ନୂଆଦିଲ୍ଲୀ: ଜଣେ ମୋବାଇଲ ଉପଭୋକ୍ତାଙ୍କ ନାମରେ ଜାରି ହୋଇଥିବା ସିମ୍ କାର୍ଡର କୌଣସି ପ୍ରକାର ଅପବ୍ୟବହାର ହେଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଦାୟୀ ରହିବେ ବୋଲି ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାର ଟେଲିକମ୍ ମନ୍ତ୍ରଣାଳୟ ଜାରି କରିଥିବା ସତର୍କ ସୂଚନାରେ ଉପଭୋକ୍ତାମାନଙ୍କୁ ନିଜ ମୋବାଇଲରେ ନକଲି ବା ଜାଲ୍ ଆଇଏମଇଏ ନମ୍ବର ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଜାଲ୍ ବା ନକଲି ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟ ଆଇଡେଣ୍ଟଟିଟି (ଆଇଏମଇଆଇ) ବ୍ୟବହାର ଦ୍ବାରା ମୋବାଇଲ ଉପଭୋକ୍ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ।
ଟେଲିକମ୍ୟୁନିକେସନ ଆଇନ ୨୦୨୩ ଅନୁଯାୟୀ ଜାଲ୍ ଆଇଏମଇଆଇ ବ୍ୟବହାର କ୍ଷେତ୍ରରେ ଜଣେ ବ୍ୟକ୍ତିକୁ ୩ବର୍ଷ ଜେଲ୍ କିମ୍ବା ୫୦ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ। ସାଧାରଣତଃ ମୋଡେମ୍, ମଡ୍ୟୁଲ, ସିମ୍ ବକ୍ସ, ଆସେମ୍ବ୍ଲି କରାଯାଇଥିବା ମୋବାଇଲ ହ୍ୟାଣ୍ଡସେଟ୍ରେ ନକଲି ଆଇଏମଇଆଇ ବ୍ୟବହାର ସମ୍ଭବ ହୋଇଥାଏ। ନିଜ ନାମରେ ଥିବା ସିମ୍ କାର୍ଡର ଦୁରୁପଯୋଗରୁ ଦୂରେଇ ରହିବାକୁ ହେଲେ ନିଜର ସିମ୍କାର୍ଡକୁ ଅନ୍ୟକୁ ନଦେବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ଜାଲ୍ କାଗଜପତ୍ର ମାଧ୍ୟମରେ ସିମ୍ କାର୍ଡ କ୍ରୟ କରିବାରୁ ଦୂରେଇ ରହିବାକୁ କୁହାଯାଇଛି। ଜଣେ ଉପଭୋକ୍ତା ନିଜର ଆଇଏମ୍ଇଏ ତଥ୍ୟକୁ ସଞ୍ଚାର ସାଥି ପୋର୍ଟାଲ କିମ୍ବା ସଞ୍ଚାର ସାଥି ମୋବାଇଲ ଆପ୍ ମାଧ୍ୟମରେ ଯାଞ୍ଚ କରିପାରିବେ। ଏଥିରେ ମୋବାଇଲ କମ୍ପାନୀ ନାମ, ମଡେଲ, ମ୍ୟାନୁଫ୍ୟାକଚରିଂ ତଥ୍ୟ ମିଳିପାରିବ।



