‘ଇଣ୍ଡିଆ ଫର ପାର୍ଟି ଲେସ୍ ଡେମୋକ୍ରାସି’ ବୈଠକରେ ଅନ୍ନା ହଜାରେଙ୍କ ଦାବି; ବିନା ଦଳ ଓ ଚିହ୍ନରେ ହେଉ ନିର୍ବାଚନ
ନୂଆଦିଲ୍ଲୀ: ଭାରତୀୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଜନୈତିକ ଦଳ ଗୁଡ଼ିକୁ ବାଦ୍ ଦେବାକୁ ଭାରତୀୟ ନିର୍ବାଚନ ଆୟୋଗ ବିରୋଧରେ ଜନଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଅନ୍ନା ହଜାରେ। ଭ୍ରଷ୍ଟାଚାର, ସାମ୍ରଦାୟିକତାବାଦ, ଜାତିବାଦ, ଗୁଣ୍ଡାଗର୍ଦ୍ଦି ପାଇଁ ରାଜନୈତିକ ଦଳ ଗୁଡ଼ିକୁ ଦାୟୀକରି ଦେଶରେ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଆଣିବା ନିମନ୍ତେ ନିର୍ବାଚନୀ ଚିହ୍ନ ବିନା ନିର୍ବାଚନ ଅନୁଷ୍ଠିତ କରାଇବାକୁ ସେ ଦାବୀ କରିଛନ୍ତି। ଯେକୌଣସି ଭାରତୀୟ ନାଗରିକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା, ମତଦାନ କରିବା ଭଳି ଅଧିକାର ବିଷୟରେ ସଂବିଧାନରେ ସ୍ପଷ୍ଟ ଉଲ୍ଲେଖ ରହିଛି। ମାତ୍ର ସମୂହ ଭାବେ ନିର୍ବାଚନ ଲଢ଼ିବା ନେଇ ସମ୍ବିଧାନରେ କୌଣସି ଉଲ୍ଲେଖ ନାହିଁ। ରାଜନୀତିରେ ସମୂହ ବ୍ୟବସ୍ଥା ଯୋଗୁଁ ବିଗତ ଦିନରେ ଟୁଜି, କୋଇଲା, ବ୍ୟାପମ, ହେଲିକପ୍ଟର ଘୋଟାଲା ଆଦି ଘଟିଥିଲା ବୋଲି ଅନ୍ନା ହଜାରେ କହିଥିଲେ। ୧୯୫୦ରେ ଦେଶରେ ନୂତନ ସଂବିଧାନ ଲାଗୁ ହେବା ସମୟରେ ମାତ୍ର ୧୨ଟି ରାଜନୈତିକ ଦଳ ରହିଥିଲେ। ଅନ୍ନାଙ୍କ ଯୁକ୍ତି ହେଉଛି ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନ ସମୟରେ ଭାରତର ଜନତାଙ୍କ ମଧ୍ୟରେ ସାକ୍ଷରତା ହାର କମ୍ ଥିଲା। ତେଣୁ ସେତେବେଳେ ନିର୍ବାଚନରେ ଚିହ୍ନ ପ୍ରଚଳନ କରାଯାଇଥିଲା। ଏବେ ଇଭିଏମରେ ପ୍ରାର୍ଥୀଙ୍କ ନାମ ଓ ଫଟୋ ଆସୁଛି। ଯଦି ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ରହୁଛି ସେଭଳି ସ୍ଥିତିରେ ଚିହ୍ନର ଆବଶ୍ୟକତା କ’ଣ ରହିଛି ବୋଲି ଆନ୍ନା ହଜାରେ ପ୍ରଶ୍ନ କରିଛନ୍ତି। ସେତେବେଳେ ଏହି ରାଜନୈତିକ ଦଳ ଗୁଡ଼ିକୁ ନିର୍ବାଚନରେ ଭାଗ ନେବାରୁ ବାରଣ କରିବା ନିର୍ବାଚନ ଆୟୋଗଙ୍କ କର୍ତ୍ତବ୍ୟ ଥିଲା; ମାତ୍ର