ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚିତ ଭାଷଣ ସମ୍ବଳିତ ପୁସ୍ତକ ”ୱିଙ୍ଗ୍ସ ଟୁ ଆୱାର ହୋପ୍ସ୍’ ଉନ୍ମୋଚିତ
ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚିତ ଭାଷଣ ସମ୍ବଳିତ ପୁସ୍ତକ ‘ୱିଙ୍ଗ୍ସ ଟୁ ଆୱାର ହୋପ୍ସ୍’ର ପ୍ରଥମ ଭାଗକୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ଉନ୍ମୋଚନ କରାଯାଇଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନଙ୍କ ଉପସ୍ଥିତିରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁସ୍ତକର ଇଂରାଜୀ ଓ ହିନ୍ଦୀ ସଂସ୍କରଣ ସହ ଏହାର ଇ-ସଂସ୍କରଣ ଉନ୍ମୋଚନ କରିଥିଲେ। ସେହିପରି ‘କାହାନୀ ରାଷ୍ଟ୍ରପତି ଭବନ କି’ ‘ଆଶାଓ କି ଉଡାନ’ ଓ ‘ରାଷ୍ଟ୍ରପତି ଭବନ: ହେରିଟେଜ୍ ମିଟ୍ସ ଦ ପ୍ରେଜେଣ୍ଟ୍’ ଶୀର୍ଷକ ୩ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ଶ୍ରୀ ଚୌହାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ ସେ ସମାଜ, ବିଶେଷ କରି ପଛୁଆ ବର୍ଗର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଆଜି ଉନ୍ମୋଚନ କରାଯାଇଥିବା ପୁସ୍ତକର ବିଷୟବସ୍ତୁ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନ ସହିତ ଲୋକଙ୍କ ସମ୍ପର୍କକୁ ଗଭୀର କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଜୀବନରେ ବହିର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଥିଲେ ଯେ ଏହା ଆମକୁ ପ୍ରେରଣା ଦେଇଥାଏ ଏବଂ ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ, ଯାହା ଗଣତନ୍ତ୍ର ଏବଂ ସମାଜର ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ।
ଏହି ଅବସରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ପୁସ୍ତକର ଅନନ୍ୟ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଏହା ମୂଲ୍ୟବାନ ଦସ୍ତାବିଜ୍ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ପୁସ୍ତକ “କାହାନୀ ରାଷ୍ଟ୍ରପତି ଭବନ କି” ରାଷ୍ଟ୍ରପତି ଭବନର ଅନନ୍ୟ ସ୍ଥାପତ୍ୟ ଏବଂ ସମୃଦ୍ଧ ଐତିହ୍ୟକୁ ଦର୍ଶାଉଥିବା ଏକ ସଚିତ୍ର ଉପସ୍ଥାପନା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତିତ୍ୱର ପ୍ରଥମ ବର୍ଷରେ ତାଙ୍କର ବଛାବଛା ଭାଷଣର ସଂକଳନ ହେଉଛି ‘ୱିଙ୍ଗ୍ସ ଟୁ ଆୱାର ହୋପ୍ସ୍’ ଏବଂ ‘ଆଶାଓ କି ଉଡାନ’ ପୁସ୍ତକ। ‘କାହାନି ରାଷ୍ଟ୍ରପତି ଭବନ କି’ ପିଲାମାନଙ୍କ ପାଇଁ ଏକ ପୁସ୍ତକ ଯେଉଁଥିରେ ରାଷ୍ଟ୍ରପତି ଭବନ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆକର୍ଷଣୀୟ ଶୈଳୀ ଏବଂ ସରଳ ଭାଷାରେ ସୂଚନା ରହିଛି। ‘ରାଷ୍ଟ୍ରପତି ଭବନ: ହେରିଟେଜ୍ ମିଟ୍ସ ଦ ପ୍ରେଜେଣ୍ଟ’ ରାଷ୍ଟ୍ରପତି ଭବନର ଇତିହାସ ଏବଂ ସ୍ଥାପତ୍ୟର ଏକ ସଚିତ୍ର ଉପସ୍ଥାପନା ଏବଂ ଏଥିରେ ସମସ୍ତ ପୂର୍ବତନ ରାଷ୍ଟ୍ରପତିଙ୍କ ବିଷୟରେ ସୂଚନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ସୂଚନା ଏବଂ ବର୍ତ୍ତମାନର ରାଷ୍ଟ୍ରପତିତ୍ୱର ପ୍ରମୁଖ ଘଟଣାର ଚିତ୍ର ମଧ୍ୟ ଏହି ପୁସ୍ତକର ଏକ ଅଂଶ ଅଟେ।
ପୁସ୍ତକ ଉନ୍ମୋଚନ ଉତ୍ସବରେ ରାଷ୍ଟ୍ରପତି ଭବନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
Comments are closed.