ଗୁରୁଡିଝାଟିଆ : ଅବିଭକ୍ତ କେବିକେ ଅଞ୍ଚଳ ନୁହେଁ, ବରଂ କଟକ ଜିଲ୍ଲାର ଆଠଗଡ ବ୍ଲକ ଓର୍ଦା ଓ ଭଗୁଆର ଜନସାଧାରଣ ଭୋଟଦେବା ପାଇଁ ଯାଉଛନ୍ତି ୧୨ କିମି। ବିପଦ ସଂକୂଳ ଜଙ୍ଗଲ ରାସ୍ତା ଦେଇ ହାତୀଭୟ ଭିତରେ ୧୨ କିମି ଚାଲିକରି ଗଲେ ଗୋବରା ପଞ୍ଚାୟତ ନିକଟରେ ହୋଇଥିବା ମତଦାନ କେନ୍ଦ୍ରରେ ଦେଇଥାନ୍ତି ଭୋଟ । ଅନେକ ସମୟରେ ଅର୍ଦ୍ଧାଧିକ ମତଦାତା ଭୋଟ ଦେବା ପାଇଁ ଆସିପାରି ନଥାନ୍ତି । ଯାହାଫଳରେ କେତେକ ମୁଷ୍ଟିମେୟ କ୍ଷମତାଶାଳୀ ଲୋକ ସେମାନଙ୍କ ନାମରେ ଭୋଟ ଦେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । ଓର୍ଦା ଓ ଭଗୁଆର ମୋଟ ଭୋଟର ସଂଖ୍ୟା ୪୧୨। ଓର୍ଦାରେ ୭୨ ପରିବାର ରହୁଥିବା ବେଳେ ସାନଭଗୁଆ ଓ ବଡଭଗୁଆରେ ୭୦ ପରିବାର ରହିଥାନ୍ତି । ଏହି ଜନଜାତି ବହୁଳ ଗାଁଦ୍ୱୟ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଗୋବରା ୧୨ କିମି ଦୂର। ଦୁଇ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ରହିଛି । ଦୁଇଗାଁର ଦୂରତା ମଧ୍ୟ ସେତେ ଅଧିକ ନୁହେଁ । ଦୁଇଗାଁ ଭିତରୁ ଗୋଟିଏ ଗାଁରେ ଯଦି ଭୋଟଗ୍ରହଣ ପାଇଁ ମତଦାନ କେନ୍ଦ୍ର ସ୍ଥାପନ କରାଯାଆନ୍ତା ତା’ହାଲେ ଦୁଇଗାଁର ଜନସାଧାରଣ ବିଶେଷତଃ ଭୋଟରମାନେ ନିଜର ମତଦାନ ସଠିକ୍ ଭାବରେ ସଂପାଦନ କରିପାରନ୍ତେ । ହେଲେ ନିର୍ବାଚିତ ହୋଇ ଯାଉଥିବା ପ୍ରତିନିଧିମାନେ ଗାଁର ଜନସାଧାରଣଙ୍କ ଏହି ମୌଳିକ ଦାବିପ୍ରତି କର୍ଣ୍ଣପାତ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ। ରାଜ୍ୟ ନିର୍ବାଚନ ଆୟୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ସହିତ ଭୋଟରମାନଙ୍କ ପାଇଁ କାହିଁକି ଏକ ନୂତନ ମତଦାନ କେନ୍ଦ୍ର ସ୍ଥାପନ ପାଇଁ ବ୍ୟବସ୍ଥା କରୁନାହାନ୍ତି ତାହା ବୁଝା ପଡୁନାହିଁ । ଅତ୍ୟନ୍ତ ବିପଦ ସଂକୂଳ ଅବସ୍ଥାରେ ହାତୀଭୟ ସତ୍ବେ ଛୋଟଛୁୂଆଙ୍କୁ କୋଳରେ ଧରି ମାଆମାନେ ୧୨କିମି ଚାଲି ଗୋବରାରେ ଭୋଟ ଦେବା ଘଟଣା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ କିପରି ଯାଉନାହିଁ ତାହା ମଧ୍ୟ ବୁଝାପଡୁନାହିଁ । ତୁରନ୍ତ ଗାଁରେ ମତଦାନ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ଜନଜାତି ନେତା ହରିଶ ଚନ୍ଦ୍ର ହାଇବ୍ରୁ ଉପଖଣ୍ଡ ନିର୍ବାଚନ ଅଧିକାରୀ ,ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୁକ୍ତ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକତା।
Popular Categories



