www.samajalive.in
Thursday, December 11, 2025
23.1 C
Bhubaneswar

କାହିଁକି ରାଗିଛନ୍ତି ଚାଷୀ? କ’ଣ ରହିଛି ସେମାନଙ୍କର ମୁଖ୍ୟ ଦାବି

ଭୁବନେଶ୍ବର: ଚାଷୀମାନେ ଦେଇଛନ୍ତି ଭାରତ ବନ୍ଦ ଡ଼ାକରା । ଏହି ଡ଼ାକରାକୁ ବିଭିନ୍ନ ବିରୋଧୀ ଦଳ ସମର୍ଥନ କରୁଛନ୍ତି । ତେବେ କାହିଁକି ଚାଷୀ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି ଓ କ’ଣ ସେମାନଙ୍କ ଦାବି ରହିଛି ଆସନ୍ତୁ ଜାଣିବା ।

ନୂତନ କୃଷି ନିୟମ ଅନୁଯାୟୀ, ଉତ୍ପାଦିତ ଫସଲ ମଣ୍ଡି ଭିନ୍ନ ଅନ୍ୟତ୍ର ବିକ୍ରି କରିବାର ବ୍ୟବସ୍ଥା ରହିଛି । ମାତ୍ର ଚାଷୀମାନଙ୍କ ଭୟ ହେଉଛି ଏହି ବ୍ୟବସ୍ଥା କରି ସରକାର ଧୀରେ ଧୀରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ହଟାଇ ଦେଇପାରନ୍ତି । କୌଣସି ଫସଲ ବିକ୍ରି ନିମନ୍ତେ ସରକାର ଏହି ମୂଲ୍ୟ ନିର୍ଧାରଣ କରିଥାଆନ୍ତି । ସରକାର କହିଛନ୍ତି ଏମ୍ଏସପି ହଟାଯିବ ନାହିଁ, ମାତ୍ର ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଶେଷ ହେବ ନାହିଁ ବୋଲି ଆଇନରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ।

- Advertisement -

ନୂତନ ନିୟମରେ ମଣ୍ଡି ବନ୍ଦ ହେବା ନେଇ କୌଣସି ପ୍ରାବଧାନ ନାହିଁ । ମାତ୍ର କୃଷକମାନଙ୍କ ଭୟ ହେଉଛି ଯେ ସରକାରଙ୍କ ନୂଆ ଆଇନ କାର୍ଯ୍ୟକାରୀ ହେଲେ ମଣ୍ଡି ବ୍ୟବସ୍ଥା ନଷ୍ଟ ହୋଇଯାଇପାରେ । ଏହା ସହ ମଣ୍ଡିରେ ଟିକସ ବ୍ୟବସ୍ଥା ଥିବାବେଳେ ବାହାରେ କୃଷି ଉତ୍ପାଦ କ୍ରୟବିକ୍ରୟରେ ଟିକସ ନାହିଁ । ତେଣୁ ସ୍ବାଭାବିକ ଭାବରେ ଅନେକ ବାହାରେ ନିଜ ଉତ୍ପାଦ ବିକ୍ରି କରିବେ, ଏହା ମଣ୍ଡି ସଂସ୍କୃତିକୁ ନଷ୍ଟ କରିଦେବ ବୋଲି ଭୟ କରି ଚାଷୀମାନେ ଟିକସ ବ୍ୟବସ୍ଥା ସଂଶୋଧନ କରିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହେବା ପରେ କୃଷି କ୍ଷେତ୍ରରେ ପୁଞ୍ଜିପତି ଓ କର୍ପୋରେଟହାଉସଗୁଡ଼ିକ ପ୍ରବେଶ କରିବାର ଆଶଙ୍କା କରିଛନ୍ତି ଚାଷୀ । ବଡ଼ବଡ଼ ବ୍ୟବସାୟୀ ଓ କର୍ପୋରେଟ ହାଉସଗୁଡ଼ିକ ଲାଭ ପାଇବା ଲାଗି ଏମଏସପିଠାରୁ କମ ମୂଲ୍ୟରେ କିଣିବାର ଆଶଙ୍କା ଅଛି । ତେଣୁ ଏମଏସପିରୁ କମ୍ ଦାମରେ କୌଣସି କୃଷି ଉତ୍ପାଦ ବିକ୍ରି ହେବ ନାହିଁ ତାହା ନିଶ୍ଚିତ କରିବାକୁ ଚାଷୀ ଦାବି କରିଛନ୍ତି । ସେହିପରି କୃଷି କ୍ଷେତ୍ରରେ ପୁଞ୍ଜିପତିମାନଙ୍କ ପ୍ରବେଶ ଦ୍ବାରା କ୍ଷୁଦ୍ର ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି । ତେଣୁ ହୋଡ଼ିଂ ବନ୍ଦ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।

ତେବେ ଏହି କୃଷି ଆଇନରେ ଯେଉଁ ବ୍ୟବସ୍ଥାଟିକୁ ଚାଷୀମାନେ ସବୁଠୁ ବେଶୀ ବିରୋଧ କରୁଛନ୍ତି ତାହା ହେଉଛି ଚାଷୀମାନଙ୍କର ଅଦାଲତ ଯିବାର ଅଧିକାର । ନୂଆ ଆଇନରେ ଚୁକ୍ତିଭିତ୍ତିକ ଚାଷ ସଂକ୍ରାନ୍ତ ଯେଉଁ ନିୟମ ପ୍ରଣୟନ ହୋଇଛି, ସେଥିରେ ଚାଷୀମାନଙ୍କର ଅଦାଲତ ଯିବାର ଅଧିକାର ଛଡ଼ାଇ ନିଆଯାଇଛି । ଆଇନ ଅନୁସାରେ ଚୁକ୍ତିଭିତ୍ତିକ କୃଷିରେ  କୃଷକ ଏବଂ କମ୍ପାନୀ ମଧ୍ୟରେ ବିବାଦ ଅଛି କି ନାହିଁ ଏସଡିଏମ ନିଷ୍ପତ୍ତି ନେବ । ଏହା ପରେ ମଧ୍ୟ ଯଦି ବିବାଦର ସମାଧାନ ନ ହୁଏ ତେବେ ଚାଷୀଙ୍କୁ ଡିଏମ୍‌ରେ ଆବେଦନ କରିବାକୁ ପଡ଼ିବ, ସେମାନେ କୋର୍ଟକୁ ଯାଇପାରିବେ ନାହିଁ।  ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି ଓ ଚାଷ ସଂକ୍ରାନ୍ତ କୌଣସି ପ୍ରସଙ୍ଗରେ ଚାଷୀକୁ ଅଦାଲତ ଯିବାର ଅଧିକାର ଛଡ଼ାଇ ନିଆ ନ ଯାଉ ବୋଲି ସେମାନେ ଦାବି କରିଛନ୍ତି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories