ଅଷ୍ଟ୍ରେଲିଆ ପ୍ରଶିକ୍ଷକ ପଦ ଛାଡ଼ିବେ ଲିମ୍ୟାନ୍‌

0

ସିଡ଼ନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ପଦରୁ ଡାରେନ୍‌ ଲିମ୍ୟାନ୍‌ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ୩ୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ବଲ୍‌ ଟାମ୍ପରିଂ କରିବାକୁ ଚେଷ୍ଟା କରିଥିବା ଦଳର ତତ୍‌କାଳୀନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ସ୍ୱୀକାର କରିଥିଲେ। ବଲ୍‌ ଟାମ୍ପରିଂ ପାଇଁ ଦଳର ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା ବୋଲି ସ୍ମିଥ୍‌ କହିଥିଲେ। ଦଳର ପ୍ରଶିକ୍ଷକ ଥିବା ଲିମ୍ୟାନ୍‌ଙ୍କ ଖେଳାଳିଙ୍କ ଉପରେ ନିୟନ୍ତ୍ରଣ ନାହିଁ ବୋଲି ଆଲୋଚନା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଲିମ୍ୟାନ୍‌ଙ୍କୁ ପ୍ରଶିକ୍ଷକ ପଦ ତ୍ୟାଗ କରିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ନିର୍ଦେଶ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।
ଇତିମଧ୍ୟରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେମ୍‌ସ ସଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ସାରିଛନ୍ତି। ସ୍ମିଥ୍‌ ବଲ୍‌ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିବା ପରେ ମାମଲାର ତଦନ୍ତ ପାଇଁ ପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଯାଇଛି। ସଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାରେ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଦୋଷୀମାନଙ୍କ ବିରୋଧରେ କି ପ୍ରକାର ଦଣ୍ଡବିଧାନ କରାଯିବ ସେ ସଂପର୍କରେ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ପରାମର୍ଶ ଦେବେ ବୋଲି କୁହାଯାଉଛି। ଏହି କ୍ରମରେ ଲି’ମ୍ୟାନ୍‌ଙ୍କୁ ଦଳର ପ୍ରଶିକ୍ଷକ ପଦ ଛାଡ଼ିବାକୁ ନିର୍ଦେଶ ଦିଆଯିବ ବୋଲି ଆଲୋଚନା ହେଉଛି। ବଲ୍‌ ଟାମ୍ପରିଂ ସଂପର୍କରେ ଏ ପର୍ଯ୍ୟନ୍ତ ଲିମ୍ୟାନ୍‌ ଗଣମାଧ୍ୟମରେ ମୁହଁ ଖୋଲୁନଥିବା ବେଳେ ସେ ନିଜ ଆଡୁ ଇସ୍ତଫା ଦେବାକୁ ପ୍ରସ୍ତୁତି ଚଳାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି ବଲ୍‌ ଟାମ୍ପରିଂ କରିବାକୁ ବରିଷ୍ଠ ଖେଳାଳିମାନେ ନିଷ୍ପତ୍ତି ନେଇଥିବା ବେଳେ ଏ ସଂପର୍କରେ ଲିମ୍ୟାନ୍‌ ଜାଣିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ଲିମ୍ୟାନ୍‌ ବରିଷ୍ଠ ଖେଳାଳିଙ୍କ ଏହି ମନ୍ତ୍ରଣାରେ ସଂଶ୍ଲିଷ୍ଟ ତେବେ ସେ ଦୋଷୀ। ଯଦି ସେ ଏ ସଂପର୍କରେ ପୂର୍ବରୁ କିଛି ଜାଣିନଥିଲେ ତାହା ଅର୍ଥ ଦଳ ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଉଭୟ ପରିସ୍ଥିତିରେ ପ୍ରଶିକ୍ଷକ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ।
ସୂଚନାଥାଉକି ୨୦୧୩ରେ ମିକି ଆର୍ଥରଙ୍କ ସ୍ଥାନରେ ଲିମ୍ୟାନ୍‌ଙ୍କୁ ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ସେ ୨୦୧୯ ଆସେସ୍‌ ସିରିଜ୍‌ ପର୍ଯ୍ୟନ୍ତ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବାକୁ ଚୁକ୍ତିବଦ୍ଧ ଅଛନ୍ତି। ତେବେ ବଲ୍‌ ଟାମ୍ପରିଂକୁ ନେଇ ଦେଖା ଦେଇଥିବା ବିବାଦ ପରେ ଲି’ମ୍ୟାନ୍‌ଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ କୁହାଯାଇପାରେ। ଅନ୍ୟପକ୍ଷରେ ମଙ୍ଗଳବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ୍‌ ଟର୍ନବୁଲ୍‌ କ୍ରିକେଟ୍‌ ଅଷ୍ଟ୍ରେଲିଆର ଅଧ୍ୟକ୍ଷ ଡେଭିଡ ପେଭେରଙ୍କ ସହ ଆଲୋଚନା କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ବଲ୍‌ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ବିଶ୍ୱ ଦରବାରରେ ନିନ୍ଦିତ ହୋଇଥିବାରୁ ଏଥିରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି ଟର୍ନବୁଲ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି କ୍ରିକେଟ୍‌ରେ ଜାରି ସ୍ଲେଜିଂକୁ ବନ୍ଦ କରିବାକୁ କଠୋର ଦଣ୍ଡ ଲାଗୁ କରିବାକୁ ଟର୍ନବୁଲ ମତ ଦେଇଛନ୍ତି। କ୍ରିକେଟ୍‌ ଭଦ୍ରଲୋକଙ୍କ ଖେଳ ହୋଇଥିବାରୁ ଏଥିରେ ସ୍ଲେଜିଂର କୌଣସି ସ୍ଥାନ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

Leave A Reply