ରସିକିଆ ଯୁବକକୁ ଧରିଲା ପୁଲିସ

ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବିବାହ କରିଥିଲେ

ଭୁବନେଶ୍ୱର : ନିଜକୁ ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଜଣେ ରସିକିଆ ଯୁବକକୁ ଏୟାରଫିଲ୍ଡ ଥାନା ପୁଲିସ କାବୁ କରି କଟକ ସଦର ଥାନାକୁ ହସ୍ତାନ୍ତର କରିଛି। ରସିକିଆ ଯୁବକ ହେଲେ ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ସମୀର ବେଜ୍‌।
ସୂଚନା ଅନୁଯାୟୀ, ସମୀର ପୁନାମାଗେଟସ୍ଥିତ ଘରୋଇ ଟ୍ୟୁ‌େ‌ଟାରିଆଲ ସଂସ୍ଥାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। କିନ୍ତୁ ସେ ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ବୈବାହିକ ଅନଲାଇନ ସାଇଡରେ ମିଛ ତଥ୍ୟ ଦେଉଥିଲେ। ଏଭଳି ଏକାଧିକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେମାନଙ୍କ ସହ ସ୍ବାମୀ ସ୍ତ୍ରୀ ଭାବେ ଲିଭ୍‌ ଇନ୍ ରିଲେସନସିପ୍‌ରେ ରହି ଅୟସ କରୁଥିଲେ। କଟକ ଜିଲା ସଦର ଥାନା ଅନ୍ତର୍ଗତ ଖଲର୍ଦା ଅଞ୍ଚଳରେ ଜଣେ ଯୁବତୀଙ୍କୁ ୨୦୧୯ରେ ବିବାହ କରିଥିଲେ। ବିବାହ ପରେ ମହିଳାଙ୍କୁ ନିର୍ଯାତନା ଦେଉଥିଲେ। ସମୀର ଅଧିକାଂଶ ସମୟ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତ କରି ସେଠାରେ ଏକାଧିକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ। ରାଜସ୍ଥାନରେ ତାଙ୍କ ନାଁରେ ଫ୍ଲାଟ୍‌ ଅଛି, ଦିଲ୍ଲୀରେ ଫାର୍ମ ହାଉସ ଅଛି ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ବିବାହ ପରେ ନିର୍ଯାତନା ଦେବା ସହ ତାଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଆଦି ଆତ୍ମସାତ କରୁଥିବା ମହିଳା ଅଭିଯୋଗ କରିଛନ୍ତି।
ଏ ନେଇ ଖଲର୍ଦା ଅଞ୍ଚଳର ମହିଳା କଟକ ସଦର ଥାନାରେ ସମୀରଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେବେଠାରୁ ସମୀର ଫେରାର ହୋଇଯାଇଥିଲେ। ଗତକାଲି ରାତିରେ ସମୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍‌ ପ୍ଲାଜାସ୍ଥିତ ଏକ ଭଡ଼ାଘରେ ଜଣେ ଯୁବତୀଙ୍କ ସହ ରହୁଥିବା ମହିଳା ଜାଣିବା ପରେ ଭାଇ ଦୁଷ୍ମନ୍ତ ଓ ତାଙ୍କର କିଛି ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ସେ ସମୟରେ ସମୀର ଯୁବତୀଙ୍କୁ ଖସାଇ ଦେଇ ପୁଲିସ କ‌େ‌ଣ୍ଟ୍ରାଲ ରୁମ୍‌ ୧୧୨କୁ ଫୋନ୍‌ କରିଥିଲେ । ପିସିଆର ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଧରି ଏୟାରଫିଲ୍ଡ ଥାନା ପୁଲିସ ଜିମା ଦେଇଥିଲା। କଟକ ସଦର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏୟାରଫିଲ୍ଡ ଥାନା ପୁଲିସ ସମୀରକୁ ଧରି ସଦର ଥାନା ପୁଲିସ ଜିମା ଦେଇଥିବା ଥାନା ନିରୀକ୍ଷକ ରାଧାକାନ୍ତ ସାହୁ କହିଛନ୍ତି।
ସୂଚନାଯୋଗ୍ୟ, ନିଜକୁ ଡାକ୍ତର ଓ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ନିର୍ଦେଶକ ବୋଲି ପରିଚୟ ଦେଇ ପ୍ରାୟ ୧୮ଜଣ କର୍ମଜୀବୀ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅଧୀନ ସିଂଘଳ ଗ୍ରାମର ଅଭିଯୁକ୍ତ ରମେଶ ଚନ୍ଦ୍ର ସ୍ବାଇଁକୁ ପୁଲିସ ପୂର୍ବରୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ସେହିପରି ଗତ ଏପ୍ରିଲ ୨୩ରେ ମହିଳାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ବିବାହ କରିଥିବା କଟକ ଅଞ୍ଚଳର ଡ. ଆଶିଷ କୁମାର ପଟ୍ଟନାୟକଙ୍କୁ ମହିଳା ଥାନା ପୁଲିସ ପାହାଳ ଥାନା ଅଞ୍ଚଳରୁ ଗିରଫ କରିଥିଲା। ଗିରଫ ଡାକ୍ତର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଭାବେ ଚାକିରି କରୁଥିଲେ। ଡାକ୍ତର ଏକାଧିକ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ସେ ତିନୋଟି ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଥିଲା।

kalyan agarbati

Comments are closed.