ଭୁବନେଶ୍ୱର: ନିଜେ ଚୋରି କରୁଥିଲେ, ପୁଣି ଚୋରି କର ନାହିଁ ବୋଲି ୟୁଟ୍ୟୁବ ଖୋଲି ସେଥିରେ ପ୍ରବଚନ ଦେଉଥିଲେ ।ଏଭଳି ଜଣେ ୟୁଟ୍ୟୁବରଙ୍କୁ ବାନ୍ଧିଛି ପୋଲିସ । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି । ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି । ତାଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍, ଲୁହା ରଡ୍ ଆଦି ଜବତ ହୋଇଛି ।
ସେ ‘ଚେଞ୍ଜ ୟୋର ଲାଇଫ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିଲେ । ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ । ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି । ରାଜଧାନୀର ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲା ତାଙ୍କ ନାଁ ରେ ରହିଛି । ପୋଲିସ ଅଭିଯୁକ୍ତ ମନୋଜ ସିଂହଙ୍କୁ ଗିରଫ କରି ଆହୁରି ପଚରାଉଚରା କରୁଛି ।



