ଆଜି ବିଶ୍ୱ ପରିବେଶ ଦିବସ

0

ନୂଆଦିଲ୍ଲୀ : ଭାରତରେ ପରିବେଶ ପ୍ରଦୂଷଣକୁ ନେଇ ବିବାଦ ତଥା ହିଂସା ସାରା ବିଶ୍ୱରେ ସର୍ବାଧିକ। ମେ ୨୨ରେ ତାମିଲନାଡ଼ୁର ତୁଥୁକୁଡ଼ିସ୍ଥିତ ଷ୍ଟେରଳାଇଟ୍‍ ତମ୍ବା କାରଖାନାକୁ କେନ୍ଦ୍ରକରି ଘଟିଥିବା ଘଟଣା ଏହାର ସଦ୍ୟତମ ଦୃଷ୍ଟାନ୍ତ। ପ୍ରଦୂଷଣ କାରଣରୁ ଏହି କାରଖାନା ବନ୍ଦ ପାଇଁ ଦାବି କରୁଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ ପୁଲିସ ଗୁଳିରେ ୧୩ଜଣଙ୍କ ମୃତ୍ୟୁ ଘଟିବା ପରେ ସରକାର କାରଖାନା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ଶିଳ୍ପପତି-ରାଜନେତା-ପ୍ରଶାସନ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ ଓ ସେମାନଙ୍କ ବ୍ୟାବସାୟିକ ତଥା ରାଜନୈତିକ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛି। ତୁଥୁକୁଡ଼ିବାସୀ ବାରମ୍ବାର ଦାବି କରିଆସୁଥିଲେ ଯେ ତମ୍ବା କାରଖାନା ଯୋଗୁଁ ସେମାନଙ୍କ ମାଟି, ପାଣି, ପବନ ସବୁକିଛି ବିଷାକ୍ତ ହୋଇଯାଉଛି। ଏ ଜନିତ ଦୁର୍ଦଶା ମଧ୍ୟ ଅତୀତରେ ଲୋକେ ଭୋଗିଛନ୍ତି। ଏହାକୁ ସ୍ୱୀକାର ପୂର୍ବକ ପରିବେଶ ନିୟନ୍ତ୍ରଣ ବୋର୍ଡ କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା; କିନ୍ତୁ ଉପରୋକ୍ତ ଅସାଧୁ ମେଣ୍ଟ ଏହାକୁ ବ୍ୟର୍ଥ କରିଥିଲା। ତେବେ ଏହାର ଶେଷ ପରିଣାମ ଏବେ ସମସ୍ତେ ଉପଲବ୍ଧି କରୁଛନ୍ତି। ଭାରତ ପୁନର୍ବାର ପରିବେଶ ଜନିତ ବିବାଦକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି।
ଏଭଳି ବିବାଦ ଭାରତରେ ନୂଆ ନୁହେଁ। ବିଶେଷକରି ଓଡ଼ିଶା ଗତ ୧୨ବର୍ଷ ଧରି ଏହି ବିବାଦର ଶିରୋନାମାରେ ରହିଆସିଛି। ୨୦୦୬ ଜାନୁଆରୀ ୨ତାରିଖରେ କଳିଙ୍ଗ ନଗର ଗୁଳିକାଣ୍ଡ ଓଡ଼ିଶାକୁ ଭାରତ ନୁହେଁ; ସାରା ବିଶ୍ୱରେ ନିନ୍ଦିତ କରିଥିଲା। ପୁଲିସ ଗୁଳିରେ ଟାଟା କମ୍ପାନୀର ଇସ୍ପାତ କାରଖାନା ବିରୋଧରେ ଆନ୍ଦୋଳନ ଚଳାଇଥିବା ୧୩ଜଣ ଆଦିବାସୀ ପ୍ରାଣ ହରାଇଥିଲେ। ତୁଥୁକୁଡ଼ିରେ ଆନ୍ଦୋଳନକାରୀ ଜୀବନ ଦେଇ କାରଖାନାକୁ ବନ୍ଦ କରିବାରେ ସଫଳ ହୋଇଛନ୍ତି; କିନ୍ତୁ କଳିଙ୍ଗ ନଗରରେ ଟାଟା ଇସ୍ପାତ କାରଖାନା ଏବେ ସଗର୍ବ ମୁଣ୍ଡ ଟେକି ଛିଡ଼ା ହୋଇଛି। ଅପରପକ୍ଷରେ ଜଗତ୍‍ସିଂହପୁର ଜିଲାରେ ପୋସ୍କୋ ବିରୋଧୀ ଆନ୍ଦୋଳନକାରୀ ବଡ଼ ସଫଳତା ହାସଲ କରିଛନ୍ତି। ଦୀର୍ଘ ସଂଗ୍ରାମ ପରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନୀ ପୋସ୍କୋ ୫୪ହଜାର କୋଟି ଟଙ୍କାର ବୃହତ୍‍ ପ୍ରକଳ୍ପରୁ ଓହରି ଯିବାକୁ ବାଧ୍ୟ ହୋଇଛି। ସେହିଭଳି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରୁ ଆରମ୍ଭକରି ଦକ୍ଷିଣରେ କେରଳ ପର୍ଯ୍ୟନ୍ତ ସବୁଠାରେ ପ୍ରବଳ ଜନବିରୋଧ ସତ୍ତ୍ବେ କୋକାକୋଲା ପ୍ଲାଣ୍ଟ ଏହାର ଉତ୍ପାଦନ ଜାରି ରଖିଛି। ଏହା ସ୍ଥାନୀୟ ଭୂତଳ ଜଳ ଉତ୍ସ ଓ ମୃତ୍ତିକାକୁ ବିଷାକ୍ତ କରିଚାଲିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅବଶ୍ୟ ପ୍ରବଳ ଚାପ ଯୋଗୁଁ କମ୍ପାନୀ କର୍ତ୍ତୃପକ୍ଷ କିଛିଟା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି; କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ। ଏମିତି ଅନେ ଘଟଣା ଘଟୁଛି; କିନ୍ତୁ ସଫଳତା ହାର ନଗଣ୍ୟ ବୋଲି କୁହାଯାଇପାରେ। ପରିବେଶବିତ୍‍ଙ୍କ ମତରେ କୌଣସି ପ୍ରଦୂଷଣକାରୀ ଶିଳ୍ପ ବିରୋଧରେ ଆନ୍ଦୋଳନ କରୁଥିବା ଜନତାଙ୍କ ଜୀବନର ମୂଲ୍ୟ ଖୁବ୍‍ ଶସ୍ତା; ରାଜ୍ୟର ମାଟି-ପାଣି-ପବନ ବି ଶସ୍ତା। ସରକାର କିମ୍ବା ଶିଳ୍ପପତି କେହି ହେଲେ କେବେ ଏହାର ମୂଲ୍ୟ ବୃଦ୍ଧି କରିବାକୁ ଇଚ୍ଛା କରିନାହାନ୍ତି। ପରିବେଶର ପ୍ରତିଦାନ ରଖିବାକୁ ମଧ୍ୟ କେହି କେବେ ଉଦ୍ୟମ କରିନାହାନ୍ତି।
