୨୦୦୩ ଅପେକ୍ଷା ୨୦୨୩ର ଭାରତ ଶକ୍ତିଶାଳୀ

ଅହମ୍ମଦାବାଦ୍‌ : ଆଇସିସି ଦିନିକିଆ ବିଶ୍ବକପର ଅଷ୍ଟମ ସଂସ୍କରଣ- ୨୦୦୩ରେ ଦକ୍ଷିଣ ଆଫ୍ରିକା, କେନିଆ ଓ ଜିମ୍ବାୱେରେ ଖେଳା ଯାଇଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ ରିକି ପଣ୍ଟିଂଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ନିକଟରୁ ୧୨୫ରନରେ ପରାଜିତ ହୋଇଥିଲା। ୨୦ ବର୍ଷ ପରେ ଏବେ ଦୁଇ ଦଳ ପୁଣି ଥରେ ଚଳିତ ୨୦୨୩ ବିଶ୍ବକପର ଫାଇନାଲରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ୨୦ ବର୍ଷ ତଳର ଭାରତ ଓ ଅଷ୍ଟ୍ରେଲିଆ ଦଳ ଓ ଏବେକାର ଦଳ ମଧ୍ୟରେ ଫରକ ଦେଖିବାକୁ ମିଳିଛି। ୨୦୦୩ ଅପେକ୍ଷା ୨୦୨୩ରେ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ରହିଛି। ଦୁଇ ଦଳର ପ୍ରଦର୍ଶନକୁ ନେଇ ପରିସଂଖ୍ୟାନ।

prayash
  • ଦିନିକିଆ କ୍ରିକେଟରେ ଭାରତ ଏବେ ବିଶ୍ବର ଏକ ନମ୍ବର ଦଳ ରହିଥିବାବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି।
  • ଭାରତ ଘରୋଇ ପଡ଼ିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗହଣରେ ଫାଇନାଲ ଖେଳିବ। ଯାହା ଭାରତୀୟ ଦଳକୁ ଉତ୍ସାହିତ କରିବ। ଯାହା ୨୦୦୩ ଜୋହାନର୍ସବର୍ଗରେ ଏଭଳି ଦେଖିବାକୁ ମିଳିନଥିଲା।
  • ଭାରତ ଚଳିତ ବିଶ୍ବକପରେ କ୍ରମାଗତ ୧୦ଟି ବିଜୟ ହାସଲ କରି ଫାଇନାଲରେ ପହଞ୍ଚିଛି। ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହେବା ପରେ କ୍ରମାଗତ ୮ଟି ବିଜୟ ହାସଲ କରିଛି। ଚଳିତ ବିଶ୍ବକପର ଲିଗ୍‌ ପର୍ଯ୍ୟାୟରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୨୦୦୩ ବିଶ୍ବକପରେ ଅଷ୍ଟ୍ରେଲିଆ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା। ୨୦୨୩ରେ ଭାରତଠାରୁ ଦଳ ପଛରେ ରହିଛି।
  • ଚଳିତ ବିଶ୍ବକପରେ ଶ୍ରେଷ୍ଠ ୧୦ ବ୍ୟାଟିଂ ତାଲିକାରେ ଭାରତର ୩ଜଣ ଖେଳାଳି ବିରାଟ କୋହଲି ୭୧୧ରନ, ରୋହିତ ଶର୍ମା ୫୫୦ରନ, ଶ୍ରେୟାସ ଆୟର ୫୨୬ରନ ରହିଥିବାବେଳେ ଅଷ୍ଟ୍ରେଲିଆର କେବଳ ଡେଭିଡ୍‌ ୱାର୍ଣ୍ଣର ୫୨୮ ଓ ମିଚେଲ ମାର୍ଶ ୪୨୬ରନ କରି ରହିଛନ୍ତି।
  • ଭାରତୀୟ ବୋଲର ଘରୋଇ ପଡ଼ିଆର ପୂର୍ଣ୍ଣ ଫାଇଦା ଉଠାଉଛନ୍ତି। ମହମ୍ମଦ ସାମି ୨୩, ଯଶପ୍ରୀତ ବୁମ୍‌ରା ୧୮ , ରବୀନ୍ଦ୍ର ଜାଡେଜା ୧୬ ଓ କୁଳଦୀପ୍‌ ଯାଦବ ୧୫ଟି ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ କେବଳ ଆଡାମ ଜାମ୍ପା ପ୍ରଭାବୀ ପ୍ରଦର୍ଶନ କରିବା ସହ ୨୨ଟି ୱିକେଟ ନେଇଛନ୍ତି।
  • ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ୨୦୦୩ ବିଶ୍ବକପ ଫାଇନାଲରେ ଖେଳିଥିଲେ। ଉକ୍ତ ବିଶ୍ବକପର ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତର ପରାଜୟରୁ ଦ୍ରାବିଡ଼ ଶିକ୍ଷା ପାଇଛନ୍ତି। ଯାହା ୨୦୨୩ରେ ପ୍ରଶିକ୍ଷକ ଭାବେ ଭାରତୀୟ ଦଳକୁ ରଣନୀତି ଦେବାରେ ସହାୟକ ​ହେବ।
  • ରିକିଂ ପଣ୍ଟିଂ-ସୌରଭ ଗାଙ୍ଗୁଲି, ରୋହିତ ଶର୍ମା- ପ୍ୟାଟ୍‌ କମିନ୍‌ସଙ୍କ ମଧ୍ୟରେ ପାର୍ଥକ୍ୟ
    ୨୦୦୩ ବିଶ୍ବକପରେ ରିକିଂ ପଣ୍ଟିଂ ଅଷ୍ଟ୍ରେଲିଆ ଓ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୨୦୨୩ରେ ରୋହିତ ଶର୍ମା ଭାରତ ଓ ପ୍ୟାଟ୍‌ କମିନ୍‌ସ ଅଷ୍ଟ୍ରେଲିଆର ନେତୃତ୍ବ ନେଉଛନ୍ତି। ପଣ୍ଟିଂଙ୍କ ବିଚକ୍ଷଣ ଅଧିନାୟକତ୍ବ କମିନ୍‌ସଙ୍କଠାରେ ନାହିଁ। ରୋହିତଙ୍କ ଚମତ୍କାର ନେତୃତ୍ବ କମିନ୍‌ସଙ୍କଠାରୁ ଆଗରେ ରହିଛି
  • ୱିକେଟରକ୍ଷକ ଲୋକେଶ ରାହୁଲ : ଚଳିତ ବିଶ୍ବକପରେ ଭାରତର ୱିକେଟରକ୍ଷକ ଭାବେ ରାହୁଲ ଦାୟିତ୍ବ ତୁଲାଉଛନ୍ତି। ରାହୁଲ ମଧ୍ୟ ଚମତ୍କାର ୱିକେଟ କିପିଂ କରୁଛନ୍ତି। ଯାହା ଭାରତ ପାଇଁ ଅନ୍ୟତମ ସଫଳତାର ଅସ୍ତ୍ର ହୋଇଛି। ରାହୁଲ ମଧ୍ୟଭାଗରେ ନିର୍ଭରଯୋଗ୍ୟ ବ୍ୟାଟ୍‌ସମ୍ୟାନ ସହ ୱିକେଟରକ୍ଷକ ଦାୟିତ୍ବ ତୁଲାଉଛନ୍ତି।
  • ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଭାରତ ୨୦୦୩ଠାରୁ ୨୦୨୩ରେ ବହୁତ ଉନ୍ନତ ରହିଛି। ଯାହା ଅଷ୍ଟ୍ରେଲିଆ ଦଳକୁ କଡା ଟକ୍କର ଦେବା ପାଇଁ ଯଥେଷ୍ଟ ହେବ।
  • ଘରୋଇ ପଡ଼ିଆରେ ଭାରତୀୟ ବୋଲର ଓ ବ୍ୟାଟ୍‌ସମ୍ୟାନଙ୍କୁ ନିଶ୍ଚିତ ଫାଇଦା ମିଳିବ। ଯାହା ଅଷ୍ଟ୍ରେଲିଆ କ୍ଷେତ୍ରରେ ରହିବ ନାହିଁ। ୨୦୦୩ ବିଶ୍ବକପରେ ଭାରତୀୟ ଦଳ ଏଭଳି ପରିସ୍ଥିତିର ସାମ୍‌ନା କରିଥିଲା।

Comments are closed.