ଭାରତୀୟ ସେନାରେ ସାମିଲ ହେବ ଏଣ୍ଟି ଟ୍ୟାଙ୍କ ମିସାଇଲ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ସେନାକୁ ଏକ ବଡ଼ ଧରଣର ସଫଳତା ମିଳିଛି। ମେକ ଇନ ଇଣ୍ଡିଆ ଅନ୍ତର୍ଗତ ପ୍ରସ୍ତୁତ ‘ନାଗ୍’ କ୍ଷେପଣାସ୍ତ୍ର ତଥା ଏଣ୍ଟି ଟ୍ୟାଙ୍କ ମିସାଇଲକୁ ଖୁବ୍ ଶୀଘ୍ର ଭାରତୀୟ ସେନାରେ ସାମିଲ କରାଯିବ। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉ ଥିବା ଏହି କ୍ଷେପଣାସ୍ତ୍ର ମୁଖ୍ୟତଃ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଠାବ କରି ଧ୍ୱଂସ କରିବାର କ୍ଷମତା ରହିଛି। ଭାରତୀୟ ରକ୍ଷା ଅନୁସନ୍ଧାନ ସଂଗଠନ(ଡିଆରଡିଓ) ଦ୍ୱାରା ଏଭଳି କ୍ଷେପଣାସ୍ତ୍ର ନିର୍ମାଣ ୧୯୮୦ରୁ ଆରମ୍ଭ କରିବାକୁ ଯୋଜନା କରିଥିଲେ ମଧ୍ୟ କୌଣସି କାରଣରୁ ଏହାକୁ ବିକଶିତ କରିବାରେ ବିଳମ୍ବ ହେଉଥିଲା। ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୦୦ଟି ନାଗ କ୍ଷେପଣାସ୍ତ୍ର ଓ ୨୫ଖଣ୍ଡ କ୍ଷେପଣାସ୍ତ୍ର ବହନ କରୁଥିବା ଯାନକୁ ସେନାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମାର୍ଦ୍ଧରେ ସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରକୁ ସେନା ସୀମାନ୍ତରେ ବ୍ୟବହାର କରିବ। କ୍ଷେପଣାସ୍ତ୍ରଟି ୭ରୁ ୮କିମି ଦୂରରେ ଥିବା ଟ୍ୟାଙ୍କ କିମ୍ବା ଯୁଦ୍ଧାସ୍ତ୍ର ବହନ କରୁଥିବା ଯାନକୁ ଠାବ କରି ଧ୍ୱଂସ କରିବ। ସେନା ପକ୍ଷରୁ ପରୀକ୍ଷାମୂଳକ ଭାବରେ ଏହାର ବ୍ୟବହାର କରାଯିବ। ପରବର୍ତ୍ତୀ ସମୟରେ ଉକ୍ତ କ୍ଷେପଣାସ୍ତ୍ରକୁ ଅଧିକ ସଂଖ୍ୟାରେ ସେନା ବାହିନୀରେ ସାମିଲ କରାଯିବ। ଏହି କ୍ଷେପଣାସ୍ତ୍ର ବହନ କରୁଥିବା ଯାଦ ଏକକାଳୀନ ୬ଟି କ୍ଷେପଣାସ୍ତ୍ରକୁ ବହନ କରିବା ସହ ନିକ୍ଷେପ କରିବାର କ୍ଷମତା ରହିଛି। ସ୍ୱୟଂଚାରିତ ରାଡାର ଦ୍ୱାରା ଶତ୍ରୁ ପକ୍ଷରୁ ଟ୍ୟାଙ୍କକୁ ଠାବ କରିବା ସହ ଏହାକୁ ଧ୍ୱଂସ କରିବା ପ୍ରକ୍ରିୟାକୁ ନେଇ ସେନା ତା’ର ରିପୋର୍ଟ ଦେବା ପରେ ଆହୁରି ଅଧିକ ସଂଖ୍ୟକ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ଏହି କ୍ଷେପଣାସ୍ତ୍ର ସେନାରେ ସାମିଲ ହେଲେ ଅଳ୍ପ କିଛି ସେନା ଶତ୍ରୁପକ୍ଷରୁ ବଡ଼ ଧରଣର ସେନା ବାହିନୀକୁ କଡ଼ା ମୁକାବିଲା ଦେବାରେ ସଫଳ ହେବେ। ଶତ୍ରୁପକ୍ଷ ଭାରତୀୟ ସେନାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ନାଗ କ୍ଷେପଣାସ୍ତ୍ର ସେମାନଙ୍କୁ ଠାବ କରି ଧ୍ୱଂସ କରିଦେବ। ଉକ୍ତ କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସମ୍ପୂର୍ଣ୍ଣ ଭାବରେ ସାମିଲ ହେଲେ ଏହା ଭାରତୀୟ ସେନାଙ୍କ ଶକ୍ତିକୁ ଦ୍ୱିଗୁଣିତ କରିବା ସହ ଏକ ମାଇଲଖୁଣ୍ଟ ହୋଇ ରହିବ।