ପ୍ରବଳ ବିରୋଧ ପରେ ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ୱାକଫ୍ (ସଂଶୋଧନ) ବିଲ୍, ୨୦୨୪
ଡେସ୍କ: ୱାକଫ୍ (ସଂଶୋଧନ) ବିଲ୍, ୨୦୨୪କୁ ଅଧିକ ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି। ଆଜି ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିବା ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ସରକାର ଏହି ଆଇନର ଅଧିକ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ଏହି ଆଇନରୁ ଲୁଚାଇବାକୁ କିଛି ନାହିଁ।
ପୂର୍ବରୁ ବିଲ୍ ଆଗତ କରି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ବିଲ୍ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଦ୍ଦେଶ୍ୟରେ ନୁହେଁ ଏବଂ ଏହା ମୁସଲମାନ ସମ୍ପ୍ରଦାୟର ଅବହେଳିତ ଓ ଗରିବ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏଭଳି ଆଇନ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ଦକ୍ଷତା ନାହିଁ ବୋଲି ବିରୋଧୀଙ୍କ ଦାବି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ସମ୍ବିଧାନର ସମକାଳୀନ ତାଲିକା ଅଧୀନରେ ଆସୁଛି ଏବଂ କେନ୍ଦ୍ର ସରକାର ଏହା ଉପରେ ଆଇନ ପ୍ରଣୟନ କରିବାକୁ ଯଥେଷ୍ଟ ସକ୍ଷମ। ଶ୍ରୀ ରିଜିଜୁ କହିଛନ୍ତି ଯେ ସଚ୍ଚର କମିଟି ଏବଂ ପୂର୍ବ ସରକାରମାନଙ୍କ ଦ୍ୱାରା ଗଠିତ ବିଭିନ୍ନ କମିଟିର ବିଭିନ୍ନ ସୁପାରିସ ଅନୁଯାୟୀ ଏହି ଆଇନ ଅଣାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓ୍ଵାକଫ୍ ବୋର୍ଡର କାର୍ଯ୍ୟରେ ଅନେକ ତ୍ରୁଟି ରହିଛି ଏବଂ କିଛି ଲୋକ ଏହି ବୋର୍ଡକୁ ଦଖଲ କରିଛନ୍ତି। ମୁସଲମାନ ମହିଳା ଓ ଓବିସି ସମ୍ପ୍ରଦାୟର ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଏହି ଆଇନ ଅଣାଯାଇଛି ବୋଲି ସେ ଆଲୋକପାତ କରିଥିଲେ। ଓ୍ଵାକଫ୍ ବୋର୍ଡ ସହ ଜଡ଼ିତ ପ୍ରାୟ ୧୨ ହଜାର ମାମଲା ବିଚାରାଧୀନ ରହିଛି ଏବଂ ଏହି ବିଲରେ ୬ ମାସ ମଧ୍ୟରେ ଏଭଳି ମାମଲାର ସମାଧାନ କରିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଆଲୋକପାତ କରିଥିଲେ। ଓ୍ଵାକଫ୍ ବୋର୍ଡ ସମ୍ପତ୍ତିରେ ଜବରଦଖଲ ଜନିତ ସମସ୍ୟା ନେଇ ବର୍ଷକ ମଧ୍ୟରେ ପାଖାପାଖି ୨୦୦ଟି ଅଭିଯୋଗ ଆସିଥିବା ସେ ସୂଚନା ଦେଇଛନ୍ତି। ହିତାଧିକାରୀଙ୍କ ସହ ଉପଯୁକ୍ତ ବିଚାର ବିମର୍ଶ ନକରି ଏହି ବିଲ୍ ଅଣାଯାଇଥିବା ବିରୋଧୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏହି ଆଇନ ଆଣିବା ପୂର୍ବରୁ ଅଂଶୀଦାରମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବିଲର ବ୍ୟବସ୍ଥା ଉପରେ ଆଲୋକପାତ କରି ସେ କହିଛନ୍ତି, ଓ୍ଵାକଫ୍ ବୋର୍ଡ ଟ୍ରିବ୍ୟୁନାଲରେ ଜଣେ ନ୍ୟାୟିକ ଓ ଜଣେ ବୈଷୟିକ ସଦସ୍ୟ ରହିବେ।
ପୂର୍ବରୁ ଏହି ବିଲ୍ ଆଗତକୁ ବିରୋଧ କରି କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ଡିଏମକେ, ଏନସିପି (ଏସପି), ବାମପନ୍ଥୀ ଏବଂ ଅନ୍ୟମାନେ ଏହାକୁ ସମ୍ବିଧାନ ଏବଂ ଧର୍ମ ସ୍ୱାଧୀନତା ବିରୋଧୀ ବୋଲି କହିଥିଲେ। କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଏହି ବିଲ୍ ଆଗତକୁ ବିରୋଧ କରି କହିଛନ୍ତି ଯେ ଏହା କଠୋର ଏବଂ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ। ସେ କହିଛନ୍ତି ଯେ ଏହି ବିଲରେ ୱାକଫ୍ ବୋର୍ଡର ଗଭର୍ଣ୍ଣିଂ କାଉନସିଲରେ ଅଣମୁସଲମାନମାନଙ୍କୁ ରଖିବାର ବ୍ୟବସ୍ଥା