ଏହା ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ହୋଇପାରେ; କିନ୍ତୁ ପରିବେଶ ନ୍ୟାୟ ମାନଚିତ୍ରରେ ଭାରତର ସ୍ଥିତି ବଡ଼ ଚିନ୍ତାଜନକ। ଏ ସଂକ୍ରାନ୍ତ ଆନ୍ତର୍ଜାତିକ ତଥ୍ୟଭଣ୍ଡାର ‘ଏନ୍‍ଭର୍ଣ୍ଣମେଣ୍ଟାଲ ଜଷ୍ଟିସ ଆଟଲାସ୍‍’ ରିପୋର୍ଟ ଅନୁସାରେ ଭାରତରେ ଆଜି ସୁଦ୍ଧା ସର୍ବାଧିକ ୨୭୧ଟି ଏଭଳି ବିବାଦ ତଥା ହିଂସାକାଣ୍ଡ ରେକର୍ଡ କରାଯାଇଛି। ମୋଟ ୧୧ଟି ଦେଶ ମଧ୍ୟରେ ଭାରତ ପଛକୁ ୧୨୮ଟି ମାମଲା ସହିତ ରହିଛି କଲମ୍ବିଆ। ଏହା ପଛକୁ ରହିଛି ନାଇଜେରିଆ; ଯେଉଁଠି ୭୧ଟି ହିଂସାକାଣ୍ଡ ଘଟିଛି। ୨୦୧୭ ସୁଦ୍ଧା ବିଶ୍ୱରେ ଏଭଳି ୨୫୦୦ଟି ମାମଲା ରେକର୍ଡ କରାଯାଇଛି। ଜଳକୁ ନେଇ ସର୍ବାଧିକ ୬୦ଟି ବିବାଦ ଓ ହିଂସାକାଣ୍ଡ ଘଟିଥିବାବେଳେ ଖଣିଖାଦାନକୁ ନେଇ ୪୭, ଶିଳ୍ପକୁ ନେଇ ୩୯ ହିଂସାକାଣ୍ଡ ଘଟିଛି। ଏସବୁ ଦେଶରେ ମଧ୍ୟ ଶିଳ୍ପ-ରାଜନୀତି ସମ୍ପର୍କ ଏତେ ଗଭୀର ଯେ ପରିବେଶ ଓ ସାଧାରଣ ଜନତାଙ୍କ ଜୀବନ ମୂଲ୍ୟହୀନ। ସେହିପରି ପରିବେଶ ସୁରକ୍ଷା ସାରଣୀ-୨୦୧୮ରେ ଭାରତର ସ୍ଥାନ ୧୮୦ ଦେଶ ମଧ୍ୟରେ ୧୭୭ରେ ରହିଛି। ୨୦୧୬ରେ ଏହା ଥିଲା ୧୪୧। ଭାରତର ବାୟୁମଣ୍ଡଳର ମାନ ଏତେ ଖରାପ ଯେ ଏହା ବିଶ୍ୱର ସବୁଠୁ ଖରାପ ଦେଶ ମଧ୍ୟରେ ତୃତୀୟ। ଏହାର ଅର୍ଥ ଭାରତରେ ପ୍ରଦୂଷିତ ପରିବେଶ ପ୍ରତି ମୁହୂର୍ତ୍ତରେ ଲୋକଙ୍କୁ ହତ୍ୟା କରିଚାଲିଛି। ପ୍ରଚଳିତ ଆଇନ କେବଳ ଧର୍ମକୁ ଆଖିଠାର ମାରୁଛି। ସୂଚନାନୁଯାୟୀ, ଭାରତୀୟ ଅଦାଲତଗୁଡ଼ିକରେ ପରିବେଶ ସଂକ୍ରାନ୍ତ ପ୍ରାୟ ୨୫ହଜାର ମାମଲା ବିଚାରାଧୀନ ରହିଛି। ଭାରତରେ ପରିବେଶ ପ୍ରଦୂଷଣ ବୃଦ୍ଧି ନେଇ ବିଶ୍ୱ ଅର୍ଥନୈତିକ ଫୋରମ୍‍ରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ବ୍ୟାପକ ଶିଳ୍ପାୟନ ମାଧ୍ୟମରେ ଆର୍ଥିକ ବିକାଶ ଓ ପରିବେଶ ମଧ୍ୟରେ ଛିଡ଼ା ହୋଇଥିବା ଅସଂଖ୍ୟ ଦ୍ୱନ୍ଦ୍ୱରେ ବିଚରା ପରିବେଶ ଓ ଜୀବନ ହିଁ ବଳି ପଡ଼ୁଛି। ଲୋକଙ୍କ ବାସ୍ତବ ସୁଖ ସମୃଦ୍ଧି ହିଁ ବାଜି ଲାଗୁଛି। ଏଭଳି କ୍ଷେତ୍ରରେ ବିକାଶର ଅର୍ଥ କ’ଣ? ସର୍ବସାଧାରଣଙ୍କ ସ୍ୱରକୁ ଚାପି ଦିଆଯିବା ଅର୍ଥ ପରିବେଶକୁ ହତ୍ୟା ଓ ବିକାଶର ରାସ୍ତା ଅବରୋଧ।

Leave A Reply