www.samajalive.in
Monday, December 15, 2025
14.1 C
Bhubaneswar

ମଙ୍ଗଳବାରଠାରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚଦଶ ବିଧାନସଭାର ଦ୍ୱାଦଶ ଅଧିବେଶନ। ଦୁଇଟି ପର୍ୟ୍ୟାୟରେ ଏହା ମେ ୫ତାରିଖ ପର୍ୟ୍ୟନ୍ତ ଚାଲିବ। ଚଳିତ ବିଧାନସଭାରେ ଫେବୃଆରୀ ୨୩ରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବାର କାର୍ୟ୍ୟକ୍ରମ ରହିଛି। ତେବେ ଅଧିବେଶନ କାଳରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ରାଜ୍ୟର ବିଭିନ୍ନ ସମସ୍ୟାମୂଳକ ପ୍ରସଙ୍ଗ ଉତ୍ଥାପନ କରାଯିବାକୁ ଥିବାରୁ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଦିଲ୍ଲୀରେ ଏଆଇସିସି ବୈଠକରେ ଯୋଗଦେବାକୁ ଯିବା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ହୋଇଥିବାବେଳେ ଆସନ୍ତାକାଲି ବିଜୁ ଜନତା ଦଳ ଓ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବିଧାନସଭା ପାଇଁ ଅନେକ ପ୍ରସଙ୍ଗ ରହିଛି। ରାଜ୍ୟରେ ଗଣତନ୍ତ୍ର ସୁରକ୍ଷିତ ନୁହେଁ। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଚାଷୀମାନେ ଦୀର୍ଘ ସମୟ ଧରି ଆନ୍ଦୋଳନ ଚଳାଇଥିଲେ ବି ସରକାର ଶୁଣୁନାହାନ୍ତି କିମ୍ବା ସେମାନଙ୍କୁ ଆଲୋଚନାକୁ ଡ଼ାକୁ ନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଶିକ୍ଷିତ ପିଲାମାନେ ବେକାର ବସିଛନ୍ତି। ଚାକିରି ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ନାରୀ ନିର୍ୟାତନା ବଢ଼ିଚାଲିଥିବାବେଳେ ନିର୍ବାଚନୀ ହିଂସା ଆଇନଶୃୃଙ୍ଖଳା ପରିସ୍ଥିତିକୁ ବିପର୍ୟ୍ୟନ୍ତ କରିଦେଇଛି। ସରକାରଙ୍କର ଏସବୁ ଉପରେ ନିୟନ୍ତ୍ରଣ ନାହିଁ। ବିଧାନସଭାରେ କଂଗ୍ରେସ ଏସବୁ ପ୍ରସଙ୍ଗ ଉଠାଇବ ବୋଲି ସେ କହିଛନ୍ତି।
ଅନୁରୂପ ଭାବେ ବିଜେପି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ଲକ୍ଷ୍ୟ ରଖିଛି। ଆସନ୍ତାକାଲି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ଦଳୀୟ କାର୍ୟ୍ୟାଳୟରେ ଅନୁଷ୍ଠିତ ହେବ। ଏଠାରେ ଦଳ ପକ୍ଷରୁ ରଣନୀତି ସ୍ଥିର ହେବ। ଏ ସମ୍ପର୍କରେ ସୂଚନା ଦେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଏଥର ଗୃହରେ ଗୁମୁଡ଼ୁମାହ ଗୁଳିକାଣ୍ଡ ଘଟଣାର ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସରକାରଙ୍କ ଉଦାସୀନତା ନେଇ ଦଳ ସ୍ୱର ଉଠାଇବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ଥିବାବେଳେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଅନ୍ୟାୟ ଗିରଫଦାରୀ ବିଷୟରେ ଦଳ ସରକାରଙ୍କଠାରୁ ଜବାବ ମାଗିବ। ଇତିମଧ୍ୟରେ ରାଜ୍ୟରେ ଆଉ ୭ଜଣ ଚାଷୀ ଆତ୍ମହତ୍ୟା କଲେଣି। ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ପାଇଁ ଚାଷୀଙ୍କ ନିକଟରେ ଇନପୁଟ ରିଆତି ପହଞ୍ଚିପାରୁନି। ମରୁଡ଼ି ସହିତ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗିରହିଛି। ରାଜ୍ୟ ସରକାର କେଉଁ ଉଦ୍ଦେଶ୍ୟ ନେଇ ବିଜୁ ଯୁବ ବାହିନୀ ଗଠନ କରିଛନ୍ତି ସେ ବିଷୟରେ ବି ଦଳ ପ୍ରଶ୍ନ ଉଠାଇବ। ଏହାଛଡ଼ା ରାଜ୍ୟରେ ଡ଼ାକ୍ତର ଓ ଶିକ୍ଷକ ଅଭାବ ଯୋଗୁଁ ଦେଖାଦେଇଥିବା ସମସ୍ୟା ନେଇ ଗୃହରେ ଦଳ ପକ୍ଷରୁ ସରକାରଙ୍କଠାରୁ ଉତ୍ତର ମଗାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ କହିଛନ୍ତି ଯେ ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁସବୁ ସମସ୍ୟା ଉଠିବ ସେସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସରକାର ରାଜ୍ୟର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଯେ କୌଣସି ଉନ୍ନୟନମୂଳକ ପ୍ରସଙ୍ଗରେ ସରକାର ସକାରାତ୍ମକ ମନୋଭାବ ନେଇ ଆଲୋଚନା କରିବେ। ଏଥର ବିଧାନସଭାରେ ଅନେକ ନୂଆ ବିଲ ଆସିବ। ଏହାଛଡ଼ା ଧାନର ଏମଏସ୍‌ପି ବୃଦ୍ଧି ନେଇ କେନ୍ଦ୍ରର ଆଭିମୁଖ୍ୟ ଏବଂ ସ୍ୱତନ୍ତ୍ର ପାହ୍ୟା ନେଇ କେନ୍ଦ୍ରୀୟ ଅବହେଳା ବିଷୟରେ ବି ଗୃହରେ ଆଲୋଚନା ହେବ।
ସୂଚନାଯୋଗ୍ୟ ଯେ ଏଥର ମାର୍ଚ୍ଚ ୨୦ରୁ ୩୧ ପ୍ରଥମ ପର୍ୟ୍ୟାୟ ଏବଂ ଏପ୍ରିଲ ୧୧ରୁ ମେ ୫ ପର୍ୟ୍ୟନ୍ତ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଚାଲିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମାର୍ଚ୍ଚ ୨୩ରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories