କଂଗ୍ରେସ, ଜେଡି(ଏସ୍‍)କୁ ଶକ୍ତ ଧକ୍କା:ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ

0

ବେଙ୍ଗାଲୁରୁ :  ୟେଦୁରପ୍ପାଙ୍କ ଶପଥ ଗ୍ରହଣ ରୋକିବା ପାଇଁ  କଂଗ୍ରେସ ଓ ଜେଡି(ଏସ୍‍) ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଯାଇଛି। ଫଳରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ନେଇ ଦେଖା ଦେଇଥିବା ଆଶଙ୍କାର ଅବସାନ ଘଟିଛି।  ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ ଲଗାଇବାକୁ ଅଦାଲତ ମନା କରିଦେଇନ୍ତି। ଏହା ଦ୍ବାରା କଂଗ୍ରେସ ଓ ଜେଡି(ଏସ୍‍) ପକ୍ଷରୁ କରାଯାଉଥିବା ପ୍ରୟାସକୁ ଶକ୍ତ ଧକ୍କା ଲାଗିଛି। ତେବେ କେତେ ଦିନ ମଧ୍ୟରେ  ୟେଦୁରପ୍ପାଙ୍କୁ ବହୁମତ ପ୍ରମାଣ କରିବାକୁ ପଡିବ ତାହା ସ୍ପଷ୍ଟ ହୋଇ ନାହିଁ। ଅଦାଲତ ସମସ୍ତଙ୍କୁ ନିଜର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି । ଦୀର୍ଘ ସମୟ ଧରି ଅଦା​‌ଲତରେ ଏନେଇ ଶୁଣାଣି ହୋଇଥିଲା। ତେବେ ଚୁଡାନ୍ତ ରାୟକୁ ପ୍ରତୀକ୍ଷା କରାଯାଇଛି।

ନୂଆ ସରକାର ଗଠନ କରିବାକୁ ରାଜ୍ୟପାଳ ବିଜେପିକୁ  ଆମନ୍ତ୍ରଣ କରିବା ପରେ କଂଗ୍ରେସ ଓ ଜେଡି(ଏସ୍‍) ଯେଉଁ ବିବାଦ ସୃଷ୍ଟି କରିଥିଲେ  ତାହାର ଅବସାନ ଘଟିଛି। ସରକାର ଗଠନ କରିବାକୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ  ଆମନ୍ତ୍ରଣ କରିବା ପରେ ଏହାର  ପ୍ରତିବାଦ କରି   ବି. ଏସ ୟେଦୁରପ୍ପା ଙ୍କ ଶପଥ ଗ୍ରହଣ ଉତ୍ସବ ରେକିବା ପାଇଁ  କଂଗ୍ରେସ ଓ ଜେଡି(ଏସ୍‍) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ପାଖରେ ଏ ନେଇ ଦୁଇ ଦଳ ପକ୍ଷରୁ ଆବେଦନ କରାଯାଇଥିଲା । ଫଳରେ ରାତାରାତି ଏହା ଉପରେ ଶୁଣାଣୀ କରାଯିବାକୁ ନିଷ୍ପତ୍ତି ହୋଥିଲା । ସୁପ୍ରିମକୋର୍ଟର  ପ୍ରଧାନ ବିଚାରପତି ରାତି ଅଧରେ ଏହାର ଶୁଣାଣୀ ପାଇଁ  ୩ ଜଣିଆ ବେଞ୍ଚ ଗଠନ କରିଥିଲେ।  କୋର୍ଟ ନଂ ୬ରେ ୧.୪୫ ମିନିଟରେ ଏହି ଶୁଣାଣୀ ଆରମ୍ଭ ହୋଇଥିଲା। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ  ଏ.କେ ସିକ୍ରି ଏବଂ ଜଷ୍ଟିସ ଗୋବଡେ ଆବେଦନ ଉପରେ ଶୁଣାଣି  କରିଥିଲେ।

କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ ନିଜର ଯୁକ୍ତି ଉପସ୍ଥାପନ କରିଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ଅଟର୍ଣ୍ଣି ଜେନେରାଲ ମୁକୁଲ ଏସ ରୋହତଗୀ ମାମଲା ପରିଚଳନା କରୁଥିଲେ। ସେହପରି ସରକାରଙ୍କ ପକ୍ଷରୁ ଏଜିଏସ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ। ଅଟର୍ଣ୍ଣି ଜେନେରାଲ କେ. କେ ବେଣୁଗୋପାଳ ମଧ୍ୟ ଏହି ସମୟରେ ଅଦାଲତରେ ଉପସ୍ଥିତ ରହି ରାଜ୍ୟପାଳଙ୍କ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢିଥିଲେ।

Leave A Reply