୩୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ମହିଳା ଫରେଷ୍ଟ ଗାର୍ଡ

ସମ୍ବଲପୁର: ସମ୍ବଲପୁର ଜିଲା ସଦର ଫରେଷ୍ଟ ରେଞ୍ଜର ଜଣେ ଫରେଷ୍ଟ ଗାର୍ଡ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି। ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ସଦର ରେଞ୍ଜ ଯୁଯୁମୁରା​ରେ ଅବସ୍ଥାପିତ ତଥା ବେହେରାନବସା ବନ ସୁରକ୍ଷା ସମିତି(ଭିଏସଏସ)ର ସଭ୍ୟ-ସମ୍ପାଦକ ମଧୁସ୍ମିତା ମହାପାତ୍ର କୋଷାଧ୍ୟକ୍ଷଙ୍କଠାରୁ ବିଭିନ୍ନ ବିଲ ପାସ କରିଦେବା ପାଇଁ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି।
ଅଭିଯୋଗକାରୀ ଯୁଯୁମୁରା ଥାନା ଅନ୍ତର୍ଗତ ବେହେରାନିବସା ଗ୍ରାମନିବାସୀ ତଥା ବେହେରାନିବସା ଭିଏସଏସର କୋଷାଧ୍ୟକ୍ଷ ପର୍ଶୁରାମ ମିର୍ଦ୍ଧାଙ୍କଠାରୁ ଓଏଫ୍‌ଏସ୍‌ଡିପି ଯୋଜନାରେ ବନସୁରକ୍ଷା ସମିତିର ସଭ୍ୟମାନଙ୍କ ଦ୍ବାରା ଭିଏସଏସ କୋଠା ନିର୍ମାଣ ଓ ବନୀକରଣ କାର୍ଯ୍ୟର ବିଲ, ଭାଉଚର, ମଷ୍ଟର ରୋଲ ଆଦି ପାସ କରିବା ସକାଶେ ଶ୍ରୀମତୀ ମହାପାତ୍ର ଉପରୋକ୍ତ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ପାଇ ମଙ୍ଗଳବାର ଭିଜିଲାନ୍ସ କର୍ମଚାରୀ ପୂର୍ବରୁ ଛକି ରହି ଶ୍ରୀମତୀ ମହାପାତ୍ର ଉକ୍ତ ୩୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ତାଙ୍କୁ ଧରିଥିଲେ। ଏହାପରେ ଅଭିଯୁକ୍ତଙ୍କ ଫରେ​‌ଷ୍ଟ ଗାର୍ଡ କାର୍ଯ୍ୟାଳୟ ତଥା ସମ୍ବଲପୁର ସହରରେ ଭଡ଼ା ଘର ଖାନତଲାସି କରାଯାଇଥିଲା। ଅଭିଯୁକ୍ତ ଫରେଷ୍ଟ ଗାର୍ଡ ଶ୍ରୀମତୀ ମହାପାତ୍ରଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

Comments are closed.