www.samajalive.in
Saturday, December 6, 2025
15.1 C
Bhubaneswar

ଅକ୍ଷମଣୀୟ ଅବହେଳା

ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବା ସମୟରେ ଢେଙ୍କାନାଳ ବନାଞ୍ଚଳ ଅନ୍ତର୍ଗତ କମଳାଙ୍ଗା ଗଁାରେ ଏକକାଳୀନ ସାତଟି ଗଜରାଜଙ୍କ ମୃତ୍ୟୁ ଅତୀବ ଦୁଃଖଦାୟକ। ତେବେ ଏହି ଘଟନାଟିକୁ ଅନୁଧ୍ୟାନ କଲେ ଏହା ଯେ ସମ୍ପୂର୍ଣ୍ଣ ମନୁଷ୍ୟକୃତ ଏବଂ ପ୍ରାଶାସନିକ ଅବହେଳାର ଦୁଷ୍ପରିଣାମ ତାହା ସହଜରେ ବୁଝିହୁଏ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରମ୍ବାର ହାତୀଙ୍କ ମୃତ୍ୟୁ ହେଉଥିବାବେଳେ ଶକ୍ତିବିଭାଗ ବା ବନ ବିଭାଗ ଏ ନେଇ ଯତ୍ନଶୀଳ ନହେବା ନିଶ୍ଚୟ ଅକ୍ଷମଣୀୟ। ଏବେ ସାତଟି ହାତୀଙ୍କ ମୃତ୍ୟୁ ପରେ ବନ ଓ ଶକ୍ତିବିଭାଗର ସାତଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସ୍ବାଗତଯୋଗ୍ୟ; କିନ୍ତୁ କେତେକ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିଦେଲେ ପ୍ରକୃତ ସମସ୍ୟାର ସମାଧାନ ହୋଇଯିବ ନାହିଁ। ତେଣୁ ସମସ୍ୟା କେଉଁଠି ଓ ତା’ର ସମାଧାନ କିପରି ହେବ, ସେ ନେଇ ନୀତି ନିର୍ଦ୍ଧାରଣକାରୀ ଉଚ୍ଚ କର୍ତ୍ତୃପକ୍ଷ ଚିନ୍ତା କରିବାର ସମୟ ଉପଗତ। ବନ ବିଭାଗ ଓ ଶକ୍ତି ବିଭାଗ ପରସ୍ପର ମୁଣ୍ଡରେ ଅଠା ବୋଳୁଛନ୍ତି, ଯାହା ସ୍ପୃହଣୀୟ ନୁହେଁ। ଏଥିରେ ଉଭୟ ବିଭାଗ ହିଁ ସମ ପରିମାଣରେ ଦାୟୀ।
ଖବର ଅନୁଯାୟୀ, ଏକ ରେଳସେତୁ ନିର୍ମାଣ ନିମନ୍ତେ ୧୧ କେଭି ବିଦ୍ୟୁତ୍ ସଂଯୋଗ ପାଇଁ ରେଙ୍ଗାଳି ଉପଶାଖା କେନାଲ ହୁଡ଼ାରେ ନିର୍ଦିଷ୍ଟ ଉଚ୍ଚତାଠାରୁ କମ୍ ଦୂରରେ ବିପଜ୍ଜନକ ଭାବେ ତାର ଟଣାଯାଇଥିଲା। ଏ ସମ୍ପର୍କରେ ୨୦୧୭ରୁ ସ୍ଥାନୀୟ ବନ ଅଧିକାରୀ ବାରମ୍ବାର ଶକ୍ତି ବିଭାଗକୁ ଜଣାଇବା ସହ ବିଦ୍ୟୁତ୍ ବିଚ୍ଛିନ୍ନ କରିବାକୁ ଅନୁରୋଧ କରିଥିଲେ ହେଁ କିଛି ପଦକ୍ଷେପ ନିଆଯାଇନଥିଲା। ସେହି ପଥଦେଇ ହାତୀମାନେ ଯାତାୟାତ କରୁଥିବା ନୂଆ ନଥିଲା; ତେଣୁ ଏହାକୁ ଉଭୟ ବିଭାଗ ଯେତିକି ଗୁରୁତ୍ବ ଦେବା କଥା, ତାହା ଦେଇନଥିବା ଘଟଣାରୁ ସ୍ପଷ୍ଟ। ସୂଚନା ଅନୁସାରେ, ଗତ ଆଠ ବର୍ଷ ଭିତରେ ରାଜ୍ୟରେ ୬୦୦ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ବିଦ୍ୟୁତ୍ ସଂସ୍ପର୍ଶରେ ୧୭୫ଟି ହାତୀଙ୍କ ଜୀବନ ଯାଇଛି। ଓହଳି ରହିଥିବା ଉଚ୍ଚକ୍ଷମତାସଂପନ୍ନ ବିଦ୍ୟୁତ୍ ତାରଗୁଡ଼ିକ କେବଳ ପଶୁଙ୍କ ପାଇଁ ନୁହେଁ, ମଣିଷ ପାଇଁ ମଧ୍ୟ ଘାତକ ହେଉଛି। ଏହା ଜାଣିଥିବା ସତ୍ତ୍ବେ ଶକ୍ତିବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରିବା ତା’ର ଦାୟିତ୍ବହୀନତାକୁ ହିଁ ଦର୍ଶାଉଛି। ଅନ୍ୟପକ୍ଷରେ ହାତୀଙ୍କ ଚଳପ୍ରଚଳ ନେଇ ଅବଗତ ଥିବା ସତ୍ତ୍ବେ ବନ ବିଭାଗ କର୍ମଚାରୀମାନେ ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ନଘଉଡ଼ାଇବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ହାତୀ-ମଣିଷର ସୁରକ୍ଷା ପାଇଁ ଏହି ଉଭୟ ବିଭାଗ ନିଜନିଜ ଦାୟିତ୍ବକୁ ଠିକ୍‌ରୂପେ ତୁଲାଇବାର ଆବଶ୍ୟକତା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories