www.samajalive.in
Saturday, December 6, 2025
23.1 C
Bhubaneswar

ଏପଷ୍ଟିନ ଫାଇଲ୍ସ କ’ଣ ? ଟ୍ରମ୍ପଙ୍କ ଅପରାଧ ଦୁନିଆରୁ ପରଦା ହଟାଉଛନ୍ତି କି ମସ୍କ ?

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୁଞ୍ଜିପତି ଏଲନ ମସ୍କ ବିଶ୍ଵର ଦୁଇ ଜଣ ବଡ଼ ବ୍ୟକ୍ତିତ୍ଵ। କିଛିଦିନ ତଳେ ଏହି ଦୁଇ ଜଣଙ୍କ ବନ୍ଧୁତ୍ଵକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ଉଭୟଙ୍କ ମଧ୍ୟରେ ଫାଟ। ଟ୍ରମ୍ପ ପ୍ରଶାସନରୁ ଏଲନ ମସ୍କ ଇସ୍ତଫା ଦେବା ପରେ ଟ୍ରମ୍ପଙ୍କ କଳା କାରନାମାର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଆଉ ତାହାକୁ ଲୋକଲୋଚନକୁ ଆଣୁଛନ୍ତି ସେହି ପୁରୁଣା ବନ୍ଧୁ ଏଲନ ମସ୍କ। ମସ୍କ ଇସ୍ତଫା ଦେବା ପଛରେ ଟ୍ରମ୍ପ ପ୍ରଶାସନର ଟିକସ ବିଲ୍‌କୁ ଦାୟୀ କରିଥିଲେ। କିନ୍ତୁ ଏବେ ଆଉ ଏକ ଗୋପନୀୟ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏପଷ୍ଟିନ ଫାଇଲ୍ସରେ ଟ୍ରମ୍ପଙ୍କ ନାଁ ରହିଥିବା ମସ୍କ ଦାବି କରିଛନ୍ତି। ଏ ନେଇ ସେ ଏକ୍ସ’ରେ ଏକ ପୋଷ୍ଟ କରି ଏହାର ପର୍ଦ୍ଦାଫାଶ କରିଛନ୍ତି। ଯୌନ​‌ କେଳେଙ୍କରୀର ସୌଦାଗର ଜେଫରି ଏପଷ୍ଟିନ ସହିତ ଟ୍ରମ୍ପଙ୍କ ସମ୍ପର୍କ ରହିଥିବା ମସ୍କ ଉଲ୍ଲେଖ କରିଛନ୍ତି। ଯଦିଓ ଟ୍ରମ୍ପ ଏହାକୁ ପୂର୍ବରୁ ଖଣ୍ଡନ କରିଥିଲେ, କିନ୍ତୁ ଏଥର ମସ୍କ କିଛି ପୁରୁଣା ଫଟୋ ସହିତ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଏପଷ୍ଟିନ ଫାଇଲ୍ସରେ ଟ୍ରମ୍ପଙ୍କ ନାଁ ଥିବାରୁ ତାହାକୁ ସାର୍ବଜନୀନ କରାଯାଇ ନ ଥିବା ମସ୍କ କହିଛନ୍ତି। ଏପରି କି ତାଙ୍କ ପାଇଁ ଟ୍ରମ୍ପ ନିର୍ବାଚନରେ ଜିତିଛନ୍ତି ବୋଲି ମସ୍କ କହିଛନ୍ତି।

ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଏପଷ୍ଟିନ ଫାଇଲ୍ସ କ’ଣ ? ଅପରାଧ ଦୁନିଆ ସହିତ ଏହାର ସମ୍ପର୍କ କ’ଣ ? ଟ୍ରମ୍ପଙ୍କୁ କାହିଁକି ଏଥିରେ ଯୋଡୁଛନ୍ତି ମସ୍କ ? ଏମିତି ଅନେକ ପ୍ରଶ୍ନ ଉଠୁଛି, ଆସନ୍ତୁ ଜାଣିବା ଏହି ପ୍ରସଙ୍ଗରେ…

