ଏସୀୟ ବାଳିକା ରଗ୍ବୀ ସେଭେନ୍ ଉଦ୍ଘାଟିତ; ୟୁଏଇକୁ ହରାଇଲା ଭାରତ
ଭୁବନେଶ୍ୱର: ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ରଗ୍ବୀ ପ୍ରତିଯୋଗିତା ଓଡ଼ିଶାରେ ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଛି ୩ୟ ଏସୀୟ ୧୮ ବର୍ଷରୁ କମ୍ ବାଳିକା ରଗ୍ବୀ ଚମ୍ପିଆନସିପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗିତାକୁ ଉଦ୍ଘାଟନ କରିବା ସହିତ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏସୀୟ ବାଳିକା ରଗ୍ବୀ ସେଭେନ ପ୍ରତିଯୋଗିତା ଏକ ଐତିହାସିକ ପ୍ରତିଯୋଗିତା। ପ୍ରଥମଥର ପାଇଁ ଭାରତକୁ ଆୟୋଜନ ସୁଯୋଗ ମିଳିଥିବାବେଳେ ଓଡ଼ିଶାରେ ଆୟୋଜନ ଆମ ପାଇଁ ଗୌରବର ବିଷୟ। ଆସନ୍ତା ନଭେମ୍ବରରେ ଖେଳାଯିବାକୁ ଥିବା ହକି ବିଶ୍ୱକପ ପୂର୍ବରୁ ସହରରେ କ୍ରୀଡ଼ା ମାହୋଲ ସୃଷ୍ଟିକରିବ।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେପ୍ଟାଥଲନ୍ ରାଣୀ ସ୍ୱପ୍ନା ବର୍ମନ, ପୂର୍ବତନ ରଗ୍ବୀ ଖେଳାଳି ତଥା ବଲିଉଡ୍ ତାରକା ରାହୁଲ ବୋଷ, ରଗ୍ବୀ ଇଣ୍ଡିଆ ଫୁଟବଲ ୟୁନିୟନ ଜେନରାଲ ମ୍ୟାନେଜର ନାସିର ହୁସେନ, ସଭାପତି ନାମାଜର ମେହେଟା, ଓଡ଼ିଶା ରଗବୀ ସଂଘ ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର ମହାନ୍ତି, କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ, ନିର୍ଦେଶକ ଆର. ବିନୀଳ କୃଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ ସ୍ୱପ୍ନା ବର୍ମନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।
ଉଦ୍ଘାଟନୀ ମ୍ୟାଚ୍ ପୁଲ୍ ‘ବି’ରେ ଘରୋଇ ଭାରତ ଓ ୟୁଏଇ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଭାରତୀୟ ଦଳ ଏକତରଫା ଭାବେ ମ୍ୟାଚକୁ ୨୫-୫ ପଏଣ୍ଟରେ ଜିତି ଅଭିଯାନ ଆରମ୍ଭ କରିଛି। ଓଡ଼ିଆ ଝିଅ ସୁମିତ୍ରା ନାୟକଙ୍କ ନେତୃତ୍ୱରେ ଖେଳିଥିବା ଭାରତୀୟ ଦଳ ପ୍ରଥମାର୍ଦ୍ଧ ଖେଳରେ ୧୦-୦ ପଏଣ୍ଟରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ୧୫ ଓ ୟୁଇଏ ୫ ପଏଣ୍ଟ ପାଇବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଓଡ଼ିଶାର ପାର୍ବତୀ କିସ୍କୁ ୫ ପଏଣ୍ଟ ସ୍କୋର କରିଥିଲେ। ଭାରତ ଶନିବାର ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ପରବର୍ତ୍ତି ଦୁଇ ଲିଗ୍ ମ୍ୟାଚ ଖେଳିବ। ଶୁକ୍ରବାର ୨ୟ ମ୍ୟାଚରେ ଶ୍ରୀଲଙ୍କା ୮୧-୦ରେ ବାଂଲାଦେଶକୁ, ହଂକଂ ୬୯-୦ ପଏଣ୍ଟରେ ଚାଇନିଜ୍ ତାଇପେକୁ, ଥାଇଲାଣ୍ଡ ୬୦-୦ ପଏଣ୍ଟରେ ନେପାଳକୁ, ଚୀନ୍ ୪୯-୦ ପଏଣ୍ଟରେ ଫିଲିପାଇନ୍ସକୁ ଓ କାତାର ୨୪-୦ ପଏଣ୍ଟରେ ଲାଓସ୍କୁ ପରାସ୍ତ କରିଛି। ପ୍ରତିଯୋଗିତାରେ ମୋଟ ୧୨ଟି ଦେଶ ଭାଗ ନେଇଛନ୍ତି।
ନିର୍ମାଣ ହେବ ରଗ୍ବୀ ଏକାଡେମୀ, ବିଶ୍ୱକପ ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସରକାର ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଗଢି ତୋଳିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି। ଅନ୍ତର୍ଜାତୀୟ ହକି କମ୍ପେ୍ଲକ୍ସ, ଆଥ୍ଲେଟି୍କ ଟ୍ରାକ୍, ଫୁଟ୍ବଲ ପଡ଼ିଆ, ଟେନିସ କମ୍ପେ୍ଲକ୍ସ ପରେ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ଏକାଡେମୀ, ହାଇପର୍ଫମାନ୍ସ ଆଥ୍ଲେଟିକ ଏକାଡେମୀ, କଳିଙ୍ଗ କ୍ରୀଡ଼ା କମ୍ପେ୍ଲକ୍ସ ନିର୍ମାଣ ଲାଗି ଲକ୍ଷ୍ୟ ରଖିଛନ୍ତି। ରଗ୍ବୀ ଏକାଡ଼େମୀ ନିର୍ମାଣ କରାଯିବା ସହିତ ଆଗକୁ ରଗ୍ବୀ ବିଶ୍ୱକପ ଆୟୋଜନ ପ୍ରଚେଷ୍ଟା କରାଯିବ ବୋଲି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଘୋଷଣା କରିଛନ୍ତି।
କିଟ୍ ପକ୍ଷରୁ ପୁରସ୍କାର ଘୋଷଣା
ଭୁବନେଶ୍ୱର: ରଗ୍ବୀ ହବ୍ କିସ୍ ଓ କିଟ୍ ପକ୍ଷରୁ ଏସିଆନ ବାଳିକା ରଗ୍ବୀ ସେଭେନ ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ଭାରତ ଚମ୍ପିଆନ ହେଲେ ଦଳର ପ୍ରତି ଖେଳାଳି ଓ ସହଯୋଗୀ ଷ୍ଟାଫଙ୍କୁ ୧୦ ହଜାର ଲେଖାଏଁ ଓ ରନର୍ସଅପ ହେଲେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ପ୍ରଫେସର ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି।