ଭାରତର ଓଜନ ବୋଝ

ଭୁବନେଶ୍ଵର: ମେଦବହୁଳତା ଆମ ଦେଶର ନୂଆ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହେବାରେ ଲାଗିଛି। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମୋଟା ଲୋକଙ୍କ ସଂଖ୍ୟା। ମୋଟାପଣ ଅନ୍ୟ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେଉଛି। ମାନ୍ଦା ଜୀବନଶୈଳୀ, ମାତ୍ରାଧିକ ତୈଳ ଓ ମସଲା ଯୁକ୍ତ ଖାଦ୍ୟ ସେବନ ଓ ଆବଶ୍ୟକୀୟ ଶାରୀରିକ କାର୍ଯ୍ୟକଳାପର ଅଭାବ ମେଦବହୁଳତାର ପ୍ରମୁଖ କାରଣ। ଏହା ଦେଶ ପାଇଁ ଏକ ମସ୍ତବଡ ଆହ୍ୱାନ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ତଳେ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ମେଦବହୁଳତା ସମସ୍ୟା ପ୍ରତି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ ପାଇଁ ଘୋଷଣା କରିଛନ୍ତି। ମେଦବହୁଳତାର ମୁକାବିଲା ପାଇଁ ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ ଲୋକଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନେ ମେଦବହୁଳତା କେବଳ ପାଶ୍ଚାତ୍ୟ ଦେଶର ସମସ୍ୟା ଥିଲା; କିନ୍ତୁ ଏବେ ଭାରତ ଭଳି ବିକାଶଶୀଳ ଦେଶରେ ମେଦବହୁଳତା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଛି। ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ‘ଦି ଲାନସେଟ୍ ଗ୍ଲୋବାଲ ହେଲ୍ଥ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ମେଦବହୁଳତା ବା ମୋଟାପଣ ହାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି। ଅଧ୍ୟୟନ ଅନୁସାରେ ପାଖାପାଖି ୪୦ ପ୍ରତିଶତ ପ୍ରାପ୍ତବୟସ୍କ ମେଦବହୁଳତାରେ ଆକ୍ରାନ୍ତ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଉଦ୍ବେଗର ବିଷୟ। କାରଣ ମେଦବହୁଳତାରେ ଆକ୍ରାନ୍ତ ବ୍ୟକ୍ତିକୁ ମଧୁମେହ, ହାଇପରଟେନସନ ଓ ହୃଦ୍ରୋଗର ଆଶଙ୍କା ଅଧିକ ଥାଏ। ଆଜି ଭାରତରେ ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳତା ସମସ୍ୟାର ସମ୍ମୁଖୀନ ହୋଇଥାଏ। ଗତ କିଛି ବର୍ଷରେ ଏ ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି। ଚିନ୍ତାର ବିଷୟ ପିଲାମାନେ ମଧ୍ୟ ଏହି ସମସ୍ୟାରୁ ବାଦ୍ ପଡୁନାହାନ୍ତି। ପିଲାମାନଙ୍କ ମଧ୍ୟରେ ମୋଟାପଣର ସମସ୍ୟା ଚାରି ଗୁଣା ବୃଦ୍ଧି ପାଇଛି। ୨୦୨୪ରେ ଦି ଲାନସେଟ ପତ୍ରିକା କରିଥିବା ଏକ ଅଧ୍ୟୟନ ଅନୁସାରେ ୨୦୨୨ରେ ଆମ ଦେଶରେ ୫ରୁ ୧୯ ବର୍ଷ ବୟସର ୧ କୋଟି ୨୫ ଲକ୍ଷ ପିଲାଙ୍କ ଓଜନ ଆବଶ୍ୟକଠାରୁ ଯଥେଷ୍ଟ ଅଧିକ ଥିଲା। ୧୯୯୦ରେ ଏହି ସଂଖ୍ୟା ମାତ୍ର ୪ ଲକ୍ଷ ଥିଲା। ୨୦୨୨ ମସିହାରେ ଦେଶରେ ୨୦ରୁ ଅଧିକ ବର୍ଷ ବୟସର ସାଢେ ୪ କୋଟି ୪୦ ଲକ୍ଷ ମହିଳା ଓ ୨ କୋଟି ୬୦ ଲକ୍ଷ ପୁରୁଷ ମେଦବହୁଳତାରେ ଆକ୍ରାନ୍ତ ହୋଇଥିଲେ; କିନ୍ତୁ ୧୯୯୦ରେ ମେଦଗ୍ରସ୍ତ ମହିଳା ଓ ପୁରୁଷଙ୍କ ସଂଖ୍ୟା ଯଥାକ୍ରମେ ୨୪ ଓ ୧୧ ଲକ୍ଷ ଥିଲା। ଏହି ପରିସଂଖ୍ୟନରୁ ସ୍ପଷ୍ଟ ଯେ, ମେଦଗ୍ରସ୍ତ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)-୫ରୁ ଆମ ଦେଶରେ ମେଦବହୁଳତା ସଂପର୍କିତ ଚିନ୍ତାଜନକ ତଥ୍ୟ ଜଣାପଡ଼ିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ୧୫ରୁ ୪୯ ବର୍ଷ ବୟସର ପ୍ରାୟ ୨୩ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ମେଦବହୁଳତା ସମସ୍ୟାର ସାମନା କରୁଛନ୍ତି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମୋଟାପଣ ସମସ୍ୟା ଅଧିକ। ସଂସଦରେ ଉପସ୍ଥାପିତ ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ଭାରତରେ ମେଦବହୁଳତା ସମସ୍ୟା ସଂପର୍କରେ ଉଲ୍ଲେଖ କରାଯାଇଛି। ମୋଟାପଣ ପାଇଁ ସାଧାରଣତଃ ଜଙ୍କ୍ ଫୁଡ୍ ଓ ମାନ୍ଦା ଜୀବନଶୈଳୀକୁ ଦାୟୀ କରାଯାଇଥାଏ; କିନ୍ତୁ ଓଜନ ବଢିବା ପଛରେ ଯେ, ଆମେ ବ୍ୟବହାର କରୁଥିବା ଖାଇବା ତେଲ ମଧ୍ୟ ଦାୟୀ, ସେ ସଂପର୍କରେ ଆମେ କ୍ୱଚିତ୍ ଆଲୋଚନା କରୁ। ଅଲ୍ ଇଣ୍ଡିଆ ଆସୋସିଏସନ ଫର୍ ଆଡଭାନ୍ସିଂ ରିସର୍ଚ୍ଚ ଆଣ୍ଡ୍ ଓବେସିଟି –ଏଆଇଏଆରଓ ଅନୁସାରେ ଭାରତୀୟ ଖାଦ୍ୟରେ ଖାଇବା ତେଲ ଓ ଘିଅର ମାତ୍ରାଧିକ ଉପସ୍ଥିତି ଥାଏ। ଅତ୍ୟଧିକ ତେଲ ଓ ଘିଅ ଆମ ଶରୀରରେ ଫ୍ୟାଟ୍ ବା ଚର୍ବି ବୃଦ୍ଧିର କାରଣ ହୋଇଥାଏ। ନିଷ୍କ୍ରିୟ ଜୀବନଶୈଳୀ ଓ ବ୍ୟାୟାମ କରୁନଥିବାରୁ ଚର୍ବି ଯାଏ ନାହିଁ, ଯାହା କି ମେଦବହୁଳତାର କାରଣ ହୋଇଥାଏ। ସାଧାରଣତଃ ଖାଇବା ତେଲରେ ଫ୍ୟାଟ୍ ପରିମାଣ ଅଧିକ ଥାଏ। ମଣିଷ ଶରୀରକୁ ସବୁଠୁ ଅଧିକ କ୍ୟାଲୋରୀ ଫ୍ୟାଟ୍ରୁ ହିଁ ମିଳିଥାଏ। ପ୍ରୋଟିନରୁ କ୍ୟାଲୋରୀ ମିଳୁଥିବା ବେଳେ ଫ୍ୟାଟରୁ ମିଳେ ୯ କ୍ୟାଲୋରୀ। ତେଣୁ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ମେଦବହୁଳତା ନିଶ୍ଚିତ ବୋଲି ଡାକ୍ତରମାନେ କହନ୍ତି। ତେଣୁ ମୋଟାପଣ ନିୟନ୍ତ୍ରଣ ପାଇଁ ଖାଇବା ତେଲର ମାତ୍ରା କମାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ବୟସକୁ ଦେଖି ଖାଇବା ତେଲ ବ୍ୟବହାର କରିବା ଉପରେ ମତ ଦିଅନ୍ତି ଡାକ୍ତର। ଆମ ଦେଶରେ ପ୍ରତି ବ୍ୟକ୍ତି ପିଛା ଖାଇବା ତେଲ ପରିମାଣ ହେଉଛି ବାର୍ଷିକ ୨୦ କିଲୋଗ୍ରାମ, ଯାହା କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ପରିମାଣଠାରୁ ଅଧିକ। ପ୍ରତି ବ୍ୟକ୍ତି ବାର୍ଷିକ ୧୨ କେଜି ଖାଇବା ତେଲ ସେବନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି। ଏଣେ ଆମର ଖାଦ୍ୟପେୟରେ ଶ୍ୱେତସାର ପରିମାଣ ମଧ୍ୟ ଅଧିକ ରହୁଥିବାରୁ ଏହା ମେଦବହୁଳତାର ଅନ୍ୟ ଏକ କାରଣ ହୋଇଥାଏ। ଶାରୀରିକ ଶ୍ରମର ଅଭାବ ଓ ମାନ୍ଦା ଜୀବନଶୈଳୀକୁ ମେଦବହୁଳତା ପାଇଁ ଦାୟୀ କରନ୍ତି ବିଶେଷଜ୍ଞ। ୨୦୨୪ରେ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ ଭାରତୀୟଙ୍କ ମାନ୍ଦା ଜୀବନଶୈଳୀ ସମ୍ପର୍କରେ ଏକ ଗୁରୁତର କଥା କହିଥିଲା। ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ବୟସ୍କ(୫୭% ମହିଳା ଓ ୪୨% ପୁରୁଷ) ଭାରତୀୟ ଶାରୀରିକ ଶ୍ରମ କରୁନାହାନ୍ତି। ଭାରତରେ ମେଦବହୁଳତା ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ବଢୁଛି, ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଅନୁମେୟ। ବର୍ତ୍ତମାନର ସ୍ଥିତି ଯାହା, ୨୦୫୦ ମସିହା ବେଳକୁ ଭାରତରେ ବିଶ୍ୱରେ ସର୍ବାଧିକ ମେଦବହୁଳତା ଆକ୍ରାନ୍ତଙ୍କ ସଂଖ୍ୟା ଥିବେ ବୋଲି ଲାନସେଟ୍ ପତ୍ରିକା ଅନୁମାନ କରିଛି। ବିଳମ୍ବରେ ହେଲେ ମଧ୍ୟ ଏହି ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ମେଦବହୁଳତା ପରି ବ୍ୟାପକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଏକ ଜାତୀୟ କାର୍ଯ୍ୟ ଯୋଜନା ପ୍ରଣୟନ ଜରୁରୀ ମନେ ହୁଏ।
Comments are closed.