www.samajalive.in
Monday, December 15, 2025
14.1 C
Bhubaneswar

ନିଦାହାସ୍‌ ଟ୍ରଫି: ବାଂଲାଦେଶ-ଭାରତ ଫାଇନାଲ

କଲମ୍ବୋ: ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି ବାଂଲାଦେଶ। ଶୁକ୍ରବାର ଏକ ରୋମାଞ୍ଚକର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କାକୁ ୨ ୱିକେଟରେ ପରାସ୍ତକରି ବାଂଲାଦେଶ ଫାଇନାଲରେ ପହଞ୍ଚିଛି। ରବିବାର ବାଂଲାଦେଶ-ଭାରତ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବାଂଲାଦେଶର ଏହି ବିଜୟରେ ହିରୋ ସାଜିଛନ୍ତି ମହମ୍ମଦୁଲ୍ଲା। ଶେଷ ୪ଟି ବଲ୍‌ରୁ ବିଜୟ ପାଇଁ ବାଂଲାଦେଶ ୧୨ ରନ୍‌ ଆବଶ୍ୟକ କରୁଥିବା ବେଳେ ୩ଟି ବଲ୍‌ରୁ ମହମ୍ମଦୁଲ୍ଲା ୧୨ ରନ୍‌ନେଇ ଦଳକୁ ଜିତାଇଥିଲେ। ଦୁଇ ପରେରା କୁଶଳ ଓ ତିସାରାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୭ ୱିକେଟରେ ୧୫୯ ରନ୍‌ କରିଥିଲା। ପରେ ତମିମ୍‌ ଇକ୍‌ବାଲଙ୍କ ଅର୍ଦ୍ଧଶତକ ବଳରେ ମହମ୍ମଦୁଲ୍ଲାଙ୍କ ବିସ୍ଫୋରକ ଅପରାଜିତ ୪୩ ରନ୍‌ ବଳରେ ଗୋଟିଏ ବଲ୍‌ ବାକିଥାଇ ୮ ୱିକେଟ ହରାଇ ବାଂଲାଦେଶ ଜିତିଥିଲା।
୧୬୦ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ବାଂଲାଦେଶ ସହଳ ଲିଟନ୍‌ ଦାସ (୦) ଓ ସାବିର ରେହ୍‌ମାନ (୧୩)ଙ୍କ ୱିକେଟ ହରାଇଥିଲା। ତେବେ ୩ୟ ୱିକେଟ ପାଇଁ ତମିମ୍‌ ଇକ୍‌ବାଲ ଓ ମୁସ୍‌ଫିକୁର ରହିମ୍‌ଙ୍କ ମଧ୍ୟରେ ଦ୍ରୁତ ୬୪ ରନ୍‌ର ଭାଗିଦାରୀ ହୋଇଥିଲା; ଯାହା ଦଳକୁ ବିଜୟର ଆଶା ଦେଇଥିଲା। ତେବେ ପରବର୍ତ୍ତୀ ୧୨ ରନ୍‌ରେ ୩ଟି ୱିକେଟ ପଡ଼ିଯିବାରୁ ବାଂଲାଦେଶ ଚିନ୍ତାରେ ପଡ଼ି ଯାଇଥିଲା। ବାମହାତି ତମିମ୍‌ ୪୨ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୫୦ ରନ୍‌ କରିଥିଲେ। ପରେ ସାକିବ୍‌ ଅଲ୍‌ ହାସନ୍‌ ଓ ମହମ୍ମଦୁଲ୍ଲା ୧୯ ବଲ୍‌ରୁ ୨୮ ରନ୍‌ ଯୋଡ଼ି ଦଳକୁ ପୁଣି ଆଶା ଦେଇଥିଲେ। ଶେଷ ୨ ଓଭରରୁ ୨୩ ରନ୍‌ ଆବଶ୍ୟକ ଥିବା ବେଳେ ମହମ୍ମଦୁଲ୍ଲା ଏକା ଲଢ଼ିଥିଲେ। ଶେଷ ୪ଟି ବଲ୍‌ରୁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ ମହମ୍ମଦୁଲ୍ଲା ୪ ଓ ୨ ରନ୍‌ ନେବା ପରେ ୫ମ ବଲ୍‌ରେ ଛକାମାରି ଦଳକୁ ଜିତାଇଥିଲେ। ମହମ୍ମଦୁଲ୍ଲା ୧୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୩ ରନ୍‌କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।ଆକିଲା ଧନଞ୍ଜୟ ୨ଟି ୱିକେଟ ନେଇଥିଲେ।
ସାକିବ୍‌ ଅଲ୍‌ ହାସନ୍‌ ଏହି ମ୍ୟାଚ୍‌ରେ ଦଳକୁ ଫେରିବା ସହ ନେତୃତ୍ୱ ନେଇଥିଲେ। ବାଂଲାଦେଶ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଏହାର ବୋଲର ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୯ମ ଓଭରରେ ମାତ୍ର ୪୧ ରନ୍‌ ସ୍କୋର୍‌ରେ ଶ୍ରୀଲଙ୍କା ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ଦନୁଷ୍କା ଗୁଣତିଳକ ୪, କୁଶଳ ମେଣ୍ଡିସ୍‌ ୧୧, ଉପୁଲ ତରଙ୍ଗା ୫, ଦାସୁନ୍‌ ଶନକ ୦ ଓ ଜୀବନ ମେଣ୍ଡିସ୍‌ ୩ ରନ୍‌କରି ବିଦାୟ ନେଇଥିଲେ। ତେବେ ବାମହାତି କୁଶଳ ପରେରା ଓ ଅଧିନାୟକ ତିସାରା ପରେରା ୬ଷ୍ଠ ୱିକେଟ ପାଇଁ ଲଢ଼ୁଆ ଭାଗିଦାରୀ କରି ଦଳର ସମ୍ମାନ ରକ୍ଷା କରିଥିଲେ। ତିସାରା ଆରମ୍ଭରୁ ଜଗିରଖି ଖେଳିଥିବା ବେଳେ ପରେ କିଛି ବଡ଼ ସଟ୍‌ ଖେଳିଥିଲେ। ଅନ୍ୟପକ୍ଷରେ ୱିକେଟ ପଡ଼ି ଚାଲିଥିଲେ ସୁଦ୍ଧା କୁଶଳ ପରେରା ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଦୁହିଁଙ୍କ ଭାଗିଦାରୀ ଯୋଗୁଁ ଶ୍ରୀଲଙ୍କା ଦେଢ଼ଶହ ରନ୍‌ ପାର କରି ପାରିଥିଲା। ଦୁଇ ବାମହାତି ୬୧ ବଲ୍‌ରୁ ୯୭ ରନ୍‌ର ଭାଗିଦାରୀ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରୁ ୩ୟ ଅର୍ଦ୍ଧଶତକ ମାରିଥିବା କୁଶଳ ପରେରା ୪୦ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୧ ରନ୍‌ କରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା ତିସାରା ପରେରା ମାତ୍ର ୩୭ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୮ ରନ୍‌ କରିଥିଲେ। ୨୧ ବଲ୍‌ରୁ ୨୧ ରନ୍‌ କରିଥିବା ତିସାରା ପରବର୍ତ୍ତୀ ୧୫ ବଲ୍‌ରୁ ୩୭ ରନ୍‌ ନେଇଥିଲେ। ମୁସ୍ତାଫିଜୁର ରେହ୍‌ମାନ ୨ଟି ୱିକେଟ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories