www.samajalive.in
Tuesday, December 9, 2025
26.1 C
Bhubaneswar

୨୯, ୩୦ ପଶ୍ଚିମ ଓଡ଼ିଶା ମହାବନ୍ଦ

ସିଏସିରେ ସର୍ବସମ୍ମତ ପ୍ରସ୍ତାବ: ସମ୍ବଲପୁରରେ ହେଉ ହାଇକୋର୍ଟ ବେଞ୍ଚ

ସମ୍ବଲପୁର : ଅର୍ଦ୍ଧଶତାବ୍ଦୀରୁ ବି ଅଧିକ ପୁରୁଣା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଆଜି ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ବିବାଦକୁ ଏଡ଼ାଇବା ପାଇଁ ଏତେ ବର୍ଷ ଧରି ବେଞ୍ଚ ପାଇଁ ପ୍ରସ୍ତାବିତ ‘ସ୍ଥାନ’କୁ ଉହ୍ୟ ରଖି ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନ ବୋଲି ଉଲ୍ଲେଖ କରି ଆସୁଥିବା କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟି ପ୍ରସ୍ତାବିତ ବେଞ୍ଚ ପାଇଁ ଜାଗାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହୁଥିଲା ତାକୁ ଦୂର କରିଛି ଓ ଅତ୍ୟନ୍ତ ସାହସିକ ପଦକ୍ଷେପ ନେଇ ‘ସମ୍ବଲପୁର’ରେ ବେଞ୍ଚ ହେଉ ବୋଲି ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ହିଁ ପ୍ରସ୍ତାବିତ ସ୍ଥାନ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ସ୍ପଷ୍ଟ ଭାବେ ଜଣାନ୍ତୁ। ଆନ୍ଦୋଳନକୁ ଅଧିକ ତୀବ୍ରତର କରିବାକୁ ଯାଇ ଆସନ୍ତା ୨୯ ଓ ୩୦ ତାରିଖ ପଶ୍ଚିମ ଓଡ଼ିଶାରେ ୪୮ ଘଣ୍ଟିଆ ମହାବନ୍ଦ ଡାକରା ଦେଇଛି। ତା’ ପୂର୍ବରୁ ଆସନ୍ତା ୧୯ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ବନ୍ଦ କରାଯିବ ବୋଲି ମଧ୍ୟ ସିଏସି ଘୋଷଣା କରିଛି।
ହାଇକୋର୍ଟ ବେଞ୍ଚ ଦାବିରେ ସମ୍ବଲପୁରରେ ଚାଲିଥିବା ଚଳିତ ପର୍ଯ୍ୟାୟ ଆନ୍ଦୋଳନର ୬୯ତମ ଦିନରେ ଆଜି ସମ୍ବଲପୁର ଗୋଶାଳା ନିକଟସ୍ଥ ହୋଟେଲ ସିଲଭର ମୁନ୍‍ରେ ଅନୁଷ୍ଠିତ ହୋଇଥିବା ସିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପରୋକ୍ତ ମର୍ମରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସିଏସି ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସରକାର ୨୦୦୭ ନଭେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଯାହା ପ୍ରସ୍ତାବ ଦେଇଥିଲେ ତାହା କାର୍ଯ୍ୟକାରୀ କରନ୍ତୁ। ଏହି ମର୍ମରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ଦିଅନ୍ତୁ। ତା ସହିତ ଏକ ସ୍ୱତନ୍ତ୍ର ନ୍ୟାୟିକ ବିଶେଷଜ୍ଞ ଦଳ ଦିଲ୍ଲୀ ପଠାନ୍ତୁ। ଯଶବନ୍ତ ସିଂ କମିଶନ ରିପୋର୍ଟ ଅନୁସାରେ ‘ସମ୍ବଲପୁର’ରେ ବେଞ୍ଚ ସ୍ଥାପନ ସକାଶେ ରାଜ୍ୟ ସରକାର କେନ୍ଦ୍ରକୁ ଜଣାନ୍ତୁ ବୋଲି ସିଏସି କହଛି। ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ନିର୍ଦିଷ୍ଟ ସ୍ଥାନ, ସୀମା ଓ ଖଣ୍ଡପୀଠ ଆଦି ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଥିଲେ। କିନ୍ତୁ ପ୍ରସ୍ତାବିତ ସ୍ଥାନକୁ ନେଇ ବିବାଦ ରହିଥିବା ଆଳରେ ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ ଆଜି ଯାଏ ହେଳା କରି ଆସୁଛନ୍ତି। କିନ୍ତୁ ଆଜି ସିଏସି ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ପରିସର ସହିତ ପ୍ରସ୍ତାବିତ ହାଇକୋର୍ଟ ବେଞ୍ଚର ସୀମା ସମାନ ହେବ ଓ ଏଠାରେ ୫ ଜଣିଆ ଖଣ୍ଡପୀଠ ଗଠନ କରିବାକୁ ପ୍ରସ୍ତାବ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିବା ସିଏସି ସମ୍ପାଦକ ନିରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।
ଆହୁରି ମଧ୍ୟ ହାଇକୋର୍ଟ ବେଞ୍ଚ ଦାବିରେ ଗତ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଚଳିତ ପର୍ଯ୍ୟାୟ ଆନ୍ଦୋଳନକୁ ଅନିର୍ଦିଷ୍ଟ କାଳ ଯାଏ ଜାରି ରଖାଯିବ। ନଭେମ୍ବର ୧୯ରୁ ୩୦ ତାରିଖ ଯାଏ ସିଏସି ଅଧୀନସ୍ଥ ଅଞ୍ଚଳର ସବୁ ସରକାରୀ କାର୍ଯ୍ୟାଳୟ, ବିଚାର ବିଭାଗୀୟ ଓ ରାଜସ୍ୱ ଅଦାଲତ ସମ୍ପୂର୍ଣ୍ଣ ଅଚଳ କରାଯିବ। ତା ଛଡ଼ା ୨୯ ଓ ୩୦ ତାରିଖରେ ୪୮ ଘଣ୍ଟିଆ ପଶ୍ଚିମ ଓଡ଼ିଶା ମହାବନ୍ଦ ପାଳନ କରାଯିବ। ଅବଶ୍ୟ ଯଦି ସରକାର ବେଞ୍ଚ ସ୍ଥାପନ ଦିଗରେ କିଛି ସନ୍ତୋଷଜନକ ପଦକ୍ଷେପ ନିଅନ୍ତି, ତାହା ହେଲେ ଆନ୍ଦୋଳନକୁ କୋହଳ କରାଯାଇ ପାରେ ଅଥବା ସ୍ଥଗିତ ରଖାଯାଇପାରେ ବୋଲି ସମ୍ପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି। ସିଏସିର ସ୍ୱତନ୍ତ୍ର ଟିମ୍‍ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଓ ଭୁବନେଶ୍ୱର ଗସ୍ତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସିଏସିର ପରବର୍ତ୍ତୀ ବୈଠକ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରରେ ଡିସେମ୍ବର ୧୬ ତାରିଖ ଅନୁଷ୍ଠିତ ହେବ। ସିଏସି କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂଆ କର୍ମକର୍ତ୍ତା ମନୋନୟନ ପର୍ଯ୍ୟନ୍ତ ବର୍ତ୍ତମାନର କମିଟି କାର୍ଯ୍ୟ କରିବ ବୋଲି ନିଷ୍ପତ୍ତିି ହୋଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜିର ବୈଠକରେ ଆବାହକ ଅଶୋକ ଦାସ ସଭାପତିତ୍ୱ କରିଥିଲେ।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories