ବିଲକିସ ବାନୁଙ୍କୁ ନ୍ୟାୟ

ବିଲକିସ୍‌ ବାନୁ ୨୦୦୨ ଗୁଜରାଟ ଦଙ୍ଗାର ଜଣେ ବହୁଚର୍ଚ୍ଚିତ ପୀଡ଼ିତା। ତାଙ୍କ ଯାତନା ଓ ଦୁଃଖର କାହାଣୀ ମାନବିକତା ଓ ଦେଶର ସାମୂହିକ ବିବେକକୁ ଥରାଇ ଦେଇଥିଲା। ଦଙ୍ଗା‌େଗାଳକାରୀ ତାଙ୍କୁ ୨୨ଥର ବଳାତ୍କାର କରିବାସହ ତାଙ୍କର ତିନିବର୍ଷର ଝିଅକୁ କଚାଡ଼ି ହତ୍ୟା କରିଥିଲେ। ଦୀର୍ଘ ୧୭ ବର୍ଷର ଆଇନଗତ ଲଢ଼େଇ ପରେ ସୁପ୍ରିମକୋର୍ଟ ବିଲକିସ୍‌ଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ରହିବାକୁ ଘର ଓ ନିଯୁକ୍ତି ସୁଯୋଗ ଯୋଗାଇଦେବାକୁ ଗୁଜରାଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଲକିସ୍‌ଙ୍କୁ ଏ​‌େ​‌ବ ୪୦ବର୍ଷ ବୟସ ଏବଂ ସେ ଦଙ୍ଗାରେ ସର୍ବସ୍ବ ହରାଇ ଯାଯାବର ଜୀବନଯାପନ କରୁଛନ୍ତି। ଏକ ଏନ୍‌ଜିଓର ଦୟାରେ ସେ ବଞ୍ଚିଛନ୍ତି। ବିଶେଷ ପାଠଶାଠ ପଢ଼ିନଥିବା ସମ୍ବଳହୀନା ଏହି ମହିଳାଙ୍କ ମାମଲା କିଛି ​‌େ​‌ସ୍ବଚ୍ଛାସେବୀ ସଂସ୍ଥା ଲଢ଼ୁଥିଲେ।
ଦୀର୍ଘ ୧୭ବର୍ଷର ନ୍ୟାୟିକ ଲଢ଼େଇ ପରେ ଗତ ମାର୍ଚ୍ଚ ମାସରେ ଗୁଜରାଟ ସରକାର ବିଲକିସ୍‌ଙ୍କୁ ମାତ୍ର ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଥିଲେ ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏକ ଲମ୍ବା ଲଢ଼େଇ ପରେ ବିଲକିସ୍‌ ମାମଲାରେ ଅନେକ ଅଭିଯୁକ୍ତ ଓ ଦୋଷୀ ଆବଶ୍ୟକ ତଥ୍ୟପ୍ରମାଣ ଅଭାବରୁ ଖସି ଯାଇଥିଲେ ମଧ୍ୟ ସାତଜଣ ୨୦୧୭ରେ ଗୁଜରାଟ ହାଇକୋର୍ଟ ଦ୍ବାରା ଦଣ୍ଡିତ ହୋଇଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ପାଞ୍ଚଜଣ ପୁଲିସ କର୍ମଚାରୀ ଓ ଦୁଇଜଣ ଡାକ୍ତର। ଜଣେ ପୀଡ଼ିତାକୁ ନ୍ୟାୟ ମିଳିବା ପାଇଁ କେତେ ଲମ୍ବା ଆଇନଗତ ଲଢ଼େଇ ଲଢ଼ିବାର ଆବଶ୍ୟକତା ରହିଛି ତାହା ବିଲକିସ୍‌ ଘଟଣା ପ୍ରମାଣ କରୁଛି। ତାଙ୍କୁ ଆଇନଗତ ସହାୟତା ଓ ସମର୍ଥନ ଦେଇଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ଧନ୍ୟବାଦାର୍ହ। ସେମାନେ ମଣିଷର ଅଧିକାରକୁ କେବଳ ସାବ୍ୟସ୍ତ କରିନାହାନ୍ତି, ଆଇନର ଶାସନକୁ ପୁନଃ ପ୍ରତିଷ୍ଠା କରିବାରେ ଉଦାହରଣୀୟ ଭୂମିକା ନିର୍ବାହ କରିଛନ୍ତି। ଯେଉଁମାନେ ଦଣ୍ଡିତ ହୋଇଛନ୍ତି ସେମାନେ ସର୍ବୋଚ୍ଚ ଅଦାଲତକୁ ଯିବାର ବାଟ ଅଛି; କିନ୍ତୁ ଅସଲ ଅପରାଧୀ ଯେଉଁମାନେ ଦଙ୍ଗାଗୋଳର ଉହାଡ଼ରେ ଜଘନ୍ୟ ଅପରାଧ ଘଟାଇ ଲୁଚିଗଲେ ସେମାନେ କିନ୍ତୁ ଦଣ୍ଡିତ ହୋଇପାରିଲେ ନାହିଁ।
ବିଲକିସ୍‌ ବାନୁ ମାମଲାରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ‘ପୀଡ଼ିତ ଓ କ୍ଷତିଗ୍ରସ୍ତଙ୍କୁ କ୍ଷୟକ୍ଷତିର ପରିମାଣ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ୍‌ ଏବଂ ଏଥିପାଇଁ ନୀତି ଓ ଆଇନକାନୁନ୍‌ ଖୋଜିବାର ଆବଶ୍ୟକତା ନାହିଁ। ରାୟଟି ଉତ୍ତମ। ବହୁ ବିଳମ୍ବରେ ବିଲ୍‌କିସ୍‌ଙ୍କୁ ନ୍ୟାୟ ମିଳିଲା, ଏହି ବିଳମ୍ବିତ ନ୍ୟାୟ ତାଙ୍କର ଆହତ ଜୀବନ ଓ ପୀଡ଼ାକୁ କେତେ ଲାଘବ କରିବ ତାହା ସେ କେବଳ କହିପାରିବେ। ଏଠି ଆମର କହିବା କଥା ବିଚାର ତ୍ବରିତ ହେଉ ଏବଂ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ।

kalyan agarbati

Comments are closed.