ଯକୃତ ପ୍ରଦାହ ରୋଗର କାରଣ ଓ ନିରାକରଣ

ବିଶ୍ବ ହେପାଟାଇଟିସ୍‌ ଦିବସ ଉପଲକ୍ଷେ

ଯକୃତ ପ୍ରଦାହ ବା ହେପାଟାଇଟିସ୍‌ ଏକ ଭୂତାଣୁ ଜନିତ ରୋଗ ଯାହା ସମଗ୍ର ବିଶ୍ବରେ ଦେଖାଯାଇଥାଏ। ଦୁଇଟି ଗ୍ରୀକ୍‌ ଶବ୍ଦରୁ ହେପାଟାଇଟିସ୍‌ ଶବ୍ଦ ତିଆରି ହୋଇଛି। ହେପାଟୋ-ଯକୃତ, ଇଟିସ୍‌-ପ୍ରଦାହ। ଯକୃତ ପ୍ରଦାହକୁ ହେପାଟାଇଟିସ୍‌ କୁହାଯାଏ। ପ୍ରାୟତଃ ଏହି ରୋଗ ୫ ପ୍ରକାର ଭୂତାଣୁ ଯୋଗୁ ହୋଇଥାଏ। ସେଗୁଡ଼ିକ ହେଲା ହେପାଟାଇଟିସ୍‌ ଏ, ବି, ସି, ଡି ଓ ଇ। ହେପାଟାଇଟିସ୍‌ ବି ଓ ସି ଭୟଙ୍କର ଭାବେ ଯକୃତ(ଲିଭର)କୁ ଦୀର୍ଘସମୟ ପାଇଁ ସଂକ୍ରମଣ କରିଥାନ୍ତି ଏବଂ ଲିଭର ସିରୋସିସ୍‌ ଓ ଲିଭର କର୍କଟରୋଗ ପରି ରୋଗ କରିବାରେ ସାହାଯ୍ୟ କରିଥାନ୍ତି। ଏହା ଯୋଗୁ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି। ହେପାଟାଇଟିସ୍‌ ବି ଓ ସି ଭୂତାଣୁ ଯୋଗୁଁ ୭୮% ଲିଭର କର୍କଟରୋଗ ହୋଇଥାଏ। ଏହା ବ୍ୟତୀତ ସମଗ୍ର ବିଶ୍ବରେ ପ୍ରାୟ ୩୦ କୋଟି ବ୍ୟକ୍ତି ହେପାଟାଇଟିସ୍‌ ବି ଦ୍ବାରା ସଂକ୍ରମିତ ହୋଇଥାନ୍ତି। ଏହି ରୋଗର ଭୟାବହତା ବିଷୟରେ ସାଧାରଣ ଜନତାଙ୍କୁ ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ‘ବିଶ୍ବ ହେପାଟାଇଟିସ୍‌ ଦିବସ’ ପାଳନ କରାଯାଇଥାଏ।
ହେପାଟାଇଟିସ୍‌ ଭୂତାଣୁ କିପରି ସଂକ୍ରମିତ ହୋଇଥାଏ: ସଂକ୍ରମିତ ଖାଦ୍ୟ ଓ ପାନୀୟ ଦ୍ବାରା ହେପାଟାଇଟିସ୍‌ ଏ ଏବଂ ଇ ଭୂତାଣୁ ସଂକ୍ରମିତ ହୋଇଥିଲାବେଳେ ବି ଅନ୍ୟରୂପେ ସଂକ୍ରମିତ ହୋଇଥାଏ। ସଂକ୍ରମିତ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ହେପାଟାଇଟିସ୍‌ ବି ସଂକ୍ରମଣର ସମ୍ଭାବନା ଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ସହ ଅସୁରକ୍ଷିତ ଯୌନସମ୍ପର୍କ ରଖିବା ଦ୍ବାରା ମଧ୍ୟ ହେପାଟାଇଟିସ୍‌ ବି ସଂକ୍ରମଣ ହୋଇଥାଏ। ନିଶା ସେବନ କରୁଥିବା ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହୃତ ସିରିଞ୍ଜ ବ୍ୟବହାର କରିବା ଦ୍ବାରା, ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହୃତ ଛୁଞ୍ଚିରେ ଟାଟୁ କରାଇବା ଦ୍ବାରା, କୌଣସି କାରଣରୁ ସଂକ୍ରମିତ ଛୁଞ୍ଚି ଫୋଡ଼ି ହୋଇଯିବା ଦ୍ବାରା ହେପାଟାଇଟିସ୍‌ ବି ହେବାର ଆଶଙ୍କା ଥାଏ। ବିଶେଷତଃ ସ୍ବାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ରୋଗୀମାନଙ୍କଠାରୁ ସଂକ୍ରମଣର ଅଧିକ ଆଶଙ୍କା ଥାଏ। ସଂକ୍ରମିତ ବ୍ୟକ୍ତିଙ୍କର କିଛି ବ୍ୟବହୃତ ପଦାର୍ଥ ଯଥା ଦାନ୍ତଘଷା ବ୍ରଶ, କ୍ଷୁର ଇତ୍ୟାଦିରୁ ମଧ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଥାଏ।
ହେପାଟାଇଟିସ୍‌ ସଂକ୍ରମଣର ଲକ୍ଷଣ: ଏହି ଭୂତାଣୁମାନଙ୍କ ଦ୍ବାରା ଆକ୍ରାନ୍ତ ରୋଗୀମାନଙ୍କ ଠାରେ ଭୋକ ନ ଲାଗିବା, ଜ୍ବର ହେବା, ଆଖି ଓ ପରିସ୍ରା ହଳଦିଆ ହେବା, ଅଧିକା ହାଲିଆ ବା କ୍ଲାନ୍ତି ଅନୁଭବ କରିବା, ବାନ୍ତି ହେବା, ମାଂସପେଶୀ ବା ଗଣ୍ଠି କିମ୍ବା ସମ୍ପୂର୍ଣ୍ଣ ଶରୀରରେ ଯନ୍ତ୍ରଣା ହେବା, ଓଜନ ହ୍ରାସ ହେବା, ମାନସିକ ଅବସାଦଗ୍ରସ୍ତ ହେବା ଇତ୍ୟାଦି ଦେଖାଯାଏ। ହେପାଟାଇଟିସ୍‌ ବି ଏବଂ ସି ଜନିତ ଲିଭର ସିରୋସିସ୍‌ ହେଲେ ପେଟରେ ପାଣି ଜମା ହୋଇଯାଏ, ପାଦ ଫୁଲିଯାଏ, ରକ୍ତ ବାନ୍ତି ଓ କଳା ଝାଡା ହୁଏ ଏବଂ ରୋଗୀ ଚେତାଶୂନ୍ୟ ମଧ୍ୟ ହୋଇଥାନ୍ତି।
ହେପାଟାଇଟିସ୍‌କୁ ଚିହ୍ନଟ କିପରି କରାଯାଏ: ହେପାଟାଇଟିସ୍‌ ଏ ଏବଂ ଇ ରୁ ବିଭିନ୍ନ ଲକ୍ଷଣ, ଲିଭର ଫଙ୍କସନ୍‌ ଟେଷ୍ଟ, ଆଇ.ଜି.ଏମ୍‌ ଆଣ୍ଟିବଡ଼ି ରକ୍ତରୁ ଚିହ୍ନଟ ହେବାଦ୍ବାରା ସଂକ୍ରମଣ ଜଣାପଡ଼ିଥାଏ। ସେହିପରି ହେପାଟାଇଟିସ୍‌ ବି ମଧ୍ୟ ବିଭିନ୍ନ ଲକ୍ଷଣ ଓ ରକ୍ତ ପରୀକ୍ଷାରୁ ଜଣାପଡ଼ିଥାଏ। ହେପାଟାଇଟିସ୍‌ ଏ ଭଳି ଇ ମଧ୍ୟ ଅଧିକ ଗୁରୁତର ହୁଏନାହିଁ।
ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା: ହେପାଟାଇଟିସ୍‌ ଏ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସଂକ୍ରମିତ ବା ଦୂଷିତ ଖାଦ୍ୟ ଓ ପାନୀୟ ବର୍ଜନ କରିବା ଉଚିତ୍‌। ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚ ହେବାପରେ ପରିଷ୍କାର ରୂପେ ସାବୁନ୍‌ ଓ ପାଣିରେ ଭଲଭାବେ ହାତ ଧୋଇବା ଆବଶ୍ୟକ। ସ୍ବଚ୍ଛ ପାନୀୟଜଳ ପିଇବା ଉଚିତ୍‌। ଏହି ରୋଗର ପ୍ରତିଷେଧକ ଟିକା ଉପଲବ୍ଧ ଅଛି। ତେଣୁ ଶୈଶବ ସମୟରୁ ଏହି ଟିକାକରଣ କଲେ ହେପାଟାଇଟିସ୍‌ ଏର ସଂକ୍ରମଣର ମାତ୍ରା କମି ଯାଇଥାଏ। ହେପାଟାଇଟିସ୍‌ ବି ପାଇଁ ମଧ୍ୟ ପ୍ରତିଷେଧକ ଟିକା ରହିଛି। ବିଶ୍ବ ବିଖ୍ୟାତ ନୋବେଲ ପୁରସ୍କାର ବିଜୟୀ ବୈଜ୍ଞାନିକ ବାରୁଚ୍‌ ସାମୁଏଲ୍‌ ବ୍ଲୁମ୍‌ବର୍ଗଙ୍କ ଜନ୍ମଦିନକୁ ବିଶ୍ବ ହେପାଟାଇଟିସ୍‌ ଦିବସ ରୂପେ ପାଳନ କରାଯାଏ। ସେ ହେପାଟାଇଟିସ୍‌ ବି ଭୂତାଣୁ ଆବିଷ୍କାର କରିଥିଲେ ଏବଂ ଏହାର ନିଦାନ କିପରି କରାଯିବ ଓ ଏଥିପାଇଁ ଏକ ପ୍ରତିଷେଧକ ଟିକା ମଧ୍ୟ ଉଦ୍ଭାବନ କରିଥିଲେ।

prayash

ପ୍ରଫେସର (ଡାଃ) ସୁଶାନ୍ତ କୁମାର ଜେନା
ବିଭାଗୀୟ ମୁଖ୍ୟ, ଲିଭର ରୋଗ ବିଭାଗ (ହେପାଟୋଲୋଜି),ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, କଟକ

Comments are closed.