ମାନିଲେନି ଜେଲେନସ୍କି, କଣ କରିବେ ଟ୍ରମ୍ପ?

ଡେସ୍କ: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓଭାଲ ଅଫିସରେ ଉତ୍ତେଜନାପୂର୍ଣ୍ଣ ଆଲୋଚନା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ଷମା ମାଗିବା ଉଚିତ୍। ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଜେଲେନସ୍କିଙ୍କ ଉଚ୍ଚବାଚ ପରେ ରୁବିଓ ଏହି ମନ୍ତବ୍ୟ ଦେଇଛନ୍ତି। ସେକ୍ରେଟାରି ରୁବିଓ ଗଣମାଧ୍ୟମକୁ କହିଛନ୍ତି ଯେ ଜେଲେନସ୍କିଙ୍କ ବିରୋଧୀ ହେବାର କୌଣସି ଆବଶ୍ୟକତା ନାହିଁ। ଟ୍ରମ୍ପ ସଂଘର୍ଷକୁ ଶେଷ କରି ରୁଷୀୟମାନଙ୍କୁ ଆଲୋଚନାରେ ସାମିଲ କରିବାକୁ ଚାହୁଁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଗତକାଲି ରାତିରେ ହ୍ୱାଇଟ ହାଉସର ଓଭାଲ ଅଫିସରେ ପାଟିତୁଣ୍ଡ ହୋଇଥିଲା। ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଷ୍ଟ୍ରପତି ଜେଲେନ୍ସ୍କି ଋଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଏକ ପ୍ରକାର ଘୃଣା ରଖୁଛନ୍ତି, ଯାହା ଫଳରେ ତାଙ୍କ ପାଇଁ ଚୁକ୍ତି କରିବା କଷ୍ଟକର ହୋଇପଡିଛି। ଏହାର ଜବାବରେ ଜେଲେନସ୍କି ରାଷ୍ଟ୍ରପତି ଟ୍ରମ୍ପଙ୍କୁ କହିଛନ୍ତି ଯେ ଯୁଦ୍ଧର ସମାଧାନ ପାଇଁ ଆଲୋଚନା କରିବାରେ ପୁଟିନଙ୍କ ସହ କୌଣସି ବୁଝାମଣା ହେବା ଉଚିତ ନୁହେଁ।

ଏହାବ୍ୟତୀତ ରାଷ୍ଟ୍ରପତି ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇଥିବା ଅଭିଯୋଗ ଆଣିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ତାଙ୍କ କାର୍ଯ୍ୟ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ଏହାର ଜବାବରେ ଜେଲେନସ୍କି ଆମେରିକା ସହ ଏକ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷର ନକରି ହଠାତ୍ ହ୍ୱାଇଟ୍ ହାଉସ୍ ଛାଡ଼ି ଚାଲିଯାଇଥିଲେ।

Comments are closed.