ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

କେନ୍ଦୁଝରଗଡ଼: ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରି ସାଧାରଣରେ ସଚେତନତା ସୃଷ୍ଟି କରିଥିଲା। ଏହାପରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ଯକ୍ଷ୍ମାକୁ କିଭଳି ଜୟ କରିହେବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ଅଧିକ୍ଷକ ଡାକ୍ତର ବିନୋଦ ବିହାରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମାଗଣାରେ ଯକ୍ଷ୍ମା ରୋଗର ପରୀକ୍ଷା ଓ ଚିକିତ୍ସା ସେବା ଉପଲବ୍ଧ ହେଉଥିବାରୁ ଏହାର ସୁଫଳ ନେବାକୁ ଆହ୍ୱାନ ଦେଇଥିଲେ। ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗୌରଚନ୍ଦ୍ର ମିଶ୍ର ଯୋଗଦେଇ ଯକ୍ଷ୍ମା ରୋଗର ଲୋପ କରିବାକୁ ହେଲେ ରୋଗୀ ସଚେତନ ହୋଇ ନିୟମିତ ଚିକିତ୍ସା ହେବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଯକ୍ଷ୍ମା ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲମ ମହାନ୍ତି ଯୋଗଦେଇ ଚଳିତ ବର୍ଷର ବାର୍ତ୍ତା ‘ପ୍ରତିବଦ୍ଧତା, ନିବେଶ ଏବଂ ସଫଳ କାର୍ଯ୍ୟାନ୍ୱୟନ ଦ୍ୱାରା ଯକ୍ଷ୍ମାର ଅନ୍ତ କରିବା ସମ୍ଭବ’ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ୨୦୨୫ ଶେଷ ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଏନଏମ୍‌‌ ଛାତ୍ରୀ, ନର୍ସିଂ ଅଫିସର ଓ ପାରାମେଡିକାଲ କର୍ମଚାରୀଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଭରତ କୁମାର ସାହୁ ଓ ଏସଏ ବୃନ୍ଦାବନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Comments are closed.