ଭାରତୀୟଙ୍କ ମୃତଦେହ ଆଣିବାକୁ ଏପ୍ରିଲ ୧ରେ ଇରାକ ଯିବେ ଭିକେ ସିଂହ

0

ନୂଆଦିଲ୍ଲୀ : ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୩୯ଜଣ ଭାରତୀୟଙ୍କ ମୃତଦେହ ଆଣିବା ଲାଗି ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଏପ୍ରିଲ ୧ରେ ଇରାକ ଗସ୍ତରେ ଯିବେ। ମୃତ ଭାରତୀୟଙ୍କ ଦେହାବଶେଷକୁ ଧରି ସେ ଏପ୍ରିଲ ୨ରେ ଭାରତ ଫେରିବେ। ଏଥିପାଇଁ ମନ୍ତ୍ରୀ ସିଂହ ବାୟୁ ସେନାର ସ୍ୱତନ୍ତ୍ର ବିମାନ (ସି ୧୭ ଏୟାରକ୍ରାଫ୍ଟ)ରେ ଯାତ୍ରା କରିବେ। ପ୍ରଥମେ ସେ ପଞ୍ଜାବର ଅମୃତସରରେ ଓହ୍ଲାଇବେ। କାରଣ ମୃତ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଞ୍ଜାବର ବାସିନ୍ଦା। ପରେ ସେ ପାଟନା ଓ କଲକାତା ଯିବେ। ଏଠାରେ ସେ ମୃତଦେହ ଗୁଡିକୁ ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରିବେ। ଇରାକ ସରକାର ଡିଏନଏ ନମୁନା ପରୀକ୍ଷା ପୂର୍ବକ ମୃତଦେହଗୁଡିକୁ ଚିହ୍ନଟ କରାଯାଇଛି। ମୃତଦେହଗୁଡିକ ଏବେ ବାଗଦାସ୍ଥିତ ମେଡିକୋ ଲିଗାଲ ଇନଷ୍ଟିଚ୍ୟୁଟ୍‌ର ଫ୍ରିଜରରେ ରଖାଯାଇଛି। ୨୦୧୪ରେ ଇରାକର ମୋସୁଲ ସହରରୁ ୩୯ଜଣ ଭାରତୀୟଙ୍କ ଆଇଏସ୍‌ ଆତଙ୍କବାଦୀମାନେ ଅପହରଣ କରିନେଇ ହତ୍ୟା କରିଥିଲେ। ଆତଙ୍କବାଦୀମାନେ ମୃତଦେହଗୁଡିକ ପୋତି ଦେଇଥିଲେ। ଅନେକ ଅନୁସନ୍ଧାନ ପରେ ମୃତଦେହଗୁଡିକୁ ଠାବ କରାଯାଇଥିଲା। ଭାରତୀୟଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମାର୍ଚ୍ଚ ୨୦ରେ ସଂସଦରେ ଘୋଷଣା କରିଥିଲେ।

Leave A Reply