ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଡମ୍ବ କର୍ଲାଖୁଣ୍ଟା ୟୁପି ସ୍କୁଲର ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ କୃମି ଔଷଧ ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସୂଚନା ଅନୁସାରେ ଆଜି କୃମି ଦିବସ ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଖାଇବାକୁ ଦିଆଯାଇଥିଲା। ହେଲେ ଔଷଧ ଖାଇବାର ଅଧଘଣ୍ଟା ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇଥିଲା। ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଶିକ୍ଷକ ଓ ଅଭିଭାବକମାନେ ତୁରନ୍ତ ମ.ରାମପୁର ଡାକ୍ତରଖାନାକୁ ଖବର ଦେବାପରେ ୧୦୮ ଆମ୍ବୁଲାନ୍ସ ସ୍କୁଲକୁ ଯାଇ ଅସୁସ୍ଥ ୨୦ ଜଣ ଛାତ୍ରଛାତ୍ରୀଙ୍କ ଡାକ୍ତରଖାନାକୁ ଆଣିଥିଲା। ସମସ୍ତ ଛାତ୍ରଛାତ୍ରୀ ପ୍ରଥମରୁ ସପ୍ତମ ଶ୍ରେଣୀ ରହିଥିବା ଜଣାପଡିଛି। ସଂପୃକ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଅବସ୍ଥାରେ ସୁଧାର ଆସିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।



