BJD Bijuli 480×75 Mob

ପୁଲିସ-ଆଇନଜୀବୀ ବିବାଦ:  ସୋମବାର ଯାଏଁ କାର୍ଯ୍ୟ ବନ୍ଦ

BJD Bijuli 480×75 Mob
0

କଟକ:ପୁଲିସ-ଆଇନଜୀବୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସମାଧାନର ସୂତ୍ର ବାହାରି ପାରୁନାହିଁ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ଅଷ୍ଟମ ଦିନରେ ପହଞ୍ଚିଛି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଗିରଫ ଦାବିକରି ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନ ଅବ୍ୟାହତ ରହିଛି। ଆନ୍ଦୋଳନ ସୋମବାର ଯାଏଁ ଅବ୍ୟାହତ ରଖିବାକୁ ବାର ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦେଶକ, ଗୃହ ସଚିବ, ପୁଲିସ କମିସନରଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଫଳରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ବୁଧବାର ଅନୁଷ୍ଠିତ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୧୬୦ବାର ଆସୋସିଏସନ କର୍ମକର୍ତ୍ତାଙ୍କୁ ଏକତ୍ର ହେବା ପାଇଁ ଆଜି ନିବେଦନ କରାଯାଇଛି। ଶନିବାର ରାଜ୍ୟର ସମସ୍ତ ବାର କର୍ମକର୍ତ୍ତାଙ୍କୁ ନେଇ ହାଇକୋର୍ଟ ବାର ଆସୋସିଏସନରେ ଏକ ବୈଠକ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।
ପୁଲିସ ଆକ୍ରମଣର ଶିକାର ହୋଇଥିବା ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୨୯ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ ଆଜି ଅଷ୍ଟମ ଦିନରେ ପହଞ୍ଚିଛି।
ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ସୋମବାର ସାଧାରଣ ପରିଷଦ ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତକୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଶ୍ରୀ ମହାନ୍ତି, ଉପ ସଭାପତି ବଂଶୀଧର ଶତପଥୀ, ଯୁଗ୍ମ ସମ୍ପାଦକ ରଞ୍ଜନ ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, ସୁଲୋଚନା ପାତ୍ର, ପୃଥିବୀ ରାଜ, ସୁମିତ ଶେଖର ପଟ୍ଟନାୟକ ଓ କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ଉପ ସଭାପତି କୃପାସିନ୍ଧୁ ସାହୁ, ସମ୍ପାଦକ ନରେଶ ଚନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର, କ୍ରିମିନାଲ କୋର୍ଟ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସମ୍ପାଦକ ପ୍ରଦୀପ ପରିଡ଼ାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଗତ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଆଦେଶ ଦେଇଛନ୍ତି।

 

୭ଦିନରେ ୧୬୧୨ ବିଚାରଧୀନ ମାମଲା ବୃଦ୍ଧି; ୨୩୯୯ ମାମଲା ଦାୟର

କଟକ : ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବା ଫଳରେ ହାଇକୋର୍ଟରେ ବିଚାରଧୀନ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୯ତାରିଖଠାରୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବା ଫଳରେ କୌଣସି ମାମଲାର ଶୁଣାଣି ହୋଇପାରୁନାହି। ଫଳରେ ବିଚାରଧୀନ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୯ତାରିଖ ଠାରୁ ୪ତାରିଖ ମଧ୍ୟରେ ୧୬୧୨ ବିଚାରଧୀନ ମାମଲା ବୃଦ୍ଧି ପାଇଛି। ତେବେ ଗତ ୨୯ତାରିଖରେ ୧ଲକ୍ଷ ୬୭ହଜାର ୮୯୦ ମାମଲା ଥିବାବେଳେ ଗତ ୪ତାରିଖ ସୁଦ୍ଧା ୧ଲକ୍ଷ ୬୯ହଜାର ୫୦୨ ମାମଲାରେ ପହଞ୍ଚିଛି। ଅନ୍ୟପକ୍ଷରେ ୨୯ତାରିଖ ଠାରୁ ୫ତାରିଖ ମଧ୍ୟରେ ୨ହଜାର ୩୯୯ଟି ବିଭିନ୍ନ ପ୍ରକାର ମାମଲା ରୁଜୁ ହୋଇଛି।

Leave A Reply