କିଙ୍ଗଫିସରକୁ ନିଜ ଆକାଉଣ୍ଟରୁ ୪ ହଜାର କୋଟି ଟଙ୍କା ଦେଇଛି: ମାଲ୍ୟା
ଲଣ୍ଡନ: ପଳାତକ ଅର୍ଥନୈତିକ ଅପରାଧୀ ଘୋଷିତ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାବର୍ତ୍ତନ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବାକୁ ଥିବା ବେଳେ ନିଜକୁ ବଞ୍ଚାଇବାକୁ ମାଲ୍ୟା ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଏକ ସାକ୍ଷାତକାରରେ ମାଲ୍ୟା କହିଛନ୍ତି ଯେ କିଙ୍ଗଫିସରକୁ ବଞ୍ଚାଇବା ପାଇଁ ସେ ନିଜ ଆକାଉଣ୍ଟରୁ ୪ ହଜାର କୋଟି ଟଙ୍କା ଦେଇଛନ୍ତି। ତାଙ୍କ ଉପରେ ଯେଉଁ ଋଣ ଭାର ରହିଛି ତାହାର ପରିଶୋଧ ପାଇଁ ସେ ତାଙ୍କ ନାମରେ ଥିବା ୧୪ ହଜାର କୋଟି ଟଙ୍କାର ସମ୍ପତ୍ତି ତାଲିକା ୨୦୧୬ରୁ କର୍ଣ୍ଣାଟକ ହାଇକୋର୍ଟରେ ଦାଖଲ କରିଛନ୍ତି। ସେ ସବୁର ନିଲାମ କରି ଋଣଦାତାଙ୍କ ବକେୟା ପରିଶୋଧ ପାଇଁ ନିବେଦନ କରିଛନ୍ତି। ଯଦି କୋର୍ଟ ଅନୁମତି ଦିଅନ୍ତି ତେବେ ଜବତ ସମ୍ପତ୍ତିରୁ ପ୍ରଥମେ କିଙ୍ଗଫିସର କର୍ମଚାରୀଙ୍କ ବକେୟା ଦରମା ଦେବାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ୨୦୧୫ ରୁ କର୍ଣ୍ଣାଟକ ହାଇକୋର୍ଟରେ ସେ ଆବେଦନ କରିଛନ୍ତି। ତଥାପି ଜନସାଧାରଣଙ୍କ ସମ୍ପତ୍ତି ଆତ୍ମସାତ୍ କରି ଲୁଚି ପଳେଇଥିବା ଜଣେ ଅପରାଧୀ ଭାବରେ ତାଙ୍କୁ ଚିତ୍ରିତ କରାଯାଉଛି। ତାଙ୍କୁ ଜଣେ ପୋଷ୍ଟର ବଏ ଭାବରେ ପ୍ରଦର୍ଶିତ କରାଯାଉଛି। ମୋ ମାମଲାକୁ ଏବେ ଭାରତରେ ରାଜନୈତିକରଣ କରାଯାଉଛି ବୋଲି ମାଲ୍ୟା କହିଛନ୍ତି।
ତେବେ ମାମଲା ହାରିଗଲେ ଭାରତ ସରକାରଙ୍କ ହାତରେ ତାଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହେବ କି ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ମାଲ୍ୟା କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ପ୍ରସଙ୍ଗ ନୁହେଁ, ବରଂ ଏକ ଆଇନଗତ ପ୍ରସଙ୍ଗ। ଲଣ୍ଡନ ହାଇକୋର୍ଟଙ୍କ ରାୟ ପରେ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ତାଙ୍କର ଆଇନ ଉପଦେଷ୍ଟାଙ୍କ ସହିତ ଆଲୋଚନା ପରେ ସ୍ଥିର ହେବ।