ଅସାଧ୍ୟ ରୋଗରେ ପୀଡିତ ଯାଆଁଳା ଭାଇ

0

ଝାରସୁଗୁଡା: ଅସାଧ୍ୟ ରୋଗରେ ବଞ୍ଚିବା କଷ୍ଟକର ହୋଇ ପଡିଛି ଯାଆଳାଁ ଭାଇଙ୍କ ଜୀବନ। ବୟସ ବଢିବା ସହ ତାଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଝାରସୁଗୁଡା ଲଖନପୁର ବ୍ଲକର ୧୯ଖଣ୍ଡ ମୌଜାର ଚାରପାଲି ପଞ୍ଚାୟତର ମୁରଲିପାଲି ଗ୍ରାମର ବନ୍ଦୋବସ୍ତ ପ୍ରଧାନ ଓ ସରସ୍ୱତୀ ପ୍ରଧାନଙ୍କ ଦୁଇ ପୁଅ ଶିବା ଓ ଦେବା ମାତ୍ର ୮ବର୍ଷ ବୟସରୁ ଅସାଧ୍ୟ ରୋଗରେ ପୀଡିତ ହୋଇଛନ୍ତି। ରୋଗର ଲକ୍ଷଣ ସ୍ୱରୂପ ସେମାନେ ପ୍ରଥମେ କିଛି ଦିନ ବ୍ୟବଧାନରେ ବେହୋସ ହେବା ପରେ ସେମାନଙ୍କ ଗୋଡ ଓ ହାତ ବଙ୍କା ହେବାର ଦେଖିବାକୁ ମିଳିଥିଲା। ସେମାନେ କୌଣସି କାର୍ଯ୍ୟ କରିବାକୁ ଅସମର୍ଥ ହୋଇ ପଡିଥିଲେ। ଦୁଇ ଭାଇ ପାଠ ପଢିବାକୁ ଇଚ୍ଛା କରିବାରୁ ପରିବାର ଲୋକେ ସେମାନଙ୍କୁ ନେଇ ପ୍ରତିଦିନ ସ୍କୁଲରେ ଛାଡୁଛନ୍ତି।

ପରିବାର ଲୋକେ ସେମାନଙ୍କୁ ପ୍ରଥମେ ରାୟଗଡା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବର୍ତ୍ତମାନ ଦୁଇ ଭାଇଙ୍କୁ ଭଲ କରିବା ନିମନ୍ତେ ତାଙ୍କୁ ବେଙ୍ଗାଲୁର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଚିକିତ୍ସା ବାବଦକୁ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବାପା ବନ୍ଦୋବସ୍ତ ପ୍ରଧାନ କହିଛନ୍ତି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବନ୍ଦୋବସ୍ତଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇଛି। ଜିଲା ପ୍ରଶାସନ, ରାଜ୍ୟ ସରକାର ଯାଆଁଳା ଭାଇଙ୍କ ଚିକିତ୍ସା ନିମନ୍ତେ କିଛି ସାହାଯ୍ୟ କଲେ ଉଭୟ ଭାଇ ଏହି ଅସାଧ୍ୟ ରୋଗରୁ ମୁକ୍ତି ପାଇ ପାରନ୍ତେ ବୋଲି କୁହାଯାଇଛି।

Leave A Reply