ପାରାଦୀପ : ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବନ୍ଦରନଗରୀ ପାରାଦୀପରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ପାରାଦୀପ ମ୍ୟୁନିସପାଲଟି ଷଣ୍ଢକୁଦରେ ରହୁଥିବା ସରଫାତ ଖାଁଙ୍କ ପତ୍ନୀ ସଲାମୁନ୍ ଖାତୁନଙ୍କର ହଠାତ୍ ପ୍ରସବ ବେଦନା ହୋଇଥିଲା।
ପରିବାର ଲୋକ ମେଡିକାଲ ନେବା ଲାଗି ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ପହଁଞ୍ଚିପାରିନଥିଲା। ଫଳରେ ବାଧ୍ୟ ହୋଇ ପରିବାର ଲୋକ ଟ୍ରଲିରେ ପ୍ରସୂତିଙ୍କୁ ବୋହି ନେଇ ମେଡିକାଲ ଯାଉଥିଲେ । ହେଲେ ଅଧାବାଟରେ ସରଫାତ ଖାଁଙ୍କ ପତ୍ନୀ ସଲାମୁନ୍ ଖାତୁନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପରେ ଉଭୟ ମା ଏବଂ ଶିଶୁକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି।



