ବିନ୍ଦାସ କପ ଜିଲ୍ଲାସ୍ତରୀୟ ଭଲିବଲ ପ୍ରତିଯୋଗିତା, ରେଡ୍ଡୀ ସିକ୍ସ ବରଖମା ଚମ୍ପିଆନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତଳଦଣ୍ଡିକିଆଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ବିନ୍ଦାସ କପ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବିରୁପାକ୍ଷ ଯୁବକ ସଙ୍ଘ ଓ ବିନ୍ଦାସ କ୍ଲବର ମିଳିତ ଆନୁକୂଲ୍ୟରେ ପରିଚାଳିତ ଓ କ୍ଲବ ସଭାପତି କାଳିଦାସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ୧୨ଟି ଟିମ ଭାଗନେଇଥିବା ବେଳେ ବରଖମାର ରେଡ୍ଡୀ ସିକ୍ସ ଦଳ ଚମ୍ପିଆନ ହୋଇଥିଲା। ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଲାଲନନ୍ଦା ପ୍ରଧାନ, ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନ, ସମାଜସେବୀ ଚନ୍ଦ୍ରମୋହନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। କ୍ଲବର ମ୍ୟାନେଜର ଡାନିଏଲ ଦିଗାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ଶିକ୍ଷକ ସୀମାଞ୍ଚଳ ମୁଖି ପରିଚାଳନା କରିଥିଲେ।
ଜି ଉଦୟଗିରି ସେମ୍ ସିକ୍ସ ଓ ବାଲିଗୁଡା ଉପଖଣ୍ଡ ବରଖମାର ରେଡ୍ଡୀ ସିକ୍ସ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ସେମ୍ ସିକ୍ସକୁ ପାଞ୍ଚ ସେଟରେ ହରାଇ ରେଡ୍ଡୀ ସିକ୍ସ ବରଖମା ଚମ୍ପିଆନ ହୋଇଥିଲା। ସେମ୍ ସିକ୍ସ ଟିମର ଆଶିଷ କୁମାରଙ୍କୁ ଶ୍ରେଷ୍ଠ ନେଟର ଭାବରେ, ରେଡ୍ଡୀ ସିକ୍ସ ଟିମର ବିଟୁ ବାବୁଙ୍କୁ ଶ୍ରେଷ୍ଠ ହିଟର ଏବଂ ରୁଦାଙ୍ଗିଆ ଭଲିବଲ ଟିମକୁ ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବେ ପୁରସ୍କୃତ କରାଯାଇଥିଲା।
Comments are closed.