www.samajalive.in
Saturday, December 6, 2025
15.1 C
Bhubaneswar

ସକ୍ରିୟ ଲଘୁଚାପ: ୧୮ ଜିଲାକୁ ସତର୍କତା

ଭୁବନେଶ୍ବର : ଦକ୍ଷିଣ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ଦୁଇଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡଖଣ୍ଡ ଅଞ୍ଚଳରେ ପହଞ୍ଚିବ। ମୌସୁମୀ ଜନିତ ନିମ୍ନଚାପରେଖା ଦକ୍ଷିଣ-ପୂର୍ବ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଲଘୁଚାପ ଏବଂ ମୌସୁମୀ ନିମ୍ନଚାପରେଖା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷିବ। ଏଥିପାଇଁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୪ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ୧୪ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲାରେ ଅତି ପ୍ରବଳ ବର୍ଷା ହେବ। ଉପରୋକ୍ତ ୪ଟି ଜିଲା ମଧ୍ୟରୁ କିଛି ଅଞ୍ଚଳରେ ୭ରୁ ୨୦ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ବରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡା, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଏବଂ ସମ୍ବଲପୁର ଜିଲାରେ ପ୍ରବଳ ବର୍ଷା ହେବ। ଏହିସବୁ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଗତ ୨୪ଘଣ୍ଟାରେ ବାଲେଶ୍ବର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଝାରସୁଗୁଡାରେ ବର୍ଷା ହୋଇଥିବା ବେଳେ ରବିବାର ସନ୍ଧ୍ୟା ସାଢେ ୫ଟା ସୁଦ୍ଧା କିଛି ଅଞ୍ଚଳରେ ମଧ୍ୟମ ଧରଣ ବର୍ଷା ହୋଇଛି। ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିପାରେ। ପ୍ରବଳ ବର୍ଷା ଯୋଗୁଁ ଆଗକୁ ଦୃଶ୍ୟମାନ କମ ରହିବ। ସହରାଞ୍ଚଳ ଗୁଡିକରେ ନାଳରେ ପାଣି ନିଷ୍କାସିତ ହେବାରେ ସମସ୍ୟା ଆସିପାରେ। ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସମ୍ପୃକ୍ତ ଜିଲାଗୁଡିକୁ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୨୮ ଓ ୨୯ ତାରିଖ ବେଳକୁ ସମୁଦ୍ରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୩୦ କିମ୍ବା ୩୧ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୮ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ; କିନ୍ତୁ ୩୦, ୩୧ ଏବଂ ସେପ୍ଟେମ୍ବର ୧ରେ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଭାରୀ ବର୍ଷା ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories