ହିତାଧିକାରୀ ପ୍ରଶାସନର ଦ୍ୱାରସ୍ଥ

ଆବାସ ଯୋଜନା ଓ ମନରେଗା କାର୍ଯ୍ୟ ଦାବି

କେନ୍ଦୁଝରଗଡ : ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପ୍ରାଥମିକ ତାଲିକାରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌‌ ଦିଆଯିବା ଘଟଣାରେ ହିତାଧିକାରୀ ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି । ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଟୁକୁଡିହା ଗ୍ରାମର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ପ୍ରାଥମିକ ତାଲିକାରେ ସ୍ଥାନ ପାଇଥିବା କଳ୍ପଲତା ମହାନ୍ତ, ଉର୍ମିଳା ବେହେରା, ସୁରେଶ ବେହେରା, ରୁଦ୍ର ମୁଣ୍ଡା, ସେବତୀ କୁମାରୀ, ମାଇନ ବେହେରା, ତାରାମଣୀ ବେହେରା, ମଧୁସ୍ମୀତା ନାଏକ, ଲକ୍ଷ୍ମୀ ବେହେରାଙ୍କ ନାମ ଶେଷ ମୁହୁର୍ତ୍ତରେ ଯୋଗ୍ୟ ତାଲିକାରୁ ବାଦ୍‌‌ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ସୁରେଶ ବେହେରା ଅଭିଯୋଗ କରିଛନ୍ତି । ଏପରିକି ପ୍ରାଥମିକ ତାଲିକାରେ ନାମ ପ୍ରକାଶ ପାଇଥିଲେ ହେଁ ତଦନ୍ତ କରାନଯାଇ ଯୋଗ୍ୟ ତାଲିକାରୁ ବାଦ୍‌‌ ଦେଇ ଯେଉଁ ବ୍ୟକ୍ତିମାନଙ୍କ ନାମରେ ଯାନବାହାନ ଓ ପୂର୍ବରୁ ଛାତ ଘର ରହିଛି ସେମାନଙ୍କ ତଞ୍ଚକତା କରି ଗ୍ରାମୀଣ ଆବାସ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା କଳ୍ପଲତା ମହାନ୍ତ ଅଭିଯୋଗ କରିଛନ୍ତି। ଅନ୍‌‌ଲାଇନ ଯୋଗେ ଅଭିଯୋଗ ପରେ ତଦନ୍ତ କରାଯାଇ ପ୍ରାଥମିକ ତାଲିକାରେ ସ୍ଥାନ ପାଇଥିବା କେତେକ ହିତାଧିକାରୀଙ୍କୁ ବାଦ୍‌‌ ଦିଆଯାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି।ସେହିପରି କେନ୍ଦୁଝରଗଡ ସଦର ବ୍ଲକ ନେଲୁଙ୍ଗ ପଞ୍ଚାୟତ ଟାଙ୍ଗରାଣୀ ଲକ୍ଷ୍ମୀପୂଜା ମଣ୍ଡପ ଠାରୁ ଋଷିଶାଳ ପର୍ଯ୍ୟନ୍ତ ଚଳିତବର୍ଷ ମେ ୨୩ ତାରିଖରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ କେତେକ ସ୍ଥାନୀୟ ଅଧିବାସୀ ନିଜ ନିଜ ଦଖଲରେ ଥିବା ଦର୍ଶାଇ ଉକ୍ତ ନିର୍ମାଣ କାର୍ଯ୍ୟକୁ ଜୁନ ୧୩ ତାରିଖରୁ ବନ୍ଦ କରି ଦେଇଛନ୍ତି। ଏ ସମ୍ପର୍କରେ ହିତାଧିକାରୀ ସଦର ଥାନା ଏବଂ ସଦର ତହସିଲ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ହେଁ କୌଣସି ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛୁ ବୋଲି ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣିକୁ ଆସିଥିବା ମମତାରାଣୀ ମହାନ୍ତ, ଲମ୍ବୋଦର ମହାନ୍ତ, ସଶ୍ମୀତା ମହାନ୍ତ ପ୍ରମୁଖ କହିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ଯୋଗୁଁ ବର୍ଷା ଋତୁରେ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିବା ବେଳେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜିଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି।

Comments are closed.