ଭୁବନେଶ୍ୱର : ଦିବ୍ୟାଙ୍ଗ ଭୋଟର୍ଙ୍କ ସୁବିଧା ପାଇଁ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ହ୍ବିଲ୍ ଚେୟାର ଯୋଗାଇ ଦିଆଯିବ। ଭୋଟ ଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ହ୍ବିଲ୍ ଚେୟାର ଉପଲବ୍ଧ ହେବ। ଏଥିସହ ଭୋଟ ଗ୍ରହଣ କେନ୍ଦ୍ରକୁ ହ୍ବିଲ୍ ଚେୟାରରେ ଯିବା ଆସିବା ପାଇଁ ରାମ୍ପ୍ ନିର୍ମାଣ କରାଯିବ। ମାର୍ଚ୍ଚ ମାସ ୧୫ ତାରିଖ ପୂର୍ବରୁ ଏହି କାର୍ଯ୍ୟ ଶେଷ ହେବ। ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ ନିମ୍ନତମ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି।
ଶେଷଥର ପାଇଁ ୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ୩୫୯୫୯ଟି ଭୋଟ ଗ୍ରହଣ କେନ୍ଦ୍ର ଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୭,୬୦୬କୁ ବୃଦ୍ଧି ପାଇଛି। ଗତ ନିର୍ବାଚନରେ ୩୧୮୫୪ (୮୮.୫୮%) କେନ୍ଦ୍ରରେ ଦିବ୍ୟାଙ୍ଗ ଭୋଟର୍ଙ୍କ ଯିବା ଆସିବା ପାଇଁ ରାମ୍ପ୍ ରହିଥିଲା। ଏବେ ୩୪,୭୯୩ଟି କେନ୍ଦ୍ରରେ ଏହି ସୁବିଧା ରହିଛି। ତେଣୁ ମାସେ ମଧ୍ୟରେ ସମସ୍ତ କେନ୍ଦ୍ରରେ ରାମ୍ପ୍ ଓ ହାତ ରେଲିଂ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଛି। ଦିବ୍ୟାଙ୍ଗ ଭୋଟର୍ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଯେମିତି ସୁବିଧାରେ ବୁଥ୍ ପର୍ଯ୍ୟନ୍ତ ଯିବା ଆସିବା କରି ପାରିବେ ସେଥିପାଇଁ ସରକାର ହ୍ବିଲ୍ ଚେୟାର ଯୋଗାଇ ଦେବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ହ୍ବିଲ ଚେୟାର ଆମଦାନୀ କରିବ। ତେବେ କେଉଁ କେନ୍ଦ୍ର ପାଇଁ କେତେ ସଂଖ୍ୟାରେ ହ୍ବିଲ୍ ଚେୟାର ଦରକାର ତାହାର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ ତାଲିକା ପ୍ରସ୍ତୁତ କରି ବିଭାଗକୁ ପ୍ରଦାନ କରିବେ। ଦିବ୍ୟାଙ୍ଗ ଭୋଟର୍ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ହ୍ବିଲ୍ ଚେୟାର ଯୋଗାଇ ଦିଆଯିବ ଏବଂ ସେଠାରେ ଉପସ୍ଥିତ କର୍ମଚାରୀ ତାଙ୍କୁ ସହାୟତା କରିବେ। ଅପରପକ୍ଷେ ୧୩,୯୩୪ଟି କେନ୍ଦ୍ରରେ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଯୋଗାଇ ଦେବା ପାଇଁ ଶକ୍ତି ବିଭାଗ ସଚିବଙ୍କୁ କୁହାଯାଇଛି। ବର୍ତ୍ତମାନ କେବଳ ୬୨.୯୪% କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ରହିଛି। ସେହିପରି ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏବେ ୨ ହଜାରରୁ ଅଧିକ କେନ୍ଦ୍ରରେ ଶୌଚାଳୟ ବ୍ୟବସ୍ଥା ନଥିବାରୁ ଏନେଇ ପୂର୍ତ୍ତ ବିଭାଗ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ରହିବ ହ୍ବିଲ ଚେୟାର ଓ ରାମ୍ପ୍
Popular Categories



