ଜାକର୍ତ୍ତା : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଆଲୋଚନା ହୋଇଛି। ଇଣ୍ଡୋନେସିଆର ବାଲି ଦ୍ବୀପରେ ହେବାକୁ ଯାଉଥିବା ଦୁଇଦିନିଆ ଜି-୨୦ ସମ୍ମିଳନୀ ପୂର୍ବରୁ ସୋମବାର (ନଭେମ୍ବର ୧୪)ରେ ବିଶ୍ବର ଏହି ଦୁଇ ମହାନେତାଙ୍କର ସାକ୍ଷାତ ହୋଇଛି। ଦୁଇ ନେତା କରମର୍ଦ୍ଦନ କରିବା ସହିତ ପରସ୍ପରକୁ ସ୍ବାଗତ କରିଥିଲେ। ୨୦୨୦ରେ ବାଇଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଜିନପିଙ୍ଗଙ୍କ ସହିତ ତାଙ୍କର ଏହା ପ୍ରଥମ ସାକ୍ଷାତ। ପୂର୍ବରୁ ଉଭୟଙ୍କ ମଧ୍ୟରେ ଯେତେସବୁ କଥାବାର୍ତ୍ତା ବା ଆଲୋଚନା ହୋଇଥିଲା ତାର ମାଧ୍ୟମ ଥିଲା ଟେଲିଫୋନ ଓ ଭିଡିଓ କନଫରେନ୍ସିଂ। ଆଜିର ସାକ୍ଷାତକାଳରେ ଉଭୟ ନେତା କହିଛନ୍ତି ଯେ ବିଶ୍ବ ପରମାଣୁ ଯୁଦ୍ଧ ଆଡକୁ ଯାଉଥିବାବେଳେ ଏହାକୁ ଏଡାଯିବା ଦରକାର। ଆଉ ଏହି ପରମାଣୁ ଯୁଦ୍ଧକୁ ଏଡାଇବା ଲାଗି ଉଭୟ ନେତା ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଆଉ ମଧ୍ୟ ଜିନପିଙ୍ଗ କହିଛନ୍ତି ଯେ ଆମେରିକା ଓ ଚୀନ ସମ୍ପର୍କରେ ଉନ୍ନତି ଆଣିବା ଲାଗି ସେ ଆଗ୍ରହୀ। ସେ କହିଛନ୍ତି ଯେ ଉଭୟ ଦେଶ ନିଜର ମତଭେଦକୁ ଦୂର କରିବା ଦରକାର। ଏଥିପାଇଁ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିବା ଉଚିତ୍ ନୁହେଁ। ଚୀନ ଗଣମାଧ୍ୟମ କହିଛି ଯେ ଆମେରିକା ଓ ଚୀନ ନିଜ ନିଜର ବିକାଶ କରିବା ନିମନ୍ତେ ଏହି ବିଶ୍ବ ବହୁତ ବଡ। ତେଣୁ ସେମାନେ ନିଜର ପ୍ରତିଯୋଗିତା ମନୋଭାବ ଛାଡିବା ଦରକାର।
ସାକ୍ଷାତ କାଳରେ ବାଇଡେନ ରୁଷ୍-ୟୁକ୍ରେନ ଯୁଦ୍ଧ, ଉତ୍ତର କୋରିଆର ପରମାଣୁ ଅସ୍ତ୍ର ତିଆରି, ତାଇୱାନ ଭଳି ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରୁଷ୍ର ପରମାଣୁ ଯୁଦ୍ଧ ଧମକ ଓ ଉତ୍ତର କୋରିଆର ପରମାଣୁ ଅସ୍ତ୍ର ତିଆରିକୁ ନେଇ ବାଇଡେନ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ସହିତ ଜଳବାୟୁ ପରିବର୍ତ୍ତନ, ଚୀନର ଜିନଜିଆଙ୍ଗ, ତିବ୍ବତ ଓ ହଂକଂରେ ହେଉଥିବା ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗକୁ ଜିନପିଙ୍ଗ ଆଗରେ ଉଠାଇଥିଲେ। ସେହିପରି ତାଇୱାନ ଉପରେ ଚୀନ ନିଜର ସାର୍ବଭୌମତ୍ବ ଜାହିର କରିବାକୁ ଚଳାଇଥିବା ଉଦ୍ୟମ ପ୍ରସଙ୍ଗ ବାଇଡେନ ଉଠାଇଥିଲେ। ହ୍ବାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅପରାହ୍ଣ ୩ଟା ୧୧ରେ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କଥାବାର୍ତ୍ତା କାଳରେ ଉଭୟ ଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି କଥାବାର୍ତ୍ତା ୩ଘଣ୍ଟାରୁ ଅଧିକ ସମୟ ଚାଲିଥିଲା। ବାଇଡେନଙ୍କୁ ଜିନପିଙ୍ଗ କହିଛନ୍ତି ଯେ ଅନେକ ପ୍ରସଙ୍ଗରେ ଆମେରିକା ଓ ଚୀନର ମିଳିତ ସ୍ବାର୍ଥ ରହିଛି। ତେଣୁ ଏହି ମିଳିତ ସ୍ବାର୍ଥ ଯଥା ଜଳବାୟୁ ପରିବର୍ତ୍ତନକୁ ରୋକିବା, ବିଶ୍ବ ଖାଦ୍ୟ ଶୃଙ୍ଖଳା, ଅର୍ଥନୀତିରେ ସ୍ଥିରତା ଦିଗରେ ଉଭୟ ମିଳିମିଶି କାମ କରିବା ଦରକାର।
ସୂଚନାଯୋଗ୍ୟ ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ଚୀନକୁ ଉତ୍ତେଜିତ କରିଥିଲା। ସେହିପରି ରୁଷ୍-ୟୁକ୍ରେନ ଯୁଦ୍ଧରେ ରୁଷ୍ ସମକ୍ଷରେ ଚୀନ ରହିଥିବାବେଳେ ୟୁକ୍ରେନ ସପକ୍ଷରେ ଆମେରିକା ରହିଛି। ଉତ୍ତର କୋରିଆର ଘନ ଘନ କ୍ଷେପଣାସ୍ତ୍ର ପରୀକ୍ଷା ମଧ୍ୟ ଦୁଇ ଦେଶର ସମ୍ପର୍କକୁ ତିକ୍ତ କରିଥିଲା।
ଜିନ୍ପିଙ୍ଗ-ବାଇଡେନ ପ୍ରଥମ ସାକ୍ଷାତ ଆଲୋଚନା : ପରମାଣୁ ଯୁଦ୍ଧ ଏଡ଼ାଇବାକୁ ଉଭୟଙ୍କ ସମ୍ମତି
Popular Categories