- Advertisement -

ଟ୍ରମ୍ପଙ୍କ ନାମ ଜେଫରି ଏପଷ୍ଟିନ ଫାଇଲ୍ସରେ ଆସିବା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ। ଯେଉଁଥିପାଇଁ ମସ୍କ ଏହା ଉପରୁ ପରଦା ହଟାଇବା ଲାଗି ଚେଷ୍ଟା କରିଛନ୍ତି। ସେ ଏକ ପୋଷ୍ଟରେ ଲେଖିଛନ୍ତି, ବର୍ତ୍ତମାନ ପ୍ରକୃତରେ ଏକ ବଡ଼ ବୋମା ପକାଇବାର ସମୟ ଆସିଛି। ଟ୍ରମ୍ପଙ୍କ ନାମ ଏପଷ୍ଟିନ ଫାଇଲ୍ସରେ ରହିଛି। ଏହି କାରଣରୁ ଉକ୍ତ ଫାଇଲଗୁଡ଼ିକୁ ସାର୍ବଜନିନ କରାଯାଉ ନାହିଁ। ମସ୍କଙ୍କ ଏହି ପୋଷ୍ଟ ପରେ ଆମେରିକା ରାଜନୀତିରେ ହଟଚମଟ ଦେଖାଦେଇଛି। ଏପରି କି ମସ୍କ ଟ୍ରମ୍ପଙ୍କ ବହିସ୍କାର ଦାବି କରିଛନ୍ତି।

ଜେଫରି ଏପଷ୍ଟିନ କିଏ ?

ଜେଫରି ଏପଷ୍ଟିନ ଆମେରିକାର ଜଣେ କୋଟିପତି ଫାଇନାନ୍ସର ଥିଲା। ଅଚଳାଚଳ ସମ୍ପତ୍ତି ବଳରେ ଏହି ବ୍ୟକ୍ତି ଜଣକ ବିଶ୍ଵର ଧନୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ବନାଇଥିଲା। ସେହି ଧନୀ ବ୍ୟକ୍ତିଙ୍କ ତାଲିକାରେ ଟ୍ରମ୍ପଙ୍କ ନାମ ବି ସାମିଲ। ତେବେ ଏହାକୁ ନେଇ ହଙ୍ଗାମା କ’ଣ ପାଇଁ ? ଏହାର କାରଣ ହେଉଛି ଜେଫରି ଏପଷ୍ଟିନ ଜଣେ ଦେହ ଦଲାଲ ଥିଲା। ଯୌନ ଅପରାଧର କଳା ଦୁନିଆରେ ତା’ର ବଡ଼ ଅପଖ୍ୟାତି ରହିଥିଲା। ସେକ୍ସ ଟ୍ରାଫିକିଂ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲା।

୧୯୫୩ରେ ନ୍ୟୁୟର୍କରେ ଜନ୍ମିତ ଏପଷ୍ଟିନ ବିନା କଲେଜ ଡିଜ୍ରୀରେ ବ୍ୟାଙ୍କିଙ୍ଗ ଏବଂ ଅର୍ଥନୈତିକ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିଥିଲା। ତା’ ବିରୋଧରେ ନାବାଳିକାମାନଙ୍କୁ ଯୌନ ଶୋଷଣ ଅପରାଧ ଏବଂ ଯୁବତୀ ଚାଲାଣ ରାକେଟ ଭଳି ଗମ୍ଭୀର ଅଭିଯୋଗ ରହିଥିଲା। ୨୦୦୫ରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିଥିଲା। ଏହି ଗୋଟିଏ ଘଟଣାରୁ ବଡ଼ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ୩୬ ନାବାଳିକାଙ୍କୁ ସେ ଯୌନ ଶୋଷଣ ରାକେଟରେ ବ୍ୟବହାର କରିଥିଲା। ୨୦୦୮ରେ ତା’କୁ ୧୩ ମାସ ଜେଲ ଦଣ୍ଡ ମିଳିଥିଲା।

ଏଭଳି ଏକ କୁଖ୍ୟାତ ଅପରାଧୀ ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରିନ୍ସ ଆଣ୍ଡ୍ର୍ୟୁଜ ଭଳି ଲୋକଙ୍କର ବନ୍ଧୁତା ରହିଥିଲା।


୨୦୧୯ରେ ଏପଷ୍ଟିନକୁ ପୁନର୍ବାର ମାନବଚାଲାଣ ରାକେଟ ଏବଂ ଯୌନ ଅପରାଧ ମାମଲାରେ ଗିରଫ କରାଯାଇଥିଲା। ମାମଲାର ଶୁଣାଣି ପୂର୍ବରୁ ଜେଲରେ ତା’ର ମୃତ୍ୟୁ ଘଟିଥିଲା। ଏହାକୁ ଆତ୍ମହତ୍ୟା ଦର୍ଶାଯାଇଥିଲେ ହେଁ ତା’ର ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିବା ସ୍ପଷ୍ଟ ଜଣାପଡ଼ିଥିଲା।

ଏପଷ୍ଟିନର ଆମେରିକାରେ ଏକ ବ୍ୟକ୍ତିଗତ ଦ୍ଵୀପ ରହିଥିଲା। ସେ ଏହାକୁ କିଣିଥିଲା। ନିଜର ଜେଟ୍‌ ବି ଥିଲା। ଏହି ଜେଟରେ ଆମେରିକାର ପ୍ରଭାବଶାଳୀ ବ୍ୟକ୍ତିମାନେ ବସି ତା’ର ଦ୍ଵୀପକୁ ଯାଇ ପାର୍ଟି କରୁଥିଲେ। ଏହି ଦ୍ଵୀପ ଭର୍ଜିନ ଆଇଲାଣ୍ଡରେ ରହିଥିଲା। ସେ ପ୍ରାୟ ସମୟରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ନିଜ ଜେଟ୍‌ରେ ବସାଇ ଦ୍ଵୀପକୁ ନେଉଥିଲା। ସେଠାକୁ ଯାତ୍ରା କରୁଥିବା ଲୋକଙ୍କ ନାମକୁ ଲେଖି ରଖୁଥିଲା। ଏମାନଙ୍କ ନାମ ଭିତରେ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମ ବି ସାମିଲ ଥିଲା।

ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ ଟ୍ରମ୍ପ ଜେଫରି ଏପଷ୍ଟିନ ଜେଟ୍‌ରେ ୭ ଥର ଯାତ୍ରା କରିଛନ୍ତି। କିନ୍ତୁ ୨୦୨୪ରେ ଟ୍ରମ୍ପ ଏହାକୁ ଖଣ୍ଡନ କରିଥିଲେ। ସେ କେବେ ବି ଏପଷ୍ଟିନର ବିମାନ କିମ୍ବା ତା’ର ନିର୍ବୋଧ ଦ୍ଵୀପକୁ ଯାଇନାହିଁ ବୋଲି ଟ୍ରମ୍ପ କହିଥିଲେ। ୨୦୧୯ରେ ଏପଷ୍ଟିନ ଗିରଫ ହେବା ପରେ ଟ୍ରମ୍ପ ତା’ଠାରୁ ଦୂରତା ରକ୍ଷା କରିଥିଲେ। କିନ୍ତୁ ୧୯୮୦ରୁ ୨୦୦୦ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ଯାହା ଅନେକ ପାର୍ଟିରେ ଉଭୟଙ୍କ ଫଟୋରୁ ସ୍ପଷ୍ଟ ହୋଇଛି।

୨୦୦୨ରେ ଟ୍ରମ୍ପ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଜେଫରି ଏପଷ୍ଟିନକୁ ଖୁବ ପ୍ରଶଂସା କରିବା ସହିତ ଚମତ୍କାର ବ୍ୟକ୍ତିତ୍ଵ ବୋଲି କହିଥିଲେ। ଟ୍ରମ୍ପଙ୍କ ସହିତ ବନ୍ଧୁତା ବିଗିଡ଼ିବା ପରେ ମସ୍କ ଏହି ମାମଲାକୁ ସାମ୍ନାକୁ ଆଣିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ମାମଲା ଏବଂ ଆଇନଗତ ରେକର୍ଡ ଯେଉଁ ଦସ୍ତାବେଜରେ ରହିଛି ତାହାକୁ ଏପଷ୍ଟିନ ଫାଇଲ୍ସ କୁହାଯାଏ। ସେଥିରୁ ଅନେକ ଫାଇଲ ଏବେ ବି ଗୋପନ ରଖାଯାଇଛି। ଏସବୁକୁ ସାର୍ବଜନିତ କରିବାକୁ ମସ୍କ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories