ବଲାଙ୍ଗୀରରେ ଚିଟଫଣ୍ଡ ଜମାକାରୀଙ୍କ ସତ୍ୟାଗ୍ରହ; ରାଜ୍ୟ ସରକାର ତାଙ୍କ ନିର୍ବାଚନ ପ୍ରତିଶ୍ରୃତି ପାଳନ କରନ୍ତୁ
ବଲାଙ୍ଗୀର : ରାଜ୍ୟ ସରକାର ତାଙ୍କ ନିର୍ବାଚନ ପ୍ରତିଶ୍ରୃତି ପାଳନ କରନ୍ତୁ। ଦିନ ଥିଲା ଲୋକଙ୍କୁ ଭୁଆଁ ବୁଲାଇ ଆସୁଥିଲେ। ଆଉ ଚଳିବ ନାହିଁ। ଲୋକେ ସବୁ ବୁଝିଗଲେଣି। ଯେଉଁ କମ୍ପାନୀମାନେ ସାଧାରଣ ଲୋକଙ୍କୁ ଠକିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁ? ଆମେ ଗରିବ, ଖଟିଖିଆ, ଦିନ ମଜୁରିଆ। ଆମ ମେହନତି ପଇସା ଚିଟଫଣ୍ଡ କମ୍ପାନୀ ହଡପ କରିଛନ୍ତି। ଆମ ବିଶ୍ୱାସରେ ବିଷ ଦେଇଛନ୍ତି। ଗୋଟେ ପରେ ଗୋଟେ ଚିଟଫଣ୍ଡ କମ୍ପାନୀ ଶହ ଶହ କୋଟି ଟଙ୍କା ଠକେଇ କରି ଫେରାର ମାରିଲେ। ଶାସକ ଦଳର ନେତାଙ୍କ ସଂପୃକ୍ତି ବି ସିବିଆଇ ସ୍କାନରେ ଆସିଲେ। ଆମକୁ ଆଶ୍ୱସନା ନୁହେଁ ଟଙ୍କା ଦରକାର ବୋଲି ବଲାଙ୍ଗୀର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚିଟଫଣ୍ଡ ଜମାକାରୀଙ୍କ ସତ୍ୟାଗ୍ରହରେ ନେତା ଗର୍ଜିଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ମିଳିତ ଜମାକାରୀଙ୍କ ନେତୃତ୍ୱ ନେଉଥିବା ଜୟନ୍ତ ଦାସଙ୍କ ନେତୃତ୍ୱରେ ତଥା ବଲାଙ୍ଗୀର ଶ୍ରମିକନେତା ବିଭୂଦ ମିଶ୍ରଙ୍କ ପରିଚାଳନାରେ ସ୍ଥାନୀୟ କୋଶଲ କଳାମଣ୍ଡଳରୁ ଶତାଧିକ ଜମାକାରୀ ଏକ ବିରାଟ ପଟୁଆରେ ବାହାରି ବଲାଙ୍ଗୀର ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ସତ୍ୟାଗ୍ରହରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ। ଆଜିବି ବେଧଡକ ଭାବେ ଠକ କମ୍ପାନୀମାନେ ସଭା ସମିତି, ବୈଠକ, କାର୍ଯ୍ୟାଳୟ ଖୋଲାଯାଉଥିବା ବେଳେ ପ୍ରଭାବଶାଳୀ ଅଧିକାରୀମାନଙ୍କ ଅନୁକମ୍ପାରେ ଜମାକାରୀମାନଙ୍କୁ ପ୍ରଭାବିତ କରି ଜମା ଟଙ୍କା ନେଉଛନ୍ତି। ଜିଲାପାଳ, ଏସପି ଘଟଣା ସମ୍ପର୍କରେ ଜାଣୁଥିଲେ ମଧ୍ୟ ନିରବ ରହୁଥିବା ଗୁରୁତର ଅଭିଯୋଗ ଆଣିଛନ୍ତି। ଠକ କମ୍ପାନୀ ଲୋକଙ୍କ ଠାରୁ ଟଙ୍କା ନେଇ ଚାଳିଯିବା ପରେ ଓଲଟା ଜମାକାରୀମାନଙ୍କୁ ଦୋଷ ଦିଆଯାଉଛି। ଏହି ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଠକ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଆଜି ଏହି ସତ୍ୟାଗ୍ରହ ମାଧ୍ୟମରେ ଜମାକାରୀଙ୍କୁ ଚିହ୍ନଟ, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଯେଉଁ ସବୁ ତୃଟି ଯୁକ୍ତ ଆଇନର ସୁଯୋଗ ନେଇ ଠକ ସଂସ୍ଥାମାନେ ଜମାକାରୀମାନଙ୍କୁ ଠକି ଛାଲିଯାଇଛନ୍ତି, ସେ ସମସ୍ତ ଆଇନ ସଂଶୋଧନ ପ୍ରଭୃତି ଦାବି କରିଛନ୍ତି। ମିଳିତ ମଞ୍ଚ ପକ୍ଷରୁ ଜିଲାପାଳଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରାଯିବା ସହ ଚିଟଫଣ୍ଡ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ବଲାଙ୍ଗୀର ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ ଜମାକାରୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉରେ ସାମିଲ ହେବା ସହ ସତ୍ୟାଗ୍ରହରେ ସକ୍ରିୟ ସାମିଲ ହୋଇ ଦାବି ପୂରଣ ପାଇଁ ଧାରଣା ଦେଇଥିଲେ।
Comments are closed.