ରହିଛି, ଯାହା ଆସ୍ଥା ଓ ଧର୍ମ ଉପରେ ଆକ୍ରମଣ। ମହାରାଷ୍ଟ୍ର ଏବଂ ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଖରାପ ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ୱାକଫ୍ ବୋର୍ଡରେ ଅନ୍ୟ ଧାର୍ମିକ ସମ୍ପ୍ରଦାୟର ସଦସ୍ୟଙ୍କ ନାମାଙ୍କନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦଳର ଅନ୍ୟ ଜଣେ ନେତା ହବିବୁଲ୍ଲା ମଧ୍ୟ ବିଲକୁ ବିରୋଧ କରି କହିଛନ୍ତି ଯେ ୱାକଫ୍ ଏକ ଧାର୍ମିକ ମାମଲା ଏବଂ ଏହି ଆଇନ ଧାର୍ମିକ ପ୍ରଥାରେ ହସ୍ତକ୍ଷେପ। ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ ଏହି ବିଧାନସଭାକୁ ଅସାମ୍ବିଧାନିକ ଏବଂ ଏହା ସଂଘୀୟ ଢାଞ୍ଚା ବିରୁଦ୍ଧରେ ବୋଲି କହିଛନ୍ତି। ଡିଏମକେ ସାଂସଦ କାନିମୋଇ କରୁଣାନିଧି ମଧ୍ୟ ଏହି ଆଇନକୁ ବିରୋଧ କରିଥିଲେ। ସରକାର ସମ୍ବିଧାନ, ସଂଘୀୟ ବ୍ୟବସ୍ଥା ଓ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ଯାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏନସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ ଏହି ବିଲ୍ ପ୍ରତ୍ୟାହାର କରିବା କିମ୍ବା ଅଧିକ ଯାଞ୍ଚ ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିଛନ୍ତି। ଆଇୟୁଏମଏଲର ଇଟି ମହମ୍ମଦ ବସିର ମଧ୍ୟ ଏହି ବିଲ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏହି ଆଇନ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସମସ୍ତ କ୍ଷମତା ଦେଇଛି ଯିଏ କି ୱାକଫ୍ ବୋର୍ଡର ଅଧ୍ୟକ୍ଷଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବେ। ସିପିଆଇ(ଏମ) ସାଂସଦ କେ ରାଧାକ୍ରିଷ୍ଣନ ମଧ୍ୟ ଏହି ବିଲକୁ ବିରୋଧ କରି ଏହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିଥିଲେ। ଆରଏସପିର ଏନ୍ କେ ପ୍ରେମଚନ୍ଦ୍ରନ ଏହି ବିଲକୁ ବିରୋଧ କରି କହିଛନ୍ତି ଯେ ଏହା ସମ୍ବିଧାନର ବ୍ୟବସ୍ଥା ବିରୁଦ୍ଧ। ଏହି ବିଲ୍ ନ୍ୟାୟାଳୟରେ ତିଷ୍ଠିବ ନାହିଁ ବୋଲି ସେ କହିଛନ୍ତି। ବିଲକୁ ବିରୋଧ କରି ଏଆଇଏମ୍ଆଇଏମର ଅସଦୁଦ୍ଦିନ ଓୱେସି କହିଛନ୍ତି, ଏହି ବିଲ୍ ଭେଦଭାବପୂର୍ଣ୍ଣ।
ଅନ୍ୟପକ୍ଷରେ ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏହି ବିଲ୍ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ୱାକଫ ବୋର୍ଡ ଏହି ଆଇନ ମାଧ୍ୟମରେ ଗଠିତ ଏକ ଅନୁଷ୍ଠାନ ଏବଂ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଏହି ଆଇନ ଅଣାଯାଇଛି। ୱାକଫ୍ ବୋର୍ଡ ପୂଜା ପାଇଁ ସ୍ଥାନ ନୁହେଁ ଏବଂ ଆସ୍ଥା ମାମଲାରେ ହସ୍ତକ୍ଷେପ ଅଭିଯୋଗ ଉଠୁନାହିଁ ବୋଲି ସେ କହିଛନ୍ତି। ଏହି ବିଲକୁ ନେଇ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ କରିବା ପାଇଁ ଶ୍ରୀ ସିଂହ ଦିଲ୍ଲୀରେ ହୋଇଥିବା ଶିଖ୍ ଦଙ୍ଗା ବିଷୟରେ ଉଲ୍ଲେଖ କରିଥିଲେ। ଟିଡିପି ସାଂସଦ ଜିଏମ୍ ହରିଶ ବଳଯୋଗୀ କହିଛନ୍ତି, ଯଦି ୱାକଫ୍ ବୋର୍ଡ ସହ ଜଡ଼ିତ କ୍ଷମତାର ଦୁରୁପଯୋଗ କରାଯାଏ, ତେବେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂଶୋଧନ ଆଣିବା ଜରୁରୀ। ସମସ୍ତ ଭୁଲ ଧାରଣା ଦୂର କରିବା ନିମନ୍ତେ ବ୍ୟାପକ ଆଲୋଚନା ପାଇଁ ଯଦି ଏହି ଆଇନକୁ ସିଲେକ୍ଟ କମିଟିକୁ ପଠାଯିବ, ତେବେ ଟିଡିପି ଏହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି।
Comments are closed.