ଟ୍ରେନ ଧକ୍କାରେ ୬ ସାଙ୍ଗ ମୃତ

0

ମିରଟ : ଉତ୍ତର ପ୍ରଦେଶର ହାପୁର ଜିଲା ଅନ୍ତର୍ଗତ ଫିଲାଖୁଆ ସହରରେ ରବିବାର ଟ୍ରେନ ଧକ୍କାରେ ୬ ଜଣ ସାଙ୍ଗ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ରବିବାର ରାତି ୯ଟା ସମୟରେ ଏହି ସାଙ୍ଗମାନେ ଖୁସିଗପ କରି ସାଦ୍ଦିକପୁରା ଅଞ୍ଚଳରେ ରେଳଧାରଣା ଅତିକ୍ରମ କରୁଥିବାବେଳେ ହଠାତ ସେହି ଲାଇନରେ ଏକ ଟ୍ରେନ ଆସୁଥିବା ଜାଣିପାରିଥିଲେ। କିଂକର୍ତ୍ତବ୍ୟବିମୂଢ ହୋଇ ସେମାନେ ପାର୍ଶ୍ବସ୍ଥ ରେଳଧାରଣାକୁ ଡେଇଁ ପଡିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ସାତଜଣ ସାଙ୍ଗ ରୋଷେୟା ବୋଲି ଜଣାପଡିଛି। ଏକ ବିବାହ ଭୋଜିରେ ରନ୍ଧାରନ୍ଧି କରିବା ନିମନ୍ତେ ସେମାନେ ଗାଜିଆବାଦରୁ ହାଇଦରାବାଦ ଯାଉଥିବା ଟ୍ରେନ ଧରିବାକୁ ଯାଇଥିଲେ। ତେବେ ଉକ୍ତ ଟ୍ରେନଟି ବାତିଲ ହୋଇଥିବା ଜାଣିବାପରେ ସେମାନେ ପୁଣି ବାସସ୍ଥାନକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରକାଶ।

Leave A Reply