୫ରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦିନେ ଦୁଇଦିନ ମଧ୍ୟରେ ପୁଣି ସକ୍ରିୟ ହେବ। ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ୫ ଓ ୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ତଥା ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ଯୋଗୁଁ ଜୁଲାଇ ୨୬ରୁ ଅଗଷ୍ଟ ୨ ଯାଏଁ ନିଅଣ୍ଟିଆ ବର୍ଷା ହୋଇଛି। ମଙ୍ଗଳବାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଆସନ୍ତାକାଲିଠାରୁ ଯଦି ଭଲ ବର୍ଷା ହୁଏ ତେବେ ମୌସୁମୀ ସକ୍ରିୟ ଅବସ୍ଥାକୁ ଆସିବ। ୫ରୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢିବ। ପରବର୍ତ୍ତୀ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ପଟ୍ଟାମୁଣ୍ଡାଇରେ ସର୍ବାଧିକ ୮୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜୟପୁର ୬୨.୬ ମିମି, ନରସିଂହପୁର ୫୬ ମିମି, ଖଣ୍ଡପଡା ୫୩.୪ ମିମି, ଭୁବନେଶ୍ବର ୫୨.୬ ମିମି, ରାଜକନିକା ୫୧ ମିମି, କଣ୍ଟାପଡା ୪୭ ମିମି, ଚାନ୍ଦବାଲି ୪୬.୯ ମିମି, ରାଇଘର ୪୫.୪ ମିମି, ଉମରକୋଟ ୪୦.୮ ମିମି ବର୍ଷା ହୋଇଛି। ଆଜି ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ମଧ୍ୟରେ ଫୁଲବାଣୀରେ ସବୁଠୁ ଅଧିକ ୪୧.୨ ମିମି ବର୍ଷା ହୋଇଛି। ଏଥିସହିତ ମାଲକାନଗିରି, ଦାରିଙ୍ଗବାଡି, ପାରଳାଖେମୁଣ୍ଡି, ରାୟଗଡା, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, ତାଳଚେର, ବାରିପଦା, ଅନୁଗୋଳ ଏବଂ କଟକ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୫ରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ ୧ରୁ ଅଗଷ୍ଟ ୨ ମଧ୍ୟରେ ରାଜ୍ୟରେ ୫୭୨ ମିମି ବର୍ଷା ହେବା କଥା, ମାତ୍ର ୫୧୬ ମିମି ବର୍ଷା ହୋଇଛି। ଅର୍ଥାତ ୧୦ % କମ୍ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭଦ୍ରକ ୨୪%, ବଲାଙ୍ଗୀର ୨୨%, ଝାରସୁଗୁଡ଼ା ୨୧%, କଳାହାଣ୍ଡି ୨୦%, ମୟୂରଭଞ୍ଜ ୨୧%, ସମ୍ୱଲପୁର ୩୦%, ସୁନ୍ଦରଗଡ଼ ୪୧% କମ୍ ବର୍ଷା ରେକର୍ଡ ହୋଇଛି। ବୌଦ୍ଧ ଓ କନ୍ଧମାଳରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି। କନ୍ଧମାଳରେ ୨୫% ଓ ବୌଦ୍ଧରେ ୩୦% ଅଧିକ ବର୍ଷା ହୋଇଛି।
Comments are closed.