ଦୁଇ ପୀଠ ମଧ୍ୟରେ ମତାନ୍ତର ପ୍ରସଙ୍ଗ ; ସାମ୍ବିଧାନିକ ପୀଠରେ ଫଇସଲା ହେବ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟରେ ଉପୁଜିଥିବା ମତାନ୍ତର ପ୍ରସଙ୍ଗ ଦିନକୁ ଦିନ ଜଟିଳ ରୂପ ଧାରଣ କରିବାକୁ ଯାଉଛି। ଚଳିତମାସ ଜମି ଅଧିଗ୍ରହଣ ମାମଲାରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ଓ ପରବର୍ତ୍ତୀ ସମୟରେ ଜଷ୍ଟିସ ମଦନ ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ତିନିଜଣିଆ ପୀଠ ଭିନ୍ନ ରାୟ ପ୍ରକାଶ କରିଥିଲେ। ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ଏହି ମାମଲାର ଶୁଣାଣି ସାମ୍ବିଧାନିକ ପୀଠରେ ଅନୁଷ୍ଠିତ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସୋମବାର ନିର୍ଦେଶ ଦେଇଛନ୍ତି।
ପ୍ରଥମେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଚାରିଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ୱର ଉତ୍ତୋଳନ କରିଥିଲେ। ଚଳିତମାସ ୮ରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ଜମି ଅଧିଗ୍ରହଣ ମାମଲାର ଶୁଣାଣି କରି ୨୦୧୪ରେ ସୁପ୍ରିମକୋର୍ଟର ତତ୍କାଳୀନ ତିନିଜଣିଆ ପୀଠ ଦେଇଥିବା ରାୟକୁ ଖାରଜ କରି ସାନି ରାୟ ପ୍ରକାଶ କରିଥିଲେ। ଜଷ୍ଟିସ ମିଶ୍ରଙ୍କ ପୀଠର ଏଭଳି ଆଚରଣକୁ ବରିଷ୍ଠ ବିଚାରପତିମାନେ ସମାଲୋଚନା କରିଥିଲେ। ଏପରିକି ଫେବୃଆରୀ ୨୧ରେ ଜଷ୍ଟିସ ଜୋସେଫ କୁରିଏନ, ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଅନୁରୂପ ଜମି ଅଧିଗ୍ରହଣ ମାମଲାର ଶୁଣାଣି କରିଥିଲେ। ସେହି ସମୟରେ ବରିଷ୍ଠ ସରକାରୀ ଓକିଲ ମୁକୁଲ ରୋହତୋଗୀ ପୂର୍ବ ରାୟ (୨୦୧୪) ଓ ସାନି ରାୟ (ଫେବୃଆରୀ ୮) ମଧ୍ୟରେ ରହିଥିବା ତାରତମ୍ୟ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଏଥିରେ ଜଷ୍ଟିସ କୁରିଏନ ପୂର୍ବ ରାୟକୁ (ଜଷ୍ଟିସ ଅରୁଣ ମିଶ୍ରଙ୍କ ପୀଠ) ସମାଲୋଚନା କରିଥିଲେ। ଏହାପରେ ଜଷ୍ଟିସ ଅରୁଣ ମିଶ୍ର ଏହି ମାମଲାର ଶୁଣାଣିକୁ ବୃହତ୍ତର ପୀଠରେ କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ।

Leave A Reply