ତାହା କରାଗଲାନି। ବିଗତ ନିର୍ବାଚନ ଗୁଡ଼ିକରେ ଚିହ୍ନ ମାଧ୍ୟମରେ ନିର୍ବାଚନ ଲଢ଼ିବା ସୁଯୋଗ ଦିଆଯାଇ ସଂବିଧାନ ବିରୋଧି କାର୍ଯ୍ୟକୁ ଭାରତୀୟ ନିର୍ବାଚନ ଆୟୋଗ ଜାରି ରଖିଛନ୍ତି ବୋଲି ଶ୍ରୀ ହଜାରେ ସିଧାସଳଖ ଅଭିଯୋଗ କରିଛନ୍ତି। ସଂବିଧାନରେ ରାଜନୈତିକ ଦଳ ବିଷୟରେ କୌଣସି ଉଲ୍ଲେଖ ନଥିବା ବେଳେ ନିର୍ବାଚନ ଚିହ୍ନ କୁଆଡୁ ଆସିଲା ବୋଲି ନିର୍ବାଚନ ଆୟୋଗଙ୍କୁ ବ୍ୟକ୍ତିଗତ ଭାବେ ପାଞ୍ଚ ଥର ସାକ୍ଷାତ କରି ସେ ପଚାରିଥିଲେ ବୋଲି ଅନ୍ନା କହିଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ ଚିହ୍ନକୁ ସମାପ୍ତ କରାଯାଇ ପାରିବନାହିଁ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।
ତେବେ ନିର୍ବାଚନ ଚିହ୍ନ ହଟାଇବାକୁ ଜନଆନ୍ଦୋଳନ ଦରକାର। ବର୍ଷେ ମଧ୍ୟରେ ଦେଶର ସାଢ଼େ ଛଅ ଲକ୍ଷ ଗ୍ରାମରେ ସଚେତନତା ସୃଷ୍ଟି ଲାଗି ଆନ୍ଦୋଳନକୁ ତୀବ୍ର କରିବା ସହ ଲୋକତନ୍ତ୍ର ତଥା ପ୍ରଜାତନ୍ତ୍ର ପାଇଁ ଜେଲ ଭରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଇଣ୍ଡିଆ ଫର ପାର୍ଟି ଲେସ୍ ଡେମୋକ୍ରାସିର ଜାତୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ନୂଆ ଲଢ଼େଇର ଶୁଭାରମ୍ଭ ହୋଇଛି ଏବଂ ଗଣତନ୍ତ୍ରରେ ସ୍ୱଚ୍ଛତା ଆଣିବାକୁ ଲମ୍ବା ଲଢ଼େଇ କରିବାକୁ ପଡ଼ିବ। ପ୍ରତି ଗାଁରେ ସଂଗଠନ, ନିର୍ବାଚନ ପ୍ରକ୍ରିୟାରୁ ଚିହ୍ନକୁ ବାଦ୍ ଦେବା, ପାର୍ଟି ଲେସ ଡେମୋକ୍ରାସି ପାଇଁ ବର୍ଷେ ମଧ୍ୟରେ ଏକ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଜାତୀୟ ସମ୍ମିଳନରେ ପ୍ରସ୍ତାବ ପାରିତ ହୋଇଛି। ମହାରାଷ୍ଟ୍ରର ସେବାଗ୍ରାମ ଠାରେ ଡ୍ରାଫଟିଂ କମିଟିର ପ୍ରଥମ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ଏବଂ ୨୦୨୦ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ସାଢ଼େ ଛଅ ଲକ୍ଷ ଗ୍ରାମର ପ୍ରତିନିଧିଙ୍କ ସମ୍ମିଳନୀରେ ଦଳ ବିହୀନ ଗଣତନ୍ତ୍ରର ବିକଳ୍ପ ପ୍ରସ୍ତାବ ଉପସ୍ଥାପିତ ହେବ ବୋଲି ଅକ୍ଷୟ କୁମାର ଜଣାଇଥିଲେ।