BJD Bijuli 480×75 Mob

କ୍ରିକେଟ ବିଶ୍ୱକପ – ପୁଣି ହାରିଲା ପାକିସ୍ତାନ

BJD Bijuli 480×75 Mob

ବେଙ୍ଗାଲୁରୁ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ଅଷ୍ଟ୍ରେଲିଆ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୮ତମ ମ୍ୟାଚରେ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଡେଭିଡ୍‌ ୱାର୍ଣ୍ଣର ୧୬୩ ଓ ମିଚେଲ ମାର୍ଶଙ୍କ ୧୨୧ରନ ବଳରେ ୩୬୭ରନ କରିଥିଲା। ଜବାବରେ ପାକିସ୍ତାନ ଇମାନ ଉଲ୍‌ ହକ୍‌ ୭୦ ଓ ଅବଦୁଲ୍ଲା ସାଫିକ୍‌ଙ୍କ ୬୪ରନ ସତ୍ତ୍ବେ ୩୦୫ ରନ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ୪ଟି ମ୍ୟାଚରୁ ୨ୟ ବିଜୟ ହାସଲ କରିଥିବାବେଳେ ପାକିସ୍ତାନ ସମାନ ସଂଖ୍ୟକ ମ୍ୟାଚ ଖେଳି ୨ୟ ପରାଜୟ ଭୋଗିଛି।

୩୬୮ରନର ବିଶାଳ ଲକ୍ଷ୍ୟକୁ ପାକିସ୍ତାନର ଦୁଇ ଓପନର ଇମାନ ଉଲ୍‌ ହକ୍‌ ଓ ଅବଦୁଲ୍ଲା ସାଫିକ୍‌ ୧୦୦ଟି ବଲରୁ ୧୦୦ରନ ସଂଗ୍ରହ କରିଥିଲେ। ଉଭୟେ ପ୍ରଥମ ୱିକେଟରେ ୧୩୪ରନ କରିଥିଲେ। ସାଫିକ୍‌ ୬୪ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୧୫୪ରନରେ ଘଟିଥିଲା। ଇମାନ ଉଲ୍‌ ହକ୍‌ ୭୦ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ ବାବର ଆଜାମ ଓ ମହମ୍ମଦ ରିଜ୍‌ୱାନ ମାତ୍ର ୨୧ରନ ସଂଗ୍ରହ କରିଥିଲେ। ୧୭୫ରନ ସ୍କୋରରେ ବାବର ୧୮ରନ କରି ଆଉଟ୍‌ ହୋଇଥିଲେ। ସୌଦ ସକିଲ ୩୦ରନ କରି ଆଉଟ୍‌ ହୋଇଥିଲେ। ରିଜ୍‌ୱାନ ଓ ଇଫ୍‌ତିକାର ଅହମ୍ମଦ କିଛି ସମୟ ଲଢେଇ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଦଳ ୪୫.୩ ଓଭରରେ ୩୦୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ରିଜ୍‌ୱାନ ୪୬ ଓ ଇଫ୍‌ତିକାର ୨୬ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି, ମାର୍କୋସ ଷ୍ଟୋଇନିସ୍ ୨ଟି ୱିକେଟ ନେଇଥିଲେ।

ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ପାକିସ୍ତାନ ବୋଲରଙ୍କୁ ନିର୍ଧୁମ ପ୍ରହାର କରିବା ସହିତ ପ୍ରଥମ ୱିକେଟରେ ୨୫୯ରନ ଭାଗିଦାରୀ କରିଥିଲେ। ମାର୍ଶ ୧୦୮ଟି ବଲରୁ ୧୦ଟି ଚୌକା ଓ ୯ଟି ଛକା ସହ ୧୨୧ରନ କରି ଆଉଟ୍‌ ହୋଇଥିଲେ। ମାର୍ଶଙ୍କ ୱିକେଟ ପରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିପାରିନଥିଲେ। ୩ୟ ୱିକେଟରେ ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ୨୫ରନ ସଂଗ୍ରହ କରିଥିଲେ। ୨୮୪ରନ ସ୍କୋର ଥିବାବେଳେ ସ୍ମିଥ୍‌ ୭ରନ କରି ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆ ୪୦.୧ ଓଭରରୁ ୩୦୦ରନ ପୂରଣ କରିଥିଲା। ୪ର୍ଥ ୱିକେଟ ପାଇଁ ୱାର୍ଣ୍ଣରଙ୍କ ସହ ମାର୍କୋସ ଷ୍ଟୋଇନିସ୍‌ ୪୧ରନ ଭାଗିଦାରୀ କରିଥିଲେ। ୩୨୫ରନ ସ୍କୋରରେ ୱାର୍ଣ୍ଣର ୧୨୪ଟି ବଲରୁ ୧୪ଟି ଚୌକା ଓ ୯ଟି ଛକା ସହ ୧୬୩ରନ କରି ଆଉଟ୍‌ ହୋଇଥିଲେ। ​ଶେଷ ଆଡକୁ ମାର୍କୋସ ଷ୍ଟୋଇନିସଙ୍କ ୨୧ରନ ବଳରେ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୩୬୭ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୋଶ ଇନ୍‌ଗ୍ଲିସ ୧୩, ମାର୍ନୁସ ଲାବୁସାନେ ୮ରନ କରିଥିଲେ। ପାକିସ୍ତାନ ପକ୍ଷରୁ ସାହିନ ସାହ ଆଫ୍ରିଦି ୫ଟି, ହାରିସ ରୈଫ ୩ଟି ୱିକେଟ ନେଇଥିଲେ।

Comments are closed.