ହିଂସା ନିଅାଁରେ ଜଳୁଛି ବିହାର, ଦଙ୍ଗା ଭୟ !

0

ପାଟନା : ବିହାରରେ ରାମ ନବମୀ ଦିନରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାରେ ନାମ ନେଉନାହିଁ । ଏହି ହିଂସା ଗୋଟିଏ ପରେ ଗୋଟିଏ ସହରକୁ ବ୍ୟାପିବାରେ ଲାଗିଛି । ହିଂସାର ନିଅାଁରେ ବିହାର ଅଶାନ୍ତ ହୋଇ ପଡିଛି । ଗତ କିଛି ଦିନ ମଧ୍ୟରେ ବିହାରର ଅନେକ ଜିଲା ହିଂସାର ନିଅାଁରେ ଜଳୁଛି । ମୁଙ୍ଗେର, ନାଳନ୍ଦା, ଭାଗଲପୁର, ଔରଙ୍ଗାବାଦ ଏବଂ ସମସ୍ତିପୁର ପରେ ଏବେ ହିଂସାର ନିଅାଁ ନାୱାଦା ଜିଲାରେ ପହଞ୍ଚିଛି । ନାୱାଦା ଜିଲାରେ ଏକ ଧାର୍ମିକସ୍ଥଳରେ ମୂର୍ତ୍ତି ଭଙ୍ଗା ଯିବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି । ଏବେଠାରୁ ହିଂସାକାଣ୍ଡକୁ ରୋକା ନ ଗଲେ ଆଗକୁ ଏହା ଦଙ୍ଗାରୂପ ନେବ ବୋଲି ଆଶଙ୍କା କରାଯାଉଛି । ନାୱାଦାରେ କେତେକ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୧୦ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛି । ନାୱାଦା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅଟେ । କୁହାଯାଉଛି ଯେ ନାୱାଦା ପାଇପାସ ନିକଟ ଗୋନ୍ଦାପୁର ଛକରେ ଥିବା ଏକ ଧାର୍ମିକସ୍ଥଳର ପୂଜା ପାଉଥିବା ମୂର୍ତ୍ତିକୁ ଗୁରୁବାର ରାତିରେ କେତେକେ ଅସାମାଜିକ ଲୋକ ଭାଙ୍ଗିଦେଇଥିଲେ । ଏହାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଜିଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ୍‌ ମୁତୟନ କରାଯାଇଛି । ଛକ, ବଜାରରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି । ବିଜେପି ନେତା ସିପି ଠାକୁର ଲୋକଙ୍କୁ ଭାଇଚାରା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ନେବେଦନ କରିଛନ୍ତି । ଲୋକେ ପାଟଣା-ରାଞ୍ଜି ଜାତୀୟ ରାଜପଥ ରୋକ୍‌ କରିବା ସହ ଗାଡ଼ି ମୋଟର ଭଙ୍ଗାରୁଜା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ କେତେକ ଦୋକାନକୁ ଜାଳି ଦିଆଯାଇଛି। ଏବେ ବି ଲୋକେ ହିଂସାର ନିଅାଁରେ ଜଳୁଛନ୍ତି । ବିଭିନ୍ନ ଜାଗାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ମଗଧ କମିଶନର ଜିତେନ୍ଦ୍ର ଶ୍ରୀବାସ୍ତବ ଏବଂ ଡିଆଇଜି ବିନୟ କୁମାରା ନାୱାଦା ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ସେମାନେ ପ୍ରକାଶ କରିଛନ୍ତି ।

Leave A Reply