଣ୍ଡେସନ୍‍ର ଅଧ୍ୟକ୍ଷ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଂଯୋଜନାରେ ଶ୍ରୀଗୁରୁ ଭାଗବତର ନୃତ୍ୟାଭିନୟ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା।
ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବକ୍ତବ୍ୟ ରଖିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ, ସ୍ୱସ୍ତି ଗ୍ରୁପ୍‍ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‍ ଦ୍ୱାରା ନୃତ୍ୟସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories