ଆରୋଜ୍କୁ ହରାଇ ପ୍ରିକ୍ୱାର୍ଟରରେ ମୁମ୍ବଇ ସିଟି

ଭୁବନେଶ୍ୱର: ବ୍ରାଜିଲିଆନ ମଧ୍ୟପନ୍ଥୀ ଖେଳାଳି ଏଭରଟନ୍ ଲିଣ୍ଡ୍ରୋ ସାଣ୍ଟସ୍ ପିଣ୍ଟୋଙ୍କ ଦର୍ଶନୀୟ ଗୋଲ ବଳରେ ଆଇଏସ୍ଏଲ୍ ଦଳ ମୁମ୍ବଇ ସିଟି ଏଫ୍ସି ସୁପର କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ଅତିରିକ୍ତ ସମୟ ଖେଳରେ ୨-୧ ଗୋଲ୍ରେ ଇଣ୍ଡିଆନ୍ ଆରୋଜ୍କୁ ପରାସ୍ତକରି ପ୍ରିକ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଗୋଟିଏ ଗୋଲ୍ରେ ପଛୁଆ ରହିବା ସତ୍ତ୍ୱେ ମୁମ୍ବଇ ସିଟି ଏଫ୍ସି କ୍ରମାଗତ ୨ଟି ଗୋଲ୍ଦେଇ ଏହି ବିଜୟ ହାସଲ କରିଛି।
କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅପରାହ୍ନରେ ଖେଳା ଯାଇଥିବା ୩ୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପ୍ରାରମ୍ଭରୁ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମୁମ୍ବଇ ସିଟି ଏଫ୍ସି ଅଧିକ ଆକ୍ରମଣ କରିଥିଲା। ୧୦ ମିନିଟ୍ରେ ମୁମ୍ବଇ ପକ୍ଷରୁ କାମେରୁନ୍ ମଧ୍ୟଭାଗ ଖେଳାଳି ଆଚିଲେ ଇମାନା ଇଡ୍ଜିମ୍ବିଙ୍କ ସଟ୍କୁ ଇଣ୍ଡିଆନ ଆରୋଜ୍ ଗୋଲକିପର ପି.ଏସ୍. ଗିଲ୍ ଅଟକାଇ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ୧୭ ବର୍ଷରୁ କମ୍ ବିଶ୍ୱକପ୍ ଖେଳିଥିବା ଭାରତୀୟ ଦଳର ଅଧିକାଂଶ ଖେଳାଳିଙ୍କୁ ନେଇ ଗଠିତ ଇଣ୍ଡିଆନ୍ ଆରୋଜ୍ ମଧ୍ୟ ମଝିରେ ମଝିରେ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ୨୫ତମ ମିନିଟରେ ଇମାନାଙ୍କ ଏକ ସଟ୍ ଇଣ୍ଡିଆନ ଆରୋଜ୍ ଗୋଲ୍ପ୍ରୋ ବାରର ସାମାନ୍ୟ ଉପରେ ଚାଲି ଯାଇଥିଲା। ୩୯ତମ ତମ ମିନିଟ୍ରେ ଇଣ୍ଡିଆନ ଆରୋଜ ପକ୍ଷରୁ ରାହୁଲ କିନ୍ଲୋ ପ୍ରବୀଣଙ୍କ ଏକ ସଟ୍କୁ ମୁମ୍ବାଇ ସିଟି ଏଫସି ଗୋଲକିପର ଡାଇଭ୍ମାରି ରୋକିବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧରେ ମୁମ୍ବଇ ପ୍ରଭାବ ବିସ୍ତାର କରି ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇନଥିଲା। ଦ୍ୱିତୀୟାର୍ଦ୍ଧରେ ଇଣ୍ଡିଆନ୍ ଆରୋଜ୍ ଅଧିକ ଆକ୍ରମଣ କରି ଖେଳିଥିଲା। ୬୦ ମିନିଟ୍ରେ ଦଳ ପକ୍ଷରୁ ପ୍ରବୀଣ ଗୋଲ ଦେବାର ନିଶ୍ଚିତ ଏକ ସୁଯୋଗକୁ ହାତଛଡ଼ା କରିଥିଲେ। ୭୬ ମିନିଟ୍ରେ ଆଶିଷ ରାୟଙ୍କ ପାସ୍କୁ ଇଣ୍ଡିଆନ୍ ଆରୋଜ୍ର ରାହୁଲ ପ୍ରବୀଣ ମୁମ୍ବଇର ଗୋଲରକ୍ଷକଙ୍କୁ ପରାସ୍ତକରି ଗୋଲ୍ଦେବାରେ ସକ୍ଷମ ହୋଇଥିଲେ। ଇଣ୍ଡିଆନ ଆରୋଜ୍ ବିଜୟୀ ହେବାକୁ ଯାଉଥିବା ବେଳେ ୯୦ ମିନିଟ୍ରେ ମୁଇ ସିିଟି ଏଫସିକୁ ଏକ ପେନାଲ୍ଟି ମିଳିଥିଲା। ଏଥିରୁ ଆଚିଲେ ଇମାନା ଗୋଲ୍ ଦେଇଥିଲେ। ନିର୍ଦ୍ଧାରିତ ସମୟ ୧-୧ ଗୋଲ୍ରେ ଶେଷ ହୋଇଥିଲା। ପରେ ଅତିରିକ୍ତ ସମୟ ହୋଇଥିଲା। ୧୦୪ ମିନିଟ୍ରେ ମୁମ୍ବଇର ବ୍ରାଜିଲିଆନ୍ ମଧ୍ୟପନ୍ଥୀ ଖେଳାଳି ଏଭରଟନ୍ ଲିଣ୍ଡ୍ରୋ ସାଣ୍ଟସ୍ ପିଣ୍ଟୋ ଗୋଲ୍ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଇଣ୍ଡିଆନ ଆରୋଜର ରାହୁଲ ପ୍ରବୀଣଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା।