ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ: ୫ ମୃତ, ୨୦ ଆହତ
କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ବର୍ଦ୍ଧମାନ, କୁଚବିହାର ଅଞ୍ଚଳରେ ନିର୍ବାଚନୀ ହିଂସାରେ ଧନଜୀବନ ହାନି ହୋଇଛି। ନିର୍ବାଚନୀ ହିଂସାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ୨୦ ଜଣ ଆହତ ହୋଇଥିବା ଖବର ମିଳିଛି।
କୁଚବିହାର ଜିଲାର ଶୁକ୍ତାବାଡ଼ିର ଏକ ବୁଥ୍ରେ ବିସ୍ଫୋରଣ ଘଟିବାରୁ ଜଣେ ଟିଏମ୍ସି ପ୍ରାର୍ଥୀଙ୍କ ସମେତ ୨୦ ଜଣ ଭୋଟର ଆହତ ହୋଇଛନ୍ତି। ଆଲିପୁରଦୌରରେ ଭୋଟ ନ ଦେବା ପାଇଁ ଭୋଟରଙ୍କୁ ଚେତାବନୀ ଦିଆଯାଇଛି। ଦକ୍ଷିଣ ୨୪ ପ୍ରଗଣା ଜିଲାର ନମ୍ଖାନାରେ ସିପିଏମ୍ ସମର୍ଥିତ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ଟିଏମ୍ସି କର୍ମୀମାନେ ଘରେ ନିଅାଁ ଲଗାଇ ଦେବାରୁ ଘର ଭିତରେ ଦମ୍ପତ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସିପିଏମ୍ ପକ୍ଷରୁ ଅଭିଯୋଗ କରାଯାଇଛି। କୁକ୍ଟୁଲିଠାରେ ଜଣେ ତୃଣମୂଳ କଂଗ୍ରେସ ସମର୍ଥକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଜିଲାର ଭାଙ୍ଗରରେ ଏକ ଗଣମାଧ୍ୟମର ଗାଡ଼ିକୁ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲାର ବାଗ୍ଡାର ଏକ ମତଦାନ କେନ୍ଦ୍ରକୁ ଦୁର୍ବୃତ୍ତମାନେ ଦଖଲକୁ ନେଇଥିବା ଖବର ମିଳିଛି। ସେଠାରେ ଏକ ବୁଥରେ ଗୋଷ୍ଠୀ ସଂଘର୍ଷ ବେଳେ ବୋମାମାଡ଼ ହୋଇଥିଲା। ଏଥିରେ ଜଣେ ସିପିଏମ୍ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୁର୍ସିଦାବାଦ୍ରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ନଟାବାରିରେ ଜଣେ ବିଜେପି ଏଜେଣ୍ଟଙ୍କୁ ମାଡ଼ ମାରିବା ଅଭିଯୋଗ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷଙ୍କୁ ନିର୍ବାଚନ କମିଶନ୍ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜଳପାଇଗୁଡ଼ିରେ ବ୍ୟାଲେଟ୍ ବକ୍ସ ପୋଡ଼ା ଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ବ୍ୟାଲେଟ୍ ପେପରକୁ ପାଣିରେ ଫୋଫାଡ଼ି ଦିଆଯାଇଥିôବା ଅଭିଯୋଗ ହୋଇଛି। ମୁର୍ସିଦାବାଦ୍ରେ ଭୋଟ୍ ଗ୍ରହଣ ବନ୍ଦ ରହିଛି। ହାୱଡ଼ାରେ ପୁଲିସ୍ ଉପରକୁ ଗଣ୍ଡଗୋଳକାରୀମାନେ ବୋମା ଫୋଫାଡ଼ିଥିବା ବେଳେ ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଟିୟର ଗ୍ୟାସ୍ ପ୍ରୟୋଗ କରିବା ସହିତ ଗୁଳି ଚାଳନା କରିଥିବା ଖବର ମିଳିଛି।
ଏପ୍ରିଲ୍ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଇଭିଏମ୍ ବଦଳରେ ବ୍ୟାଲେଟ୍ ପେପର ବ୍ୟବହାର ହେଉଛି। ୫୮ ହଜାରରୁ ଊଦ୍ଧ୍ୱର୍ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୩୮ ହଜାର ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀମାନେ ଅପ୍ରତିଦ୍ୱନ୍ଦ୍ୱୀ ଘୋଷିତ ହୋଇଛନ୍ତି। ସୁପ୍ରିମକୋର୍ଟ ନିର୍ବାଚନ ଫଳ ଘୋଷଣା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଗତ ସପ୍ତାହରେ ନିର୍ବାଚନୀ ହିଂସାକୁ ନେଇ କାଲକାଟା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ। ୨୦୧୩ ପଞ୍ଚାୟତ ନିର୍ବାଚନ ହିଂସାରୁ ଚଳିତ ଥର ହିଂସା ଜନିତ ଧନଜୀବନ ହାନି ସଂଖ୍ୟା ବୃଦ୍ଧି ପାଇଲେ ସରକାରୀ ଅଧିକାରୀ ଓ ନିର୍ବାଚନ କମିଶନ୍ ଦାୟୀ ରହିବେ ବୋଲି ହାଇକୋର୍ଟ ରାୟ ଦେଇଥିଲେ। ହିଂସାକୁ ରୋକିବା ପାଇଁ ୧ ଲକ୍ଷ ୫୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଦେଖାଦେଇଥିଲା। ସୁରକ୍ଷା ଦାବି କରି କେତେକ ପ୍ରାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଧମକ ଯୋଗୁଁ ଅନେକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିପାରିନାହାନ୍ତି ବୋଲି ଅଭିଯୋଗ ଆସିଛି। ଶାସକ ତୃଣମୂଳ କଂଗ୍ରେସର କର୍ମୀମାନେ ଏଭଳି ଉତ୍ତେଜନା ସୃଷ୍ଟି କରିଥିବା ଓ ଧମକଚମକ ଦେଇଥିବା ବିଜେପି, କଂଗ୍ରେସ ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।