ବିଶ୍ୱ ରକ୍ତଦାତା ଦିବସ ପାଳିତ

କେନ୍ଦୁଝରଗଡ :  ଭାରତୀୟ ରେଡକ୍ରସ୍‌‌ ସଂସ୍ଥା କେନ୍ଦୁଝର ଓ ଜିଲା ସ୍ୱାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ରରେ ବୁଧବାର ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ପୁରୁଣା ସହରସ୍ଥିତ କେନ୍ଦୁଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲା ରେଡକ୍ରସ ଯୁଗ୍ମସମ୍ପାଦକ ଏ.ଆର.ଖାନଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ସ୍ୱେଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ରକ୍ତ ବର୍ଗୀକରଣର ଜନକ ଡ. କାର୍ଲ ଲାଣ୍ଡଷ୍ଟେନଙ୍କର ମହାନ ଆବିଷ୍କାର ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ଜିଲା ଆପାତକାଳୀନ ଅଧିକାରୀ ସୁରଞ୍ଜିକା ବେହେରା ସମ୍ମାନିତ ଅତିଥି ଓ ଅନୁଷ୍ଠାନର ଅଧ୍ୟକ୍ଷ ଡ.କ୍ଷୀରୋଦ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ରକ୍ତଦାନର ଆବ୍ୟକତା ଓ ମହନୀୟତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଏପିଡିଓ ପୀତବାସ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ରକ୍ତଦାତା ତଥା ସମାଜସେବୀ ଅଂଶୁମାନ ଚକ୍ରବର୍ତ୍ତୀ, ଆକାଶ ରାଜ ଓ ଲମ୍ବୋଦର ମହାନ୍ତ ପ୍ରମୁଖ ନିଜସ୍ୱ ଅନୁଭୂତି ବାଣ୍ଟିଥିଲେ । ଏହି ଅବସରରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରାକୁ ମୁଖ୍ୟ ଅତିଥି ଡାକ୍ତର ପୃଷ୍ଟି ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଜିଲା ରକ୍ତଭଣ୍ଡାର ଜନସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ସ୍ୱାସ୍ଥ୍ୟ କର୍ମଚାରୀ ନୃସିଂହ ନାରାୟଣ ନନ୍ଦ ପ୍ରମୁଖ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.