୨୦୧୧ରେ ହରାଇଲେ ଚାକିରି; ଏବେ ହସି ଖେଳି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କ ଜୀବନ ଚାକିରି ଉପରେ ନିର୍ଭର କରେ। କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଗୁଜୁରାଣ ମେଣ୍ଟାଇବାକୁ ଦିନକୁ ଦୁଇ ଦୁଇଟି ଚାକିରି କରୁଛନ୍ତି। ତେବେ ବେଳେବେଳେ ଚାକିରି କରୁଥିବା ଲୋକଙ୍କ ଜୀବନରେ ଏମିତି ସମୟ ବି ଆସେ ଯେତେବେଳେ ତାଙ୍କୁ ହଠାତ୍‌ ଚାକିରିରୁ ବାହାର କରିଦିଆଯାଏ। ଏହି ଖବର ଜଣକ ପାଇଁ ଏକ ଶକ୍ତ ଧକ୍କାଠାରୁ କମ୍ ହୋଇ ନଥାଏ। ଜଣେ ମହିଳାଙ୍କ ସହ ଠିକ୍‌ ଏମିତି କିଛି ଘଟିଛି, ଯାହାଙ୍କୁ ହଠାତ୍ ଚାକିରିରୁ ବରଖାସ୍ତ କରିଦିଆଗଲା ଆଉ ତା’ପରେ ସେ ନିଜର ବ୍ୟବସାୟ ଆରମ୍ଭ କରି ଏପରି କାମ କରିଥିଲେ ଯେ ଏବେ ହସି ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ସେଣ୍ଡ୍ରା ଜେମ୍ସ ନାମ୍ନୀ ଏହି ୫୩ ବର୍ଷୀୟା ମହିଳା ଇଂଲଣ୍ଡର ବାସିନ୍ଦା। ଏକ ରିପୋର୍ଟ ଅନୁଯାୟୀ, ସେଣ୍ଡ୍ରା ୨୨ ବର୍ଷ ବୟସରୁ ଚାକିରି କରିଆସୁଥିଲେ ଏବଂ ନିଜ ଚାକିରିରେ ସେ ବହୁତ ଖୁସି ମଧ୍ୟ ଥିଲେ। ସେଣ୍ଡ୍ରା ଭାବିଥିଲେ ଏହି ଚାକିରି ଦ୍ବାରା ସେ ନିଜ ଗୁଜୁରାଣ ମେଣ୍ଟାଇନେବେ, କିନ୍ତୁ ଏପରି ହୋଇପାରିଲା ନାହିଁ। ୨୦୧୧ରେ ଯେତେବେଳେ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା, ସେତେବେଳେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଥିଲେ। ସେମାନଙ୍କ ମଧ୍ୟରେ ସେଣ୍ଡ୍ରା ମଧ୍ୟ ଥିଲେ। ସେ ସମୟରେ ସେ କମ୍ପାନୀରେ ଆର୍ଥିକ ସେବା ପରିଚାଳକ ପଦରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ଦରମା ବାର୍ଷିକ ୫୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ଯେତେବେଳେ ସେ ଚାକିରି ହରାଇଲେ, ସେତେବେଳେ ସେ କ’ଣ ହେଲା କିଛି ବୁଝିପାରିଲେ ନାହିଁ। ସେଣ୍ଡ୍ରାଙ୍କ ଅନ୍ୟ ଏକ ସମସ୍ୟା ଥିଲା ତାଙ୍କ ବୟସ କାରଣ ଯେତେବେଳେ ତାଙ୍କୁ ଚାକିରିରୁ ବରଖାସ୍ତ କରାଗଲା ସେତେବେଳେ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ଏଭଳି ପରିସ୍ଥିତିରେ ଯଥାଶୀଘ୍ର ଚାକିରି ମିଳିବା ଟିକେ କଷ୍ଟସାଧ୍ୟ ଥିଲା। ଆଉ ଏହି କଠିନ ସମୟରେ ସେ ଚାକିରି ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ନିଜେ କିଛି କରିବାକୁ ଚିନ୍ତା କଲେ।

ସେଣ୍ଡ୍ରା କହିବା ମୁତାବକ, ଆରମ୍ଭରୁ ସେ ପଶୁପ୍ରେମୀ ଥିଲେ। ତେଣୁ ସେ ଏହାକୁ ତାଙ୍କର ବ୍ୟବସାୟ କରିବାକୁ ଚିନ୍ତା କଲେ। ବହୁ ବିଚାର ବିମର୍ଶ ପରେ ସେ ଜଣେ ‘କ୍ୟାଟ୍‌ ବଟଲର’ ଭାବରେ କାମ କରିବା ଆରମ୍ଭ କଲେ। ଏଠାରେ ସୂଚନାଯୋଗ୍ୟ, ‘କ୍ୟାଟ୍‌ ବଟଲର’ ଅର୍ଥ ଅନ୍ୟମାନଙ୍କ ଗୃହପାଳିତ ବିଲେଇଙ୍କୁ ପାଳିବା ଏବଂ ତାଙ୍କ ଯତ୍ନ ନେବା।

ସେଣ୍ଡ୍ରା କହିଛନ୍ତି ଯେ, ପ୍ରଥମେ ତାଙ୍କୁ ବହୁତ କମ୍ କାମ ମିଳୁଥିଲା, କାରଣ ଲୋକମାନେ ତାଙ୍କ ବିଷୟରେ ଜାଣି ନଥିଲେ। କିନ୍ତୁ କିଛି ମାସ କାମ କରିବା ପରେ ବଜାରରେ ତାଙ୍କର ଚାହିଦା ବଢିବାରେ ଲାଗିଲା। ଏହାପରେ ୨୦୧୫ରେ ସେ ନିଜର ଏକ କେନ୍ଦ୍ର ଖୋଲିଥିଲେ। ସେଣ୍ଡ୍ରା କୁହନ୍ତି, ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ପରିବାର ସହିତ ବୁଲାବୁଲି କରିବାକୁ ଗଲେ ତାଙ୍କ ପୋଷା ବିଲେଇକୁ ସେଣ୍ଡ୍ରାଙ୍କ ପାଖରେ ଛାଡିଥା’ନ୍ତି। ଏହି କାମରୁ ସେଣ୍ଡ୍ରା ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ ସେ ଆଖପାଖ ଅଞ୍ଚଳରେ ଅନେକ କେନ୍ଦ୍ର ଖୋଲିଛନ୍ତି ଏବଂ ଅନେକ କର୍ମଚାରୀ ମଧ୍ୟ ଏହି କେନ୍ଦ୍ରଗୁଡ଼ିକରେ ଚାକିରି କରୁଛନ୍ତି। ଏଭଳି ଭାବେ ବର୍ତ୍ତମାନ ସେ ଜଣେ ଚାକିରି କରୁଥିବା ମହିଳାରୁ ଚାକିରି ଦେଉଥିବା ମହିଳା ପାଲଟିଛନ୍ତି।

 

Comments are closed.