www.samajalive.in
Friday, December 12, 2025
14.1 C
Bhubaneswar

କରୋନାବେଳେ ଜିମ୍ବାୱେରେ ବଢ଼ିଛି ନାବାଳିକା ମାତୃତ୍ବ

ହରାରେ,୧୩ା୧: ଜିମ୍ବାୱେରେ କରୋନା ମହାମାରୀ ମଧ୍ୟରେ ଏକ ନୂଆ ସାମାଜିକ ସମସ୍ୟା ମୁଣ୍ଡ ଟେକିଛି। ଏହାର ସମାଧାନ ପାଇଁ ବ୍ୟାପକ ସଂକ୍ରମଣ ତଥା ତାଲାବନ୍ଦ ସତ୍ତ୍ବେ ସରକାର ବିଦ୍ୟାଳୟ ଖୋଲିବାକୁ ଏବଂ ନାବାଳିକାଙ୍କୁ ସେଠାକୁ ପଠାଇବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଏହାର କାରଣ ହେଉଛି, ତାଲାବନ୍ଦ ସମୟ ମଧ୍ୟରେ ଦେଶରେ ନାବାଳିକାଙ୍କ ଗର୍ଭଧାରଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ପ୍ରାୟ ୧୫ ନିୟୁତ ଜନତା ଦୀର୍ଘ ୬ ମାସ ଧରି ତାଲାବନ୍ଦରେ ରହିବା ଦ୍ବାରା ଏହି ସମସ୍ୟା ଉପୁଜିଥିବା ସରକାର ମନେ କରୁଛନ୍ତି। ସେମାନେ ଉପଯୁକ୍ତ ସ୍ବାସ୍ଥ୍ୟ ପରାମର୍ଶରୁ ବଞ୍ଚିତ ହେଉଥିବା ଏବଂ ଆବଶ୍ୟକ ଡାକ୍ତରୀ ସହାୟତା ପାଉ ନ ଥିବା କାରଣରୁ ନାବାଳିକା ମାତୃତ୍ବ ଏବଂ ଯୌନ ନିର୍ଯାତନା ଏବେ ଉତ୍କଟ ହୋଇଛି। ନାବାଳିକାମାନେ ପାଠପଢ଼ା ଓ ଅନ୍ୟ କାର୍ଯ୍ୟ ଛାଡ଼ି ଏବେ ମାତୃତ୍ବର ବୋଝ ବୋହି ବୁଲୁଛନ୍ତି। ଦାରିଦ୍ର୍ୟ ଓ ଅଶିକ୍ଷା ଆଦି କାରଣରୁ ଦେଶରେ ବାଲ୍ୟ ବିବାହ ଏକ ସମସ୍ୟା ହୋଇ ରହିଛି; କିନ୍ତୁ କରୋନା କାଳରେ ଏହା ବଢ଼ିଯାଇଛି। ମାତ୍ର ୧୨ ବା ୧୩ ବର୍ଷୀୟାମାନେ ଏବେ ଗର୍ଭବତୀ ହୋଇଥିବାବେଳେ ମା’ ହୋଇ ଶିଶୁଙ୍କ ଲାଳନପାଳନ କରୁଛନ୍ତି। ତଥ୍ୟାନୁସାରେ ୧୮ ବର୍ଷ ହେବା ପୂର୍ବରୁ ପ୍ରତି ତିନି ଜଣରେ ଜଣେ ନାବାଳିକା ମାତୃତ୍ବର ବୋଝ ବୋହୁଛନ୍ତି ବା ବିବାହ କରିପକାଉଛନ୍ତି। ଗର୍ଭଧାରଣ ଯୋଗୁଁ ଗତ ବର୍ଷ ପ୍ରଥମ ତିନି ମାସ ମଧ୍ୟରେ ୫୦୦୦ରୁ ଅଧିକ ଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ଏହାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କୁ ସଚେତନ କରାଯିବା ଆରମ୍ଭ ହୋଇଛି। ସେମାନଙ୍କୁ ଔଷଧ ବଣ୍ଟନ ସହ ବିଭିନ୍ନ ତାଲିମ ମଧ୍ୟ ଦିଆଯାଉଛି। ୧୬ବର୍ଷରୁ କମ୍‌ କିଶୋରୀ ଗର୍ଭଧାରଣ କଲେ ଉଭୟଙ୍କୁ ଅନ୍ୟୂନ ୧୦ବର୍ଷର କାରାଦଣ୍ଡ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ଖୋଲିଲେ ଏହି ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବ ବୋଲି ଚିନ୍ତା କରାଯାଉଛି। ଏହାକୁ ବିରୋଧ କରୁଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଚେତାବନୀ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଦେଶର ଜଣେ ପ୍ରାଦେଶିକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ସେ ଛାତ୍ରୀଙ୍କୁ ବହି ଖୋଲିବା ପାଇଁ ଆହ୍ବାନ ଦେବା ସହ ଶରୀରକୁ ଆବୃତ୍ତ କରି ରଖିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କର ମନ୍ତବ୍ୟରେ କିଛିଟା ଅଶାଳୀନ ଶବ୍ଦ ରହିଥିବାରୁ ମହିଳା ସାମାଜିକ କର୍ମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories