୨୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ କିରାଣୀ
ସମ୍ବଲପୁର : ସମ୍ବଲପୁର ସ୍ଥିତ ଯୁଗ୍ମ ଶ୍ରମ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଚାକିରୀ କରୁଥିବା ଭାଗୀରଥି ଖର୍ସେଲ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ପ୍ରଦୀପ କୁମାର ସିଂହଙ୍କ ନାମରେ ୫୫ ଜଣ ଶ୍ରମିକଙ୍କ ନିମନ୍ତେ ଶ୍ରମ ଲାଇସେନ୍ସ ଆବେଦନ କରାଯାଇଥିଲା। ତେବେ ସେହି ଲାଇସେନ୍ସ ପାଇଁ କିରାଣୀ ଖର୍ସେଲ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଆଦିତ୍ୟ କୁମାର ଘୋଷ ନାମକ ଜଣେ ବ୍ୟକ୍ତି ଏନେଇ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଗୁରୁବାର ଅପରାହ୍ନରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଦଳ ପୂର୍ବରୁ ଛକି ରହିଥିବା ବେଳେ ଅଭିଯୋଗକାରୀଙ୍କୁ କେମିକାଲ ବୋଳା ଟଙ୍କା ଲାଞ୍ଚ ଦେବା ପାଇଁ ପ୍ରଦାନ କରିଥିଲେ । କିରାଣୀ ଖର୍ସେଲ କେମିକାଲ ବୋଳା ଟଙ୍କା ଗ୍ରହଣ କରିବା ମାତ୍ରେ ପୂର୍ବରୁ ଛକି ରହିଥିବା କର୍ମଚାରୀ ମାନେ ତାଙ୍କୁ ଘଟଣାସ୍ଥଳରେ ଧରିଥିଲେ। ପରେ ଭିଜିଲାନ୍ସ କର୍ମଚାରୀ ମାନେ ଅଭିଯୁକ୍ତ କିରାଣୀଙ୍କ ଠାରୁ ଟଙ୍କା ଜବତ କରି ତାଙ୍କୁ କାର୍ଯ୍ୟାଳୟକୁ ଧରି ନେଇ ଅଧିକ ତଦନ୍ତ ପାଇଁ ପଚରାଉଚୁରା କରୁଛନ୍ତି । ଏ ସର୍ମ୍ପକରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସମ୍ବଲପୁର ଜିଲାରେ ଅଭିଯୁକ୍ତଙ୍କୁ ୨ଟି ଠିକଣାରେ ଚଢ଼ଉ ଅଭିଯାନ ଜାରି ରହିଛି ।
Comments are